ଭୁବନେଶ୍ବର: ହକିରେ ଭାରତୀୟ ମହିଳା ଦଳ ନିରାଶାଜନକ ପ୍ରଦର୍ଶନ ଜାରିରଖିଛି। ଅଲିମ୍ପିକ୍ସ ଯୋଗ୍ୟତା ହରାଇବା ପରେ ଭାରତୀୟ ଦଳ ଏଠାରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ଯାହା ଅନୁମାନ କରାଯାଉଥିଲା ତାହା ହୋଇପାରିନାହିଁ। ମହିଳା ପ୍ରୋ-ଲିଗ୍ର ପ୍ରଥମ ମ୍ୟାଚ୍ରେ ଭାରତ ୧-୨ ଗୋଲ୍ରେ ଚୀନ୍ଠୁ ପରାଜିତ ହୋଇଛି। ଏହାଫଳରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାରତଠୁ ପରାଜୟର ପ୍ରତିଶୋଧ ନେବାରେ ଚୀନ୍ ସଫଳ ହୋଇଛି। ଶନିବାର ପ୍ରଥମ କ୍ବାର୍ଟର୍ର ଶେଷ ମିନିଟ୍ରେ ବନ୍ଦନା କଟାରିଆ ଏକ ଚମତ୍କାର ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରେ ଚୀନ୍ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ଗୋଟିଏ ବି ଗୋଲ୍ ଦେଇପାରି ନଥିଲା। ତୃତୀୟ କ୍ବାର୍ଟର୍ରେ କିନ୍ତୁ ପ୍ରତ୍ୟାବର୍ତ୍ତନ କରିବା ସହ ୪୦ତମ ମିନିଟ୍ରେ ଡାନ୍ ୱେନ୍ଙ୍କ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା। ଶେଷରେ ୫୨ତମ ମିନିଟ୍ରେ ବେନ୍ଫେଙ୍ଗ ଗୁଙ୍କ ଗୋଲ୍ ବଳରେ ମ୍ୟାଚ୍ ଜିତି ନେଇଥିଲା। ମ୍ୟାଚ୍ ଆରମ୍ଭରୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଚୀନ୍ର ଡାନ ୱେନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଶନିବାରର ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ୍ସ ୭-୦ ଗୋଲ୍ରେ ଆମେରିକାକୁ ହରାଇଥିଲା।
ଦୀପ୍ତିରଂଜନ ସାମଲ
ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଏହା ପ୍ରତ୍ୟେକ ଭାରତୀୟଙ୍କୁ ଧକ୍କା ଦେଇଛି। ଏପରିକି କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ପ୍ରୋ-ଲିଗ୍ ହକିରେ ମଧ୍ୟ ମହିଳା ମ୍ୟାଚ୍ଗୁଡ଼ିକ ପ୍ରତି ସେଭଳି ଉତ୍ସାହ ଦେଖାଯାଉନାହିଁ। ତଥାପି ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଷ୍ଟାଣ୍ଡରେ ଉପସ୍ଥିତ ଥିଲେ ଅଲିମ୍ପିଆନ୍ ନମିତା ଟୋପ୍ପୋ। ଭାରତ ଅଲିମ୍ପିକ୍ସକୁ ଯାଉନଥିବା ଦୁଃଖ ଥିଲେ ମଧ୍ୟ ଅତୀତକୁ ଭୁଲି ବର୍ତ୍ତମାନ ଭାରତ ଭଲ ପ୍ରଦର୍ଶନ କରୁ ବୋଲି ନମିତା ଆଶା ରଖିଛନ୍ତି। ‘ସମ୍ବାଦ’ ସହ କଥା ହେବା ବେଳେ ନମିତା କହିଛନ୍ତି ଯେ, ଯୋଗ୍ୟତା ପର୍ଯ୍ୟାୟରେ ଭାରତ ସେଭଳି କିଛି ଖରାପ ଖେଳି ନଥିଲା। ସମସ୍ତ ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରାଇବାରେ ଆମ ଖେଳାଳିମାନେ ସଫଳ ହୋଇପାରି ନଥିଲେ। ଏହାବାଦ୍ ଅନ୍ୟ ଯାହା ତ୍ରୁଟି ରହିଥିଲା, ସେସବୁକୁ ସୁଧାରିନେଇ ପ୍ରୋ-ଲିଗ୍ରେ ଭଲ ଖେଳନ୍ତୁ ବୋଲି ନମିତା ଚାହିଛନ୍ତି।
ସୁନ୍ଦରଗଡ଼ର ଝିଅ ନମିତା ୨୦୧୬ ରିଓ ଅଲିମ୍ପିକ୍ସ ଓ ୨୦୨୧ରେ ଭାରତକୁ ପ୍ରତିନିଧିତ୍ବ କରିଥିବା ନମିତା ୨୦୨୨ରେ ଅବସର ଘୋଷଣା କରିଥିଲେ। ୨୦୧୨ରେ ନମିତା ଜାତୀୟ ଦଳରେ ପଦାର୍ପଣ କରିଥିଲେ। ମୋଟ ୧୬୮ ମ୍ୟାଚ୍ରେ ସେ ଭାରତକୁ ପ୍ରତିନିଧିତ୍ବ କରିଥିଲା ବେଳେ ମିଡଫିଲ୍ଡର ଭାବେ ଖେଳୁଥିଲେ। ୨ ୦୧୩ କନିଷ୍ଠ ବିଶ୍ବକପ୍, ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ା, ୨୦୧୮ ବିଶ୍ବକପ୍, ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ବଡ଼ ଇଭେଣ୍ଟରେ ଖେଳିଛନ୍ତି।
ପ୍ରୋ ଲିଗ୍ ଭାରତୀୟ ଖେଳାଳିଙ୍କ ପାଇଁ ଅଭ୍ୟାସ ଭଳି ହେବ। ପ୍ରତ୍ୟେକ ପ୍ରତିଯୋଗିତାରେ ଏବେ ଭଲ ଖେଳି ଅଲିମ୍ପିକ୍ସ ଯାଇ ନପାରିବା ଦୁଃଖକୁ ଏହା ମାଧ୍ୟମରେ ଭୁଲାଇବାକୁ ପଡ଼ିବ। ଜଣେ ଅଲିମ୍ପିଆନ୍ ଭାବେ ଏହା ମୋତେ ଦୁଃଖ ଦେଉଛି। କିନ୍ତୁ ଏଠାରୁ ଖେଳି ଭାରତ ୨୦୨୮ ଅଲିମ୍ପିକ୍ସ ପାଇଁ ପଥ ପ୍ରସ୍ତୁତ କରୁ ବୋଲି ଆଶା ରଖିଛନ୍ତି ନମିତା। କିନ୍ତୁ ଧୀରେଧୀରେ ଭାରତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ବ କମିଯାଉଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ଓଡ଼ିଆ ଖେଳାଳିଙ୍କ ସଂଖ୍ୟା କମିଯାଉଥିବା ଭାବିବା ଠିକ୍ ନୁହେଁ। କାରଣ ନିକଟରେ ୫ଏସ୍ ବିଶ୍ବକପ୍ ଓ ବର୍ତ୍ତମାନ ପ୍ରୋ ଲିଗ୍ରେ ଓଡ଼ିଆ ପିଲାମାନେ ଭାରତୀୟ ଦଳରେ ଅଛନ୍ତି। ତେଣୁ ଓଡ଼ିଆ ଖେଳାଳିମାନେ ଭାରତୀୟ ଦଳରେ ଖେଳୁଥିବାରୁ ଖୁସି ଲାଗୁଛି ବୋଲି ସେ କହିଛନ୍ତି।