ମେହିଦି ମ୍ୟାଜିକ୍‌ରେ ଶୃଙ୍ଖଳା ହାରିଲା ଭାରତ: ଦ୍ବିତୀୟ ଦିନିକିଆକୁ ୫ ରନ୍‌ରେ ଜିତିଲା ବାଂଲାଦେଶ

ମିରପୁର: ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୫ ରନ୍‌ରେ ଜିତି ଘରୋଇ ବାଂଲାଦେଶ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ଆଗୁଆ ୨-୦ରେ କବ୍‌ଜା କରିନେଇଛି। ପ୍ରଥମ ମ୍ୟାଚ୍‌ରେ ଅପରାଜିତ ୩୮ ରନ୍‌ କରି ଦଳକୁ ଜିତାଇଥିବା ମେହିଦି ହାସନ ମିରାଜ ଦ୍ବିତୀୟ ଦିନିକିଆରେ ଶତକୀୟ ପାଳି ଖେଳିବା ସହ ୨ ୱିକେଟ୍‌ ନେଇ ଏହି ବିଜୟର ପ୍ରମୁଖ ଭୂମିକା ତୁଲାଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ବୁଧବାର ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭାରତୀୟ ବୋଲିଂକୁ ସାମ୍ନା କରିନପାରି ବାଂଲା‌ ଦଳ ୬୯ ରନ୍‌ରେ ୬ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରଥମ ୬ ୱିକେଟ୍‌କୁ ୱାସିଂଟନ ସୁନ୍ଦର (୩), ମହମ୍ମଦ ସିରାଜ (୨) ଓ ଉମ୍ରାନ ମଲିକ (୧) ବାଣ୍ଟି ନେଇଥିଲେ। ଏହାପରେ ବ୍ୟାଟିଂକୁ ଆସିଥିବା ମହମୁଦୁଲ୍ଲା (୭୭)ଙ୍କ ସହ ମିଶି ମେହିଦି ସପ୍ତମ ୱିକେଟ୍‌ରେ ୧୪୮ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌କୁ ୨୦୦ ପାର୍‌ କରିଥିଲେ।

ଭାରତ ବିପକ୍ଷରେ ବାଂଲାଦେଶର ଏହା ସର୍ବୋଚ୍ଚ ଭାଗୀଦାରି। ମହମୁଦୁଲ୍ଲାଙ୍କୁ ଉମ୍ରାନ ଆଉଟ୍‌ କରି ‌ଏହି ଯୋଡ଼ି ଭାଙ୍ଗିଥିଲେ। ହେଲେ ମେହିଦି (୧୦୦*, ୮୩ ବଲ୍‌, ୮ ଚୌକା, ୪ ଛକା) ଶତକ ଅର୍ଜନ କରିବା ସହ ଅ‌ଷ୍ଟମ ୱିକେଟ୍‌ରେ ନସୁମ ଅହମଦ (୧୮*)ଙ୍କ ସହ ୫୮ ରନ୍‌ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍‌ ୨୭୧/୭ରେ ପହଞ୍ଚାଇଥିଲେ। ମେହିଦିଙ୍କ ଏହା ପ୍ରଥମ ଦିନିକିଆ ଶତକ। ଏଥିସହ ସେ ୮ ନମ୍ବରରେ ବ୍ୟାଟିଂକୁ ଆସି ଶତକ ହାସଲ କରିବାରେ ଦ୍ବିତୀୟ ଅନ୍ତର୍ଜାତୀୟ ଖେଳାଳି ହୋଇଥିଲେ। ‌ପୂର୍ବରୁ ଆୟର୍ଲାଣ୍ଡର ସାମି ସିଂହ (୨୦୨୧, ଦକ୍ଷିଣ ଆଫ୍ରିକା) ପ୍ରଥମ ବ୍ୟାଟର୍‌ ଭାବେ ୮ ନମ୍ବରରେ ଶତକ ଅର୍ଜନ କରିଥିଲେ।

ଜବାବରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦୁଇ ଓପନର୍‌ ବିରାଟ କୋହଲି (୫) ଓ ଶିଖର ଧାୱନ (୮) ଦୁଇ ଅଙ୍କ ଛୁଇଁବା ପୂର୍ବରୁ ଆଉଟ୍‌ ହୋଇଥିଲେ। ବ୍ୟାଟିଂ ପଦୋନ୍ନତି ପାଇ ଆଗୁଆ ଆସିଥିବା ୱାସିଂଟନ ସୁନ୍ଦର (୧୧) ଓ କେଏଲ୍‌ ରାହୁଲ (୧୪) କ୍ରିଜ୍‌ରେ ବେଶି ସମୟ ତିଷ୍ଟି ରହିପାରିନଥିଲେ। ଫଳରେ ଦଳ ୬୫ ରନ୍‌ରେ ଆଗଧାଡ଼ିର ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଶ୍ରେୟସ ଆୟର (୮୨) ଓ ଅକ୍ଷର ପଟେଲ (୫୬) ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ପଞ୍ଚମ ୱିକେଟ୍‌ରେ ୧୦୭ ରନ୍‌ ଯୋଡ଼ି ଆଶା ସଞ୍ଚାର କରିଥିଲେ। ଉଭୟ ୧୭ ରନ୍‌ ମଧ୍ୟରେ ଆଉଟ୍‌ ହୋଇଯିବାରୁ ଭାରତର ଆଶା ମଳିନ ପଡ଼ିଥିଲା। ଆହତ ଯୋଗୁଁ ନବମ ସ୍ଥାନରେ ବ୍ୟାଟିଂ ଆସିଥିବା ଅଧିନାୟକ ରୋହିତ ଶର୍ମା (୫୧, ୨୮ ବଲ୍‌, ୩ ଚୌକା, ୫ ଛକା) ବିସ୍ଫୋରକ ଅର୍ଦ୍ଧଶତକ ଜମାଇଥିଲେ ମଧ୍ୟ ଦଳକୁ ଜିତାଇବାରେ ବିଫଳ ହୋଇଥିଲେ। ବାଂଲାଦେଶ ପକ୍ଷରୁ ଏବାଦତ ‌ହୋସେନ ୩ ଏବଂ ମେହିଦି ଓ ସାକିବ ଅଲ୍‌ ହାସନ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର