ଦ୍ବିତୀୟ ଦିନିକିଆରେ ଭାରତ ୭ ୱିକେଟ୍‌ରେ ପରାସ୍ତ: ଶୃଙ୍ଖଳା ଜିତିଲା ଦକ୍ଷିଣ ଆଫ୍ରିକା

ଧୋନି ଓ ଦ୍ରାବିଡଙ୍କୁ ଟପିଲେ ପନ୍ତ୍‌

ପାର୍ଲ: ପ୍ରାରମ୍ଭିକ ଯୋଡ଼ି ଜାନେମନ ମଲାନ୍‌ ଏବଂ କ୍ବିଣ୍ଟନ ଡି’ କକ୍‌ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ପ୍ରଥମ ୱିକେଟ୍‌ରେ ୧୩୨ ରନ୍‌ର ଭାଗୀଦାରି ହିଁ ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତକୁ ପରାଜୟ ପାଇଁ ଯଥେଷ୍ଟ ଥିଲା। ଡି’ କକ୍‌ଙ୍କ ବିଦାୟ ପରେ ମଲାନଙ୍କ ସହ ଅଧିନାୟକ ତେମ୍ବା ବଭୂମା ଦ୍ବିତୀୟ ୱିକେଟ୍‌ରେ ୮୦ ରନ୍ ଯୋଡ଼ିବାରୁ ୩୫ ଓଭର ବେଳକୁ ଘରୋଇ ଦଳ ୨୧୨/୨ କରି ବିଜୟ ସୁନିଶ୍ଚିତ କରିଥିଲା। ଭାରତୀୟ ବୋଲର ବିଶେଷ ପ୍ରଭାବ ବିସ୍ତାର କରିପାରିନଥିଲା ବେଳେ ଐଦେନ ମର୍କରାମ ଓ ରାସି ଭାନ୍‌ଡେର୍‌ ଦୁସେନ୍‌ ଅତୁଟ ଚତୁର୍ଥ ୱିକେଟ୍‌ରେ ୭୪ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ମାତ୍ର ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତିନେଇଥିଲା। ଏଥି ସହିତ ୨-୦ର ଅଗ୍ରଣୀ ସହ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିନେଲା। ପୁଣି ପାର୍ଲରେ ଗତ ୧୫ ମ୍ୟାଚ୍‌ ପରେ ଏହା ସର୍ବୋଚ୍ଚ ପିଛା ବିଜୟ ଥିଲା। ଶେଷ ଥର ପାଇଁ ୨୦୦୧ରେ ଶ୍ରୀଲଙ୍କା ବିପକ୍ଷରେ ୨୫୦ ରନ୍‌ର ପିଛା କରି ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। କ୍ବିଣ୍ଟନ ଡି’ କକ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅନ୍ୟପକ୍ଷରେ ରାହୁଲ ମଧ୍ୟ ଅଧିନାୟକ ଭାବେ ନିଜ ପ୍ରଥମ ଦୁଇ ମ୍ୟାଚ୍‌ ହାରି ଅଜିତ ୱାଦେକର, ଦିଲିପ ଭେଙ୍କ୍‌ସର୍‌କାର, କେ ଶ୍ରୀକାନ୍ତ ଏବଂ ମହମ୍ମଦ ଆଝାରଉଦ୍ଦିନ୍‌ଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି।

କେଏଲ୍‌ ରାହୁଲଙ୍କ ନେତୃତ୍ବରେ ଭାରତ ଆଜି ବିନା ପରିବର୍ତ୍ତନରେ ଦ୍ବିତୀୟ ଦିନିକିଆକୁ ଓହ୍ଲାଇଥିଲା। ଆଜି କିନ୍ତୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନେତୃତ୍ବ ଛାଡ଼ିବା ପରେ ଜଣେ ଖେଳାଳି ଭାବେ ଖେଳୁଥିବା ପୂର୍ବ ଅଧିନାୟକ ବିରାଟ କୋହଲି କିନ୍ତୁ ନିରାଶ କଲେ। ସେ ଖାତା ଖୋଲିପାରିନଥିଲେ। ହେଲେ ପ୍ରାରମ୍ଭିକ ଯୋଡ଼ି ରାହୁଲ ଏବଂ ଶିଖର ଧାୱନ୍‌ ପ୍ରଥମ ୱିକେଟ୍‌ରେ ୬୩ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ଧାୱନ୍‌ ଓ କୋହଲି ୬ ବଲ୍‌ ବ୍ୟବଧାନର ପାଭିଲିୟନ୍‌ ଫେରିଯିବା ଭାରତକୁ ସଂଘର୍ଷ କରାଇଥିଲା। ଏହାପରେ ଅଧିନାୟକଙ୍କ ସହ ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଦଳକୁ ଦୃଢ଼ ସ୍ଥିତି ଆଡ଼କୁ ଆଗେଇ ନେଇଥିଲେ। ଦୁହେଁ ନିଜ ନିଜର ଅର୍ଦ୍ଧଶତକ ବି ପୂରଣ କରିଥିଲେ। ଫଳରେ ୩୧ ଓଭର ଶେଷ ସୁଦ୍ଧା ଭାରତ ୨ ୱିକେଟ୍‌ ବିନିମୟରେ ୧୭୯ ରନ୍‌ କରି ୩୦୦ ସ୍କୋର୍‌ ପାରିହେବାର ସମ୍ଭାବନା ସୃଷ୍ଟି କରିଥିଲା। ରାହୁଲ (୫୫, ୭୯ ବଲ୍‌, ୪ ଚୌକା) ଓ ପନ୍ତ୍‌ (୮୫, ୭୧ ବଲ୍‌, ୧୦ ଚୌକା, ୨ ଛକା) ତୃତୀୟ ୱିକେଟ୍‌ରେ ୧୯ ଓଭରରୁ ୧୧୫ ରନ୍ ଯୋଡ଼ିଥିଲେ। ପନ୍ତ ଆଉଟ୍‌ ହେବା ପୂର୍ବରୁ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ଦିନିକିଆ ସ୍କୋର୍‌ କରିଥିଲେ। ସେ ମଧ୍ୟ ତାଙ୍କର ଚତୁର୍ଥ ଦିନିକିଆ ଅର୍ଦ୍ଧଶତକ ହାସଲ କରିନେଇଥିଲେ। ହେଲେ ୩୨ତମ ଓଭରର ପ୍ରଥମ ବଲ୍‌ରେ ରାହୁଲ ଏବଂ ୮ ବଲ୍‌ ବ୍ୟବଧାନରେ ପନ୍ତ୍‌ ଆଉଟ୍‌ ହୋଇଯିବାରୁ ଭାରତ ପୁଣି ଥରେ ସଂଘର୍ଷ କରିବାକୁ ବାଧ୍ୟ ହୋଇଥିଲା। ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟର ପୁଣି ନିରାଶ କରିଥିଲେ। ତଥାପି ନିମ୍ନକ୍ରମରେ ଶାର୍ଦୁଳ ଠାକୁର ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଚମତ୍କାର ବ୍ୟାଟିଂ କରି ଦଳକୁ ୨୮୭ ରନ୍‌ର ସମ୍ମାନଜନକ ସ୍କୋର୍‌ ଦେଇଥିଲେ। ଦୁହେଁ ଅତୁଟ ସପ୍ତମ ୱିକେଟ୍‌ରେ ୩୧ ବଲ୍‌ରୁ ୪୮ ରନ୍‌ ଯୋଡ଼ିଥିଲେ। ପ୍ରଥମ ମ୍ୟାଚ୍‌ରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ଶାର୍ଦୁଳ ଆଜି ୪୦ (୩୮ ବଲ୍‌, ୩ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହି ଭାରତ ପାଇଁ ନିମ୍ନକ୍ରମରେ ଜଣେ ସଂପତ୍ତି ବୋଲି ପ୍ରମାଣିତ କରିଦେଇଥିଲେ। ଅଶ୍ବିନ ୨୪ ବଲ୍‌ରୁ ଗୋଟିଏ ଲେଖାଁଏ ଚୌକା ଓ ଛକା ସହାୟତାରେ ୨୫ ରନ୍‌ କରିଥିଲେ।

ଧୋନି ଓ ଦ୍ରାବିଡଙ୍କୁ ଟପିଲେ ପନ୍ତ୍‌

ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଅବସରରେ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଏକ ଭାରତୀୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ୨୩ ବର୍ଷ ବୟସ୍କ ଯୁବ ତାରକା ପ୍ରଥମ ଶତକରୁ ବଞ୍ଚିତ ରହିଥିଲେ ମଧ୍ୟ ୮୫ ରନ୍‌ର ଦମ୍‌ଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହି ଅବସରରେ ସେ ଭାରତୀୟ ୱିକେଟ୍‌ରକ୍ଷକ ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବାରେ ମହେନ୍ଦ୍ର ସିଂହ ଧୋନି ଏବଂ ରାହୁଲ ଦ୍ରାବିଡ୍‌ଙ୍କୁ ଟପି ଯାଇଥିଲେ। ଦ୍ରାବିଡ୍‌ ୨୦୦୧ରେ ଡର୍ବାନ୍‌ରେ ସର୍ବାଧିକ ୭୭ ରନ୍‌ କରିଥିଲା ବେଳେ ଧୋନି ୨୦୧୩ରେ ଜୋହାନେସ୍‌ବର୍ଗରେ ୬୫ ରନ୍‌ କରିଥିଲେ। ହେଲେ ପନ୍ତ ପାର୍ଲରେ ୮୫ ରନ୍‌ କରି ଦୁଇ ପୂର୍ବତନ ଅଧିନାୟକଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ ଅର୍ଦ୍ଧଶତକ ଜମାଇବାରେ ପନ୍ତ୍‌ ମଧ୍ୟ ବିଶ୍ବର ଷଷ୍ଠ ତଥା କୁମାର ସାଙ୍ଗାକାରାଙ୍କ ପରେ ଦ୍ବିତୀୟ ଏସୀୟ ୱିକେଟ୍‌ରକ୍ଷକ ହୋଇଛନ୍ତି।

 

ସମ୍ବନ୍ଧିତ ଖବର