ଢାକା: ଗତଥରର ବିଜେତା ଏବଂ ଅଲିମ୍ପିକ୍ କାଂସ୍ୟ ବିଜେତା ଭାରତ ଏସୀୟ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ୍ରେ ହାରିଯାଇଛି। ମଙ୍ଗଳବାର ଏଠାରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ଭାରତ ୩-୫ ଗୋଲ୍ରେ ଜାପାନଠୁ ପରାସ୍ତ ହୋଇଛି। ଭାରତ ଶେଷ ରାଉଣ୍ଡ ରବିନ୍ ମ୍ୟାଚ୍ରେ ଜାପାନକୁ ୬-୦ ଗୋଲ୍ରେ ହରାଇ ଟେବୁଲର ଶୀର୍ଷରେ ରହି ସେମିଫାଇନାଲ୍ରେ ପହଞ୍ଚିଥିଲା। ହେଲେ ସେମିଫାଇନାଲ୍ରେ ଭାରତଠୁ ଏହି ପରାଜୟର ମଧୁର ପ୍ରତିଶୋଧ ନେବା ସହ ଜାପାନ ଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଫାଇନାଲ୍ରେ ଏହି ଦଳ କୋରିଆକୁ ଭେଟିବ। ପ୍ରଥମ ସେମିଫାଇନାଲ୍ରେ କୋରିଆ ୬-୫ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫଳରେ କାଂସ୍ୟ ପଦକ ମୁକାବିଲାରେ ଗତଥରର ଯୁଗ୍ମ ବିଜେତା ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ।
ଲିଗ୍ରେ ଜାପାନକୁ ହରାଇବା ଏବଂ ଏହି ଦଳ ବିପକ୍ଷରେ ଭାରତର ରେକର୍ଡ ଭଲ ଥିବାରୁ ପୂରା ଆତ୍ମବିଶ୍ବାସ ସହ ମଙ୍ଗଳବାର ପଡ଼ିଆକୁ ଓହ୍ଲାଇଥିଲା ଭାରତ। ହେଲେ ଜାପାନର ଯୋଜନା ଅଲଗା ଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ଜାପାନ ମନ୍ପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଉପରେ ପୂରା ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମ ମିନିଟ୍ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସୋଟା ୟାମାଦା ଗୋଲ୍ରେ ପରିଣତ କରି ଜାପାନକୁ ଅଗ୍ରଣୀ ଦେଇଥିଲେ। ଏହା ପର ମିନିଟ୍ରେ ରାଇକି ଫୁଜିସିମା (୨ ମିନିଟ୍) ଜାପାନ ପାଇଁ ଦ୍ବିତୀୟ ଗୋଲ୍ ସ୍କୋର୍ କରିଥିଲେ। ୧୪ତମ ମିନିଟ୍ରେ ୟୋସିକା କ୍ରିସିତା ଗୋଲ୍ ଦେଇ ଜାପାନ୍କୁ ପ୍ରଥମ କ୍ବାର୍ଟରରେ ୩-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟ କ୍ବାର୍ଟରରେ ହାର୍ଦିକ ସିଂହ (୧୭ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଚାପରେ ଥିବା ଭାରତ ଶିବିରରେ ଖୁସି ଖେଳାଇଥିଲେ। କିନ୍ତୁ ପ୍ରଥମାର୍ଦ୍ଧ ୩-୧ରେ ଆଗୁଆ ଥିବା ଜାପାନ ତୃତୀୟ କ୍ବାର୍ଟରେ ପୁଣି ୨ ଗୋଲ୍ ଲଦି ଦେଇଥିଲା। କୋସେଇ କାୱାବେ (୩୫ ମମିନିଟ୍) ଓ ରିଓମା ଓକା (୪୧ ମିନିଟ୍) ଏହି ଗୋଲ୍ ଦେଇ ୫-୧ରେ ଆଗୁଆ ରଖିଥିଲେ। ୪୩ତମ ମିନିଟ୍ରେ ଉପଅଧିନାୟକ ହରମନ୍ପ୍ରୀତ ସିଂହ ଆଉ ଏକ ଗୋଲ୍ ଶୁଝିବା ସତ୍ତ୍ବେ ତୃତୀୟ କ୍ବାର୍ଟରରେ ଭାରତ ୨-୫ରେ ପଛୁଆ ରହିଥିଲା। ଶେଷ କ୍ବାର୍ଟରରେ ଭାରତ ମ୍ୟାଚ୍ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲା। ୫୮ତମ ମିନିଟ୍ରେ ହାର୍ଦିକ ଭାରତ ପାଇଁ ତୃତୀୟ ଗୋଲ୍ ଦେବା ସହ ବ୍ୟକ୍ତିଗତ ଯୁଗଳ ସଫଳତା ପାଇଥିଲେ ମଧ୍ୟ ଦଳକୁ ଜିତାଇବାରେ ସକ୍ଷମ ହୋଇନଥିଲା।