ମହିଳା ଟ୍ବେଣ୍ଟି-୨୦: ଅଷ୍ଟ୍ରେଲିଆକୁ ସୁପର୍‌ ଓଭରରେ ହରାଇଲା ଭାରତ

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମହିଳା ଟ୍ବେଣ୍ଟି-୨୦ରେ ଭାରତ ସୁପର୍‌ ଓଭରରେ ବିଜୟୀ ହୋଇଛି। ଏଥି ସହିତ ୫ ମ୍ୟାଚ୍‌ ଶୃଙ୍ଖଳାକୁ ହର୍ମନପ୍ରୀତ୍‌‌ କୌରଙ୍କ ଦଳ ୧-୧ ସ୍ତରକୁ ନେଇଆସିଛି। ଉଭୟ ଦଳ ୧୮୭ ରନ୍‌ ସଂଗ୍ରହ କରି ମ୍ୟାଚ୍‌ ଟାଇ କରିଥିଲେ। ସୁପର୍‌ ଓଭରରେ ଭାରତ ୧ ୱିକେଟ୍‌ ବିନିମୟରେ ୨୦ ରନ୍‌ ସଂଗ୍ରହ କରିବା ପରେ ଅଷ୍ଟ୍ରେଲିଆକୁ ୧୬/୧ରେ ରୋକି ଦେଇଥିଲା। ଫଳରେ ଭାରତ ୪ ରନ୍‌ରେ ରୋମାଞ୍ଚକ ବିଜୟ ହାସଲ କରିଥିଲା। ଏହି ଫଳାଫଳ ସହିତ ୨୦୨୨ରେ ଅଷ୍ଟ୍ରେଲିଆ ପ୍ରଥମ ପରାଜୟ ବରଣ କରିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ଘରୋଇ ମାଟିରେ ଅଷ୍ଟମ ମୁକାବିଲାରୁ ଦ୍ବିତୀୟ ବିଜୟ ଥିଲା। ମୋଟ ଉପରେ ୨୭ ମ୍ୟାଚ୍‌ରୁ ଭାରତ ମାତ୍ର ସପ୍ତମ ବିଜୟ ପାଇଛି।

ପୂର୍ବରୁ ବେଥ୍ ମୁନି (୫୪ ବଲ୍‌ରୁ ୮୨* ରନ୍‌ ) ଏବଂ ତାହିଲା ମ୍ୟାକଗ୍ରା (୫୧ ବଲ୍‌ରୁ ୭୦* ରନ୍‌)ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୧ ୱିକେଟ୍ ହରାଇ ୧୮୭ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଏକମାତ୍ର ୱିକେଟ୍ ନେଇଥିଲେ ଦୀପ୍ତି ଶର୍ମା। ଜବାବରେ ସ୍ମୃତି ମନ୍ଧାନା (୪୯ ବଲ୍‌ରୁ ୭୯ ରନ୍, ୯ ଚୌକା, ୪ ଛକା), ଶେଫାଳି ବର୍ମା (୨୯ ବଲ୍‌ରୁ ୩୪ ରନ୍‌), ହର୍ମନପ୍ରୀତ୍ କୌର୍ (୨୨ ବଲ୍‌ରୁ ୨୧ ରନ୍‌) ଚମତ୍କାର ଖେଳି ଦଳକୁ ବିଜୟ ପଥରେ ରଖିଥିଲେ। ଶେଷ ଭାଗରେ ରିଚା ଘୋଷ (୧୩ ବଲ୍‌ରୁ ୨୬ ରନ୍‌, ୩ ଛକା) ଏବଂ ଦେବୀକା ବୈଦ୍ୟ (୫ ବଲ୍‌ରୁ ୧୧* ରନ୍‌, ୨ ଚୌକା) ବଢ଼ିଆ ଲଢ଼ିଥିଲେ। ବିଜୟ ପାଇଁ ଶେଷ ବଲ୍‌ରୁ ଛକା ଆବଶ୍ୟକ ଥିବାବେଳେ ମେଗାନ୍‌ ସ୍କଟଙ୍କୁ ଚୌକା ମାରି ଦେବୀକା ମ୍ୟାଚ୍‌ ଟାଇ କରାଇଥିଲେ। ସ୍ମୃତି ମନ୍ଧାନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର