ବାରବାଟୀରେ ବି ନିରାଶ କଲେ; ଭାରତ ୪ ୱିକେଟ୍‌ରେ ପରାସ୍ତ, ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ

ହେନରିକ୍ କ୍ଲାସେଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, କଟକରେ ଭୁବନେଶ୍ବରଙ୍କ ଚମକ ଫିକା

କଟକ,(ବାରବାଟୀରୁ ସୁରେଶ ସ୍ବାଇଁ): ବାରବାଟୀରେ ମଧ୍ୟ ଭାରତୀୟ ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିଛି। ଦିଲ୍ଲୀରେ ଦମ୍ ହରାଇଥିବା ଋଷଭ ପନ୍ତ୍‌ଙ୍କ ଦଳ ଏଠାରେ ବି ଲଜ୍ଜାଜନକ ପରାଜୟ ବରଣ କରିଛି। ଫଳରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବର୍ଷରେ ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ଯୁବ ଖେଳାଳିମାନେ ବିଜୟ ଦେଇପାରିବେ ନାହିଁ ବୋଲି ପ୍ରମାଣିତ ହୋଇଛି। ୫ ମ୍ୟାଚ୍‌ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ ହୋଇ ବଡ଼ ଉପଲବ୍ଧି ଦିଗରେ ଅଗ୍ରସର ହୋଇଛି।

ଈଶାନ କିଶନ, ଶ୍ରେୟସ ଆୟର, ଦୀନେଶ କାର୍ତିକଙ୍କ ଛୋଟ ଛୋଟ ଅବଦାନ ବଳରେ ୧୪୮ ରନ୍‌ କରିଥିବା ଭାରତୀୟ ଦଳକୁ ଭୁବନେଶ୍ବର କୁମାର (୪/୧୩) ପ୍ରାରମ୍ଭିକ ଆଶା ଦେଖାଇଥିଲେ। କିନ୍ତୁ ସିରିଜରେ ପ୍ରଥମ ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକାର ହେନରିକ୍ କ୍ଲାସେଁ ୩୨ ବଲରୁ ଅର୍ଦ୍ଧଶତକ ହାସଲ କରି ସବୁ ଓଲଟପାଲଟ କରି ଦେଇଥିଲେ। କ୍ଲାସେଁ ଏକା ୪୬ ବଲରୁ ୮୧ ରନ୍‌ର ପାଳି ଖେଳି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ତାଙ୍କ ଛଡ଼ା କେବଳ ଅଧିନାୟକ ତେମ୍ବା ବଭୂମା (୩୦ ବଲରୁ ୩୫ ରନ୍‌) ଲଢ଼ିଥିଲେ। ୧୪୯ ରନ୍ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ଅନାୟାସରେ ୧୦ ବଲ୍‌ ପୂର୍ବରୁ ଅତିକ୍ରମ କରିଯାଇଥିଲା। ଭାରତ ୪ ୱିକେଟରେ ପରାଜିତ ହୋଇ ପ୍ରତିଶୋଧ ନେବାର ସୁଯୋଗ ହାତଛଡ଼ା କରିଥିଲା। ଅଢ଼େଇ ବର୍ଷ ପରେ ବାରବାଟୀକୁ ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ଦେଖିବାକୁ ୪୫,୦୦୦ରୁ ଊର୍ଧ୍ବ ଦର୍ଶକ ବି ନିରାଶ ହୋଇଫେରିଯାଇଥିଲେ।

ଋଷଭ ପନ୍ତ୍‌ଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ସହିତ ନେତୃତ୍ବ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ମଧ୍ୟଭାଗ ଓଭର (୧୧ରୁ ୧୬) ଗୁଡିକରେ ସେ ଦଳର ଶ୍ରେଷ୍ଠ ତିନି ବୋଲର ଭୁବନେଶ୍ବର କୁମାର, ଅଭେସ୍‌ ଖାନ୍ ଏବଂ ହର୍ଷଲ୍ ପଟେଲଙ୍କୁୁ ବୋଲିଂ ଦେଇନଥିଲେ। ସ୍ପିନରଙ୍କୁ ପ୍ରହାର କରି ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ୟୁଝବେନ୍ଦ୍ର ଚହଲ୍‌, ଅକ୍ଷର ପଟେଲ୍‌ ମିଳିତ ଭାବେ ୫ ଓଭରରେ ୬୬ ରନ୍‌ ଦେଇ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ। ମ୍ୟାଚ୍‌ ବିଜୟୀ ତଥା ମନୋରଂଜନଭରା ପାଳି ପାଇଁ ହେନରିକ୍‌ କ୍ଲାସେଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କଟକରେ ଭାରତ ହାରିଯାଇଥିଲେ ମଧ୍ୟ ବରିଷ୍ଠତମ ବୋଲର ଭୁବନେଶ୍ବର କୁମାର ଓଡ଼ିଶା ପ୍ରଶଂସକଙ୍କୁ କିଛିଟା ଆଶା ଓ ଖୁସି ଦେଇଥିଲେ। ପ୍ରଥମରୁ ୩ ୱିକେଟ୍ ଦଖଲ କରି ଦକ୍ଷିଣ ଆଫ୍ରିକାକୁ ପାୱାର ପ୍ଲେ ସୁଦ୍ଧା ୨୯/୩ରେ ସଂଘର୍ଷ କରାଇଥିଲେ। ଶେଷକୁ ମ୍ୟାଚ୍‌ ଖସିଯିବା ପରେ ମଧ୍ୟ ଭୁବନେଶ୍ବର ଆଉ ଏକ ୱିକେଟ୍ ନେଇ ନିଜ ବାରବାଟୀର ଶ୍ରେଷ୍ଠ ବୋଲିଂ ଚିତ୍ର (୪-୦-୧୩-୪) ଅର୍ଜନ କରିଥିଲେ। ତିନୋଟି ସ୍ପେଲ୍‌ରେ ବୋଲିଂ କରିଥିବା ଭୁବିଙ୍କୁ ଋଷଭ ବୋଲିଂ କରାଇଥିଲେ ମଧ୍ୟ ହର୍ଷଲ୍ ପଟେଲ୍‌, ହାର୍ଦିକ ପାଣ୍ଡ୍ୟା ଏବଂ ଦୁଇ ସ୍ପିନର୍‌ ଅକ୍ଷର ଓ ଚହଲ୍‌ ପ୍ରଭାବହୀନ ସାବ୍ୟସ୍ତ ହେବା ଭାରତର ଅଲରାଉଣ୍ଡ୍ ବିଫଳତାକୁ ପଦାରେ ପକାଇଥିଲା।

ସମ୍ବନ୍ଧିତ ଖବର