ଅଳ୍ପ ରନ୍‌, ଅଧିକ ରୋମାଞ୍ଚ, ବହୁତ ପରିଶ୍ରମ

ରାହୁଲ-ଜାଦେଜାଙ୍କ ଶତକୀୟ ଭାଗୀଦାରି: ଅଷ୍ଟ୍ରେଲିଆକୁ ପ୍ରଥମ ଦିନିକିଆରେ ହରାଇଲା ଭାରତ

ମୁମ୍ବାଇ : ୱାଙ୍ଖ୍‌ଡେ ପିଚ୍‌କୁ ବିଶ୍ବର ଶୀର୍ଷ ଦୁଇ ଦିନିକିଆ ଦଳ ପଢ଼ି ପାରିଲେ ନାହିଁ। ଫଳରେ କ୍ରିକେଟ୍‌ ପ୍ରେମୀମାନେ ଶୁକ୍ରବାର ଅଳ୍ପ ରନ୍‌ ଓ ଅଧିକ ରୋମାଞ୍ଚଭରା ଦିନିକିଆ ମ୍ୟାଚ୍‌ ଦେଖିଲେ। ଛୋଟ ବିଜୟ ଲକ୍ଷ୍ୟ ପାଇଁ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇବା ସହ ବହୁ ପରିଶ୍ରମ କରି ମ୍ୟାଚ୍‌ ଜିତି ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଏପରିକି ରାତିରେ ବ୍ୟାଟିଂ ବେଳେ ମଧ୍ୟ ଭାରତୀୟଙ୍କୁ ଝାଳବୁହା ପରିଶ୍ରମ କରିବାକୁ ପଡ଼ିଛି। ଭାରତକୁ ପରାଜୟ ମୁହଁରୁ ବାହାର କରି କେଏଲ୍ ରାହୁଲ୍‌ ଏବଂ ରବୀନ୍ଦ୍ର ଜାଦେଜା ୫ ୱିକେଟ୍‌ରେ ବିଜୟ ଦେଇଛନ୍ତି। ୧୮୯ ରନ୍‌ ବିଜୟ ଲକ୍ଷ୍ୟକୁ ଭାରତ ୬୧ ବଲ୍‌ ପୂର୍ବରୁ ହାସଲ କରିନେଇଥିଲା।

ଭାରତ ଟସ୍ ଜିତି ପ୍ରଥମେ ଫିଲ୍‌ଡିଂ କରିଥିଲା। ଟ୍ରାଭିସ୍ ହେଡ୍‌ଙ୍କୁ ମହମ୍ମଦ ସିରାଜ ନିଜ ପ୍ରଥମ ଓଭର ଶେଷ ବଲ୍‌ରେ ବୋଲ୍ଡ କରି ଦେଇଥିଲେ। ଏହା ପରେ କିନ୍ତୁ ମିଚେଲ୍ ମାର୍ସଙ୍କ ସହ ମିଶି ଷ୍ଟିଭେନ୍ ସ୍ମିଥ୍ ୭୨ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ସ୍ମିଥଙ୍କୁ ୱିକେଟ୍ ପଛପଟେ ରାହୁଲଙ୍କ ଗ୍ଲୋଭ୍‌ସରେ କ୍ୟାଚ୍‌ କରାଇ ହାର୍ଦିକ ପାଣ୍ଡ୍ୟା ଏହି ଭୀଗୀଦାରିକୁ ଅଲଗା କରିଦେଇଥିଲେ। ମିଚେଲ୍ ମାର୍ସ କିନ୍ତୁ ନିଜ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୬୫ ବଲ୍‌ରୁ ୮୧ ରନ୍‌ କରିଥିଲେ। ମାର୍ସଙ୍କୁ ରବୀନ୍ଦ୍ର ଜାଦେଜା ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆକୁ ଆଉ ବଡ଼ ଭାଗୀଦାରି ମିଳିନଥିଲା। ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ରବୀନ୍ଦ୍ର ଜାଦେଜା ଦ୍ବିତୀୟ ଶିକାର କରିବା ପୂର୍ବରୁ ମହମ୍ମଦ ସାମି ଲଗାତାର ୩ ଓଭରରେ ଜୋସ୍ ଇଙ୍ଗଲିସ୍‌, କାମେରନ୍‌ ଗ୍ରିନ, ମାର୍କସ ଷ୍ଟୋଇନିସ୍‌ଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ହଠାତ୍ ବିପର୍ଯ୍ୟୟ ମୁହାଁ କରିଥିଲେ। ସ୍ଥିତି ଏଭଳି ହୋଇଥିଲା ଅଷ୍ଟ୍ରେଲିଆ ଏହାର ଶେଷ ୭ ୱିକେଟ୍‌ ୧୩ ଓଭର ତଥା‌ ମାତ୍ର ୪୯ ରନ୍‌ରେ ହରାଇ ଦେଇଥିଲା। ଷ୍ଟିଭେନ୍ ସ୍ମିଥଙ୍କ ଦଳର ଶେଷ ୫ ୱିକେଟ୍ ମଧ୍ୟ ମାତ୍ର ୧୪ ରନ୍ ବିନିମୟରେ ଝଡ଼ାଇ ଦେଇଥିଲେ ଭାରତୀୟ ବୋଲର। ମହମ୍ମଦ ସିରାଜ ଓ ମହମ୍ମଦ ସାମି ୩-୩ ୱି‌‌କେଟ୍ ଦଖଲ କରିଥିବା ବେଳେ ସ୍ପିନ୍‌ ଯୋଡ଼ି ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ମିଳିତ ଭାବେ ୩ ୱିକେଟ୍‌ ନେଇଥିଲେ। ହାର୍ଦିକ ଏକମାତ୍ର ୱି‌କେଟ୍ ଦଖଲ କରିଥିଲେ ମଧ୍ୟ ଶିକାର କରିଥିଲେ ପ୍ରତିପକ୍ଷ ଅଧିନାୟକ ସ୍ମିଥ୍‌ଙ୍କୁ। ଅଷ୍ଟ୍ରେଲିଆ ୨୩ତମ ଓଭରରେ ୧୩୯/୩ରେ ଥିବା ବେଳେ ହଠାତ୍‌ ୧୮୮ ରନ୍‌ରେ ସମସ୍ତ ୱି‌କେଟ୍‌ ହରାଇ ଦେଇଥିଲା।

୧୮୯ ରନ୍‌କୁ ପିଛା କରିଥିବା ଭାରତକୁ ଅଷ୍ଟ୍ରେଲିଆ ସହଜରେ ବାଟ ଛାଡ଼ିନଥିଲା। ପଞ୍ଚମ ଓଭର ବେଳକୁ ଈଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ପ୍ୟାଭିଲିଅନ୍ ଫେରିଯାଇଥିଲେ। ଜମି ଆସୁଥିବା ଶୁବମନ ଗିଲ୍‌ (୩୧ ବଲ୍‌ରୁ ୨୦ ରନ୍)ଙ୍କୁ ମିଚେଲ୍ ଷ୍ଟାର୍କ ତୃତୀୟ ଶିକାର କରିଦେବାରୁ ଭାରତ ଏକାଦଶ ଓଭର ପ୍ରାରମ୍ଭ ବେଳକୁ ୩୯/୪ରେ ସଂଘର୍ଷ କରିଥିଲା। ହାର୍ଦିକ ପାଣ୍ଡ୍ୟା (୩୧ ବଲ୍‌ରୁ ୨୫ ରନ୍)ଙ୍କୁ ମାର୍କସ ଷ୍ଟୋଇନିସ୍ ଆଉଟ୍ କରିଦେବାରୁ ଭାରତ ୮୩/୫ରେ ପହଞ୍ଚି ଏକ ଅପ୍ରତ୍ୟାଶିତ ଝଡ଼ର ସମ୍ମୁଖୀନ ହୋଇଥିଲା। ଟେଷ୍ଟ୍ ଏକାଦଶରୁ ବାଦ୍‌ ପଡ଼ି ଚାପରେ ଥିବା କେଏଲ୍ ରାହୁଲ କିନ୍ତୁ ଅପୂର୍ବ ସଂଜମତା ଓ ଧୈର୍ଯ୍ୟର ସହ ଖେଳିଥିଲେ। ରବୀନ୍ଦ୍ର ଜାଦେଜାଙ୍କୁ ସାଥି କରି ପାଳି ଗଢ଼ିବା କାର୍ଯ୍ୟରେ ଲାଗି ପଡ଼ିଥିଲେ। କୌଣସି ରିକ୍ସ ନ ନେଇ ୱାଙ୍ଖ୍‌ଡେର ସୁଇଁ ଓ ବାଉଁସ୍‌ ଦେଉଥିବା ପିଚ୍‌କୁ ଭଲ ଭାବେ ବୁଝିଯାଇଥିଲେ। ଉଭୟ ୨୦.୩ ଓଭରରେ ୧୦୮* ରନ୍‌ ଯୋଡ଼ି ସୁଯୋଗ ଛାଡ଼ିନଥିଲେ। ବିଜୟ ପାଖାପାଖି ହେବା ପରେ ହିଁ ଉଭୟ କିଛି ହାତ‌ଖୋଲା ସଟ୍‌ ଖେଳିଥିଲେ। ୭୬ ବଲ୍‌ରୁ ରାହୁଲ ତାଙ୍କ ଅର୍ଦ୍ଧଶତକ ହାସଲ କରିଲେ। ମିଚେଲ ଷ୍ଟାର୍କଙ୍କ ଦଶମ ଓଭରରେ ରବୀନ୍ଦ୍ର ଜାଦେଜା ସ୍କୋୟାର୍ ଲେଗ୍‌ ଓ ମିଡ୍‌ ୱିକେଟ୍‌ ଅଞ୍ଚଳକୁ ଦୁଇଟି ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ। ଅଲ୍ ରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ଜା‌ଦେଜାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ୮ ମାସ ପରେ ଦିନିକିଆ କ୍ରିକେଟ୍‌ ଖେଳି ପେସ୍ ବୋଲରଙ୍କ ପିଚ୍‌ରେ ସ୍ପିନ୍ ବୋଲିଂ କରି ୱିକେଟ୍ ଦଖଲ କରିବା ସହ ୪୫* ରନ୍‌ କରିଥିବାରୁ ଜାଦେଜା ଖୁସି ହୋଇଛନ୍ତି।

ସମ୍ବନ୍ଧିତ ଖବର