ବ୍ୟାଡ୍‌ମିଣ୍ଟନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ବର୍ମିଂହାମ : କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରି ସାରିଥିବା ବିଜେତା ଭାରତୀୟ ମିଶ୍ରିତ ବ୍ୟାଡ୍‌ମିଣ୍ଟନ୍‌ ଦଳ ତା’ର‌ ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିଛି। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ପ୍ରଥମେ ପାକିସ୍ତାନକୁ ୫-୦ ଏବଂ ଦ୍ବିତୀୟରେ ଶ୍ରୀଲଙ୍କାକୁ ୫-୦ରେ ହରାଇ କ୍ବାର୍ଟର ଫାଇନାଲ୍‌ ନିଶ୍ଚିତ କରିଥିଲା। ତେବେ ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଏହି ଗ୍ରୁପ୍‌ର ଶୀ‌ର୍ଷ ଦଳ ହୋଇଛି। ପୁରୁଷ ଏକକରେ ବିଶ୍ବ ‌ରୌପ୍ୟ ବିଜେତା କିଦାମ୍ବି ଶ୍ରୀକାନ୍ତ ୨୧-୧୪, ୨୧-୧୩ରେ ଲିନ୍‌ ଜିଆଙ୍ଗ ୟିଙ୍ଗୁ ହରାଇ ଭାରତକୁ ୧-୦ରେ ଅଗ୍ରଣୀ ଦେଇଥିଲେ। ମହିଳା ଏକକରେ ଦୁଇ ଥରର ଅଲିମ୍ପିକ୍‌ ବିଜୟିନୀ ପିଭି ସିନ୍ଧୁ ୨୧-୧୦, ୨୧-୧୨ରେ ସୁଆନ-ୟୁ ୱେନ୍ଦିଙ୍କୁ ମାତ୍‌ ଦେଇ ୨-୦ କରିଥିଲେ। ପ୍ରଥମ ପୁରୁଷ ଯୁଗଳରେ ସୁମିତ ରେଡ୍ଡୀ ଓ ଚିରାଗ ସେଟ୍ଟୀ ୨୧-୧୬, ୨୧-୧୯ରେ ତ୍ରାନ ହୋଆଙ୍ଗ ଫାମ ଓ ଜାକ ୟୁଙ୍କୁ ପରାସ୍ତ କରିଥିଲେ। ତେବେ ମହିଳା ଯୁଗଳରେ ତ୍ରେସା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ୧୩-୨୧, ୧୯-୨୧ରେ ‌ଚେନ୍‌ ସୁଆନ୍‌-ୟୁ ୱେନ୍ଦି ଓ ଗ୍ରୋନ୍ୟା ସୋମରଭିଲେଙ୍କଠୁ ହାରି ଯିବାରୁ ସ୍ଥିତି ୩-୧ ହୋଇଥିଲା। ଶେଷ ମ୍ୟାଚ୍‌ରେ ବି ସୁମିତ ରେଡ୍ଡୀ ଓ ଅଶ୍ବିନୀ ପୋନ୍ନାପ୍ପାଙ୍କୁ ନେଇ ଗଠିତ ମିଶ୍ରିତ ଦଳ ଜିତିବା ସହ ସ୍ଥିତି ୪-୧ କରିଥିଲେ।

ସନ୍ତରଣ: ପୁରୁଷ ୫୦ ମିଟର ବ୍ୟାକ୍‌‌‌ଷ୍ଟ୍ରୋକ୍‌ ସେମିରେ ଶ୍ରୀହରି
ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ୫୦ ମିଟର ବ୍ୟାକ୍‌‌ଷ୍ଟ୍ରୋକ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୨୧ ବର୍ଷୀୟ ଏହି ବେଙ୍ଗାଲୁରୁ ‌ଯୁବକ ୨୧.୫୨ ସେକେଣ୍ଡରେ ରେସ୍‌ ଶେଷ କରି ହିଟ୍‌ରେ ଦ୍ବିତୀୟ ଏବଂ ମୋଟରେ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ। ଏହା ପୂର୍ବରୁ ଶ୍ରୀହରି ମଧ୍ୟ ୧୦୦ ମିଟରରେ ସପ୍ତମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ପୁରୁଷ ୨୦୦ ମିଟର ବଟରଫ୍ଲାଏରେ ସାଜନ ପ୍ରକାଶ (୧:୫୮.୯୯) ହିଟ୍‌ରେ ଚତୁର୍ଥ ସ୍ଥାନରେ ରହିଥିଲେ।

ମୁଷ୍ଟିଯୁଦ୍ଧ: ମହିଳା ୫୦ କେଜି କ୍ବାର୍ଟରରେ ନିଖତ
ବିଶ୍ବ ବିଜୟିନୀ ନିଖତ ଜରିନ ମହିଳା ମୁଷ୍ଟିଯୁଦ୍ଧ ୫୦ କେଜି ବର୍ଗର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ରବିବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ମୋଜାବିକ୍‌ର ହେରେନା ଇମାଇଲ ବାଗାଓଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ଜରିନ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ନ୍ୟୁଜିଲାଣ୍ଡର ଟ୍ରୟ ଗାର୍ଟନଙ୍କୁ ଭେଟିବେ। ତେବେ ପୁରୁଷ ୬୩.୫ କେଜି ବର୍ଗରୁ ଶିବ ଥାପ୍ପା ବିଦାୟ ନେଇଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ୧-୪ରେ ସ୍କଟଲାଣ୍ଡର ରିସି ଲିଞ୍ଚଙ୍କଠୁ ପରାସ୍ତ ହୋଇଥିଲେ।

ଟିଟି: ସେମିରେ ଭାରତୀୟ ପୁରୁଷ ଦଳ
ସାଥିୟାଁ ଜ୍ଞାନଶେକରନ, ଅଚନ୍ତ ଶରତ କମଲ ଓ ହର୍ମିତ ଦେଶାଇଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଟେବୁଲ ଟେନିସ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୩-୦ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଯୁଗଳରେ ହର୍ମିତ ଓ ସାଥିୟାଁ ୧୧-୮, ୧୧-୬, ୧୧-୨ରେ ରାମହିମଲିଆନ୍‌ ବାୱମ ଓ ମୋହୁତାସିନ ରେଡୟଙ୍କୁ ହରାଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ଏକକରେ ଶରତ ୧୧-୪, ୧୧-୭, ୧୧-୨ରେ ମହମ୍ମଦ ସାବିରଙ୍କୁ ଏବଂ ସାଥିୟାଁ ୧୧-୨୧, ୧୧-୩, ୧୧-୫ରେ ରେଡୟଙ୍କୁ ମାତ୍‌ ଦେଇଥିଲେ। ପୂର୍ବରୁ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ବାର୍ବାଡସ, ସିଙ୍ଗାପୁର ଓ ନର୍ଦନ ଆୟର୍ଲାଣ୍ଡକୁ ହରାଇ କ୍ବାର୍ଟର ଫାଇନାଲ୍‌ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର