ନୂଆଦିଲ୍ଲୀ: ଈଶାନ କିଶନଙ୍କ ଲଢ଼ୁଆ ଅର୍ଦ୍ଧଶତକ (୪୮ ବଲ୍‌ରୁ ୭୬ ରନ୍‌) ବଳରେ ୨୧୧ ରନ୍‌ ସ୍କୋର୍‌ କରିଥିବା ଭାରତକୁ ଅତି ସହଜରେ ୭ ୱିକେଟ୍‌ରେ ହରାଇ ଦେଇଛି ଦକ୍ଷିଣ ଆଫ୍ରିକା। ଏଥି ସହିତ ଭାରତର ବିଶ୍ବ କୀର୍ତ୍ତିମାନ ଅପରାଜେୟ ଟ୍ବେଣ୍ଟି-୨୦ ବିଜୟ ଧାରା ଅଟକି ଯାଇଛି। କ୍ରମାଗତ ୧୨ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ବିଜୟ ପାଇ ଆଫଗାନିସ୍ତାନ ଓ‌ ରୋମାନିଆ ସହ ଯୁଗ୍ମ କୀର୍ତ୍ତିମାନ କରିଥିବା ଭାରତ ଏହାକୁ ଆଗକୁ ନେଇପାରିନାହିଁ। ଅନ୍ୟପକ୍ଷରେ ଭାରତ ଗସ୍ତର ପ୍ରଥମ ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଆଇପିଏଲ୍‌ ବି‌ଜେତା ଗୁଜରାଟ ଟାଇଟନ୍ସ ଦଳର ଅନ୍ୟତମ ସଦସ୍ୟ ଡେଭିଡ୍‌ ମିଲର (୩୧ ବଲ୍‌ରୁ ୬୪*) ଏବଂ ସାଥି ରାଶି ଭାନ୍‌ ଡର୍‌ ଡସେନ (୪୬ ବଲ୍‌ରୁ ୭୫*) ଅତୁଟ ଚତୁର୍ଥ ୱିକେଟ୍‌ରେ ୧୧.୩ ଓଭରରୁ ୧୩୧ ରନ୍‌ ଯୋଡ଼ି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଭାନ୍‌ ଡର୍‌ ଡସେନ୍‌ ୩୦ ବଲ୍‌ରୁ ୨୯ ରନ୍‌ କରିଥିଲା ବେଳେ ଶ୍ରେୟସ ଆୟର ତାଙ୍କ କ୍ୟାଚ୍‌ ଛାଡ଼ିଥିଲେ। ଏହାପରେ ଭାନ୍‌ଡେର୍‌ ପରବର୍ତୀ ୧୬ ବଲ୍‌ରୁ ୪୬ ରନ୍‌ କରି ସବୁ ଓଲଟପାଲଟ କରିଦେଇଥିଲେ। କ୍ବିଣ୍ଟନ୍‌ ଡି’କକ୍‌, ତେମ୍ବା ବଭୂମା, ଡ୍ବାଇନ୍ ପ୍ରିଟୋରିୟସ୍‌ ଭଲ ଖେଳିଥିଲେ ମଧ୍ୟ ସଅଳ ଆଉଟ୍ ହୋଇଯାଇଥିଲେ। ୫ ବଲ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ୩ ୱିକେଟ୍‌ ହରାଇ ୨୧୨ ରନ୍‌ ସଂଗ୍ରହ କରିନେଇଥିଲା। ପୂର୍ବରୁ ଈଶାନ୍ କିଶନଙ୍କ ସହ ଋତୁରାଜ ଗାଏକ୍ବାଡ (୧୫ ବଲ୍‌ରୁ ୨୩ ରନ୍‌), ଶ୍ରେୟସ ଆୟର୍ (୨୭ ବଲ୍‌ରୁ ୩୬ ରନ୍‌), ହାର୍ଦିକ ପାଣ୍ଡ୍ୟା (୧୨ ବଲ୍‌ରୁ ୩୧* ରନ୍‌) ପ୍ରମୁଖ ଉପଯୋଗୀ ଅବଦାନ ଦେବାରୁ ଭାରତ ୨୧୧ ରନ୍‌ କରିଥିଲା। ଶେଷରେ କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି ପ୍ରମାଣିତ ହୋଇଥିଲା। କ୍ୟାଚ୍‌ ହାତଛଡ଼ା ମଧ୍ୟ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଡେଭିଡ୍‌ ମିଲର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Advertisment

ଦକ୍ଷିଣ ଆଫ୍ରିକା ମଧ୍ୟ ନିଜ ଟ୍ବେଣ୍ଟି-୨୦ ଇତିହାସରେ ସର୍ବୋଚ୍ଚ ପଶ୍ଚାତଧାବନ (୨୧୨) ବିଜୟ ହାସଲ କରିଛି। ଭାରତ ବିପକ୍ଷରେ ମଧ୍ୟ ଏହା ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ। ଏହି ମ୍ୟାଚ୍‌ ଅବସରରେ ଋଷଭ ପନ୍ତ ଭାରତର ଦ୍ବିତୀୟ ସର୍ବକନିଷ୍ଠ ଟ୍ବେଣ୍ଟି-୨୦ ଅଧିନାୟକ ହୋଇଥିଲେ। ସୁରେଶ ରାଇନା ୨୩ ବର୍ଷ ୧୯୭ ଦିନରେ ଭାରତର ନେତୃତ୍ବ ନେଇଥିଲେ। ପନ୍ତ୍‌ ୨୪ ବର୍ଷ ୨୪୮ ଦିନରେ ଏହି ସୁଯୋଗ ପାଇଛନ୍ତି। ପନ୍ତ୍ କିନ୍ତୁ ନିଜ ଆଦର୍ଶ ମହେନ୍ଦ୍ର ସିଂହ ଧୋନି (୨୬ ବର୍ଷ ୬୮ ଦିନ)ଙ୍କୁ ପଛରେ ପକାଇଥିଲେ।

ମର୍କରାମ କୋଭିଡ୍‌ ସଂକ୍ରମିତ: ପ୍ରଥମ ମ୍ୟାଚ୍‌ରୁ ବାଦ୍‌

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳର ପ୍ରମୁଖ ବ୍ୟାଟର୍‌ ଏଦେନ ମର୍କରାମ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବାରୁ ଗୁରୁବାର ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ। ଜୁନ୍‌ ୨ ତାରିଖରେ ଭାରତରେ ପହଞ୍ଚିବା ପରେ ଦଳର ଅନ୍ୟ ସଦସ୍ୟଙ୍କ ସହିତ ମର୍କରାମ ମଧ୍ୟ ଗତ ସପ୍ତାହରେ ପ୍ରଥମ ରାଉଣ୍ଡ ପରୀକ୍ଷାରେ ନେଗେଟିଭ୍‌ ଆସିଥିଲେ। ହେଲେ ଦ୍ବିତୀୟ ରାଉଣ୍ଡ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା କହିଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ମର୍କରାମ ଖେଳିଥିଲେ। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଯୁବ ତାରକା ତ୍ରିଷ୍ଟାନ୍‌ ‌ଷ୍ଟବ୍‌ସଙ୍କୁ ପଦାର୍ପଣ ସୁଯୋଗ ଦେଇଛି।