ଅନ୍ତିମ ଦୁର୍ଗରେ ପୁଣି ଅସଫଳ: କେପ୍‌ଟାଉନ୍ ଟେଷ୍ଟ୍‌କୁ ୭ ୱିକେଟ୍‌ରେ ହାରିଲା ଭାରତ

୨-୧ରେ ଶୃଙ୍ଖଳା ଜିତିଲା ଦକ୍ଷିଣ ଆଫ୍ରିକା

କେପଟାଉନ୍ : ଅନ୍ତିମ ଦୁର୍ଗ ଦଖଲରେ ଭାରତ ପୁଣି ଥରେ ଅସଫଳ ହୋଇଛି। କେପ୍‌ଟାଉନ୍‌ରେ ବିଜୟ ଶୂନ୍ୟ ରହିବାର ଅଲୋଡ଼ା ଇତିହାସକୁ ଜାରି ରଖି ଏଠାରେ ଖେଳାଯାଇଥିବା ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଟେଷ୍ଟ୍‌କୁ ଭାରତ ୭ ୱିକେଟ୍‌ରେ ହାରିଯାଇଛି। ଫଳରେ ତିନି ଟିକିଆ ଶୃଙ୍ଖଳାକୁ ୧-୨ରେ ହାରିଛି। ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟ୍‌କୁ ଜିତି ୧-୦ରେ ଆଗୁଆ ରହିବା ସତ୍ତ୍ବେ ଜୋହାନେସବର୍ଗ ଓ କେପ୍‌ଟାଉନରେ ଦ୍ବିତୀୟ ଓ ତୃତୀୟ ଟେଷ୍ଟ୍‌କୁ ହାରି ଦକ୍ଷିଣ ଆଫ୍ରିକାରେ ଆଉ ଏକ ଶୃଙ୍ଖଳା ହାରିବାର ଅପଯଶକୁ ପୁଣି ଥରେ ମୁଣ୍ଡାଇଛି। ଟେଷ୍ଟ୍ କ୍ରିକେଟ୍‌ରେ ଏଭଳି ଘଟଣା ଭାରତ ସହ ଷଷ୍ଠ ଥର ଘଟିଛି।

ଭାରତ ଏହା ପୂର୍ବରୁ ୧୯୮୪-୮୫ରେ ଇଂଲଣ୍ଡ (ଘରେ), ୨୦୦୨ରେ ୱେଷ୍ଟଇଣ୍ଡିଜ୍ (ବାହାରେ), ୨୦୦୬-୦୭ରେ ଦକ୍ଷିଣ ଆଫ୍ରିକା (ବାହାରେ), ୨୦୧୨-୧୩ରେ ଇଂଲଣ୍ଡ (ଘରେ), ୨୦୧୪ (ବାହାରେ)ରେ ଇଂଲଣ୍ଡଠାରୁ ଏହିଭଳି ଭାବେ ଶୃଙ୍ଖଳା ହାରିସାରିଛି। ୧୯୯୨ରେ ପ୍ରଥମ ଗସ୍ତ କରିବା ପରଠାରୁ ଭାରତର ଗତ ୨୯ ବର୍ଷ ଧରି ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ବିଜୟ ହାସଲ କରିବାର ପ୍ରତୀକ୍ଷା ବି ଆହୁରି ଲମ୍ବି ଯାଇଛି। ଅନଭିଜ୍ଞ ହେଲେ ଉତ୍ସାହୀ ଓ ଆତ୍ମବିଶ୍ବାସରେ ଭରପୁର ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ବିଶ୍ବର ଏକନମ୍ବର ଟେଷ୍ଟ୍ ଦଳ ବିପକ୍ଷରେ ଲଗାତାର ଦୁଇଟି ଟେଷ୍ଟ୍ ଜିତି ଶୃଙ୍ଖଳାକୁ କବଜା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଅନ୍ୟପକ୍ଷରେ ତାରକା ଖଚିତ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ସାଢ଼େ ତିନି ଦିନ ଭିତରେ ଅନ୍ୟତମ ପ୍ରସିଦ୍ଧ ଓ ଉତ୍ତେଜନା ପ୍ରବଣ ବିଜୟ ହାସଲ କରିବାର ସୁଯୋଗ ଦେଇ ଘୋର ନିରାଶା ଓ ଦୁଃଖର ସହ ଟେଷ୍ଟ୍ ପର୍ଯ୍ୟାୟ ଶେଷ କରିଛି। ଯୁବ ତାରକା କିଗାନ ପିଟରସନଙ୍କ ଯୁଗଳ ଅର୍ଦ୍ଧଶତକ ବଳରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ସ୍ମରଣୀୟ ବିଜୟ ହାସଲ କରିବା ସହ ଏଠାରେ ନିଜ ଆଧିପତ୍ୟ ଧାରାକୁ ଅତୁଟ ରଖି ଶୃଙ୍ଖଳା ବିଜୟର ମିଠାମିଠା ସ୍ବାଦ ଚାଖିଛି।

ଋଷଭ ପନ୍ତଙ୍କ ପରାକ୍ରମୀ ଶତକ ଛଡ଼ା‌ ଦ୍ବିତୀୟ ପାଳିରେ ଅନ୍ୟସମସ୍ତ ଭାରତୀୟ ବ୍ୟାଟର୍‌ ଘରୋଇ ବୋଲରଙ୍କ ଆଗରେ ଅପ୍ରତ୍ୟାଶିତ ଭାବେ ଆତ୍ମସମର୍ପଣ କରିବା ପରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ମାତ୍ର ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଗୁରୁବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ବିନିମୟରେ ୧୦୨ ରନ୍ କରି ନେଇ ଦକ୍ଷିଣ ଆଫ୍ରିକା ଏକପ୍ରକାର ବିଜୟର ଦ୍ବାର ଦେଶରେ ପହଞ୍ଚି ଯାଇଥିଲା‌। ଗୁରୁବାର ଆଉ ଗୋଟିଏ ୱିକେଟ୍ ହରାଇ ବିଜୟର ଔପଚାରିକତା ପୂରଣ କରିଥିଲା ଏହି ଦଳ। ଏକମାତ୍ର ୱିକେଟ୍ ଭାବେ ପିଟରସନ୍ ୮୨ ରନ୍‌ରେ ଆଉଟ୍ ହୋଇଥିଲେ। ତେବେ ଏହା ପୂର୍ବରୁ ନିଜ ଲଢ଼ୁଆ ପାଳି ବଳରେ ଦକ୍ଷିଣ ଆଫ୍ରିକା ବିଜୟକୁ ସୁନିଶ୍ଚିତ କରିଦେଇଥିଲେ ସେ। ପିଟରସନ୍ ୧୫୫ ରନ୍‌ର ଦଳୀୟ ସ୍କୋରରେ ଆଉଟ୍ ହେବା ପରେ ରସେ ଭାନଡର ଦୁସେନ (୪୧) ଓ ତେମ୍ବା ବଭୁମା (୩୨) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୫୭ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍ ଓ ଶୃଙ୍ଖଳା ବିଜୟ ଉପହାର ଦେଇଥିଲ। ରବି ଚନ୍ଦ୍ରନ୍ ଅଶ୍ବିନଙ୍କୁ ଚୌକା ମାରି ବଭୁମା ଦକ୍ଷିଣ ଆଫ୍ରିକା ବିଜୟରେ ମୁଣ୍ଡି ମାରିଥିଲେ। ତା’ ସହ ଘରୋଇ ଦଳର ଗ୍ରିନ୍ ରୁମ୍ ଉତ୍ସବ ମୁଖର ହୋଇଯାଇଥିଲା। ଆଶାଜନକ ଭାବେ ପିଟରସନ୍ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର