୨୦ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତା: ଟଙ୍କଧରଙ୍କ ଗୋଲ୍‌ ସହ ବଡ଼ ବିଜୟ, ନେପାଳକୁ ୮-୦ରେ ହରାଇଲା ଭାରତ

ଭୁବନେଶ୍ବର : ଚଳିତ ୨୦ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତାରେ ଭାରତ ବଡ଼ ବିଜୟ ପାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରବିବାରର ଦ୍ବିତୀୟ ମ୍ୟାଚ୍‌ରେ ଘରୋଇ ଦଳ ୮-୦ ଗୋଲ୍‌ରେ ନେପାଳକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶଠୁ ହାରିବ ପରେ ଭାରତର ଏହା ଲଗାତାର ଦ୍ବିତୀୟ ବିଜୟ। ଫଳରେ ୩ ମ୍ୟାଚ୍‌ରୁ ୨ ବିଜୟ ୧ ପରାଜୟରୁ ‌୬ ପଏଣ୍ଟ ପାଇ ତାଲିକାର ଦ୍ବିତୀୟକୁ ଉଠିଛି ଏହି ଦଳ।

୩୨ତମ ମିନିଟ୍‌ରେ ଟାଇସନ ସିଂହ ଲୋଇତୋଙ୍ଗବଙ୍କ ଗୋଲ୍‌ରେ ଭାରତ ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିଥିଲା। ଏହା ପରେ ପାର୍ଥିବ ସୁନ୍ଦର ‌ଗୋଗଇ (୫୦, ୫୨ ମିନିଟ୍‌) ଲଗାତାର ଦୁଇଟି ଗୋଲ୍‌ ଦେଇ ସ୍ଥିତି ୩-୦ କରିଥିଲେ। ୬୬ତମ ମିନିଟ୍‌ରେ ଟାଇସନ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍‌ ଦେବା ସହ ଦଳକୁ ୪-୦‌ରେ ଅଗ୍ରଣୀ ଦେଇଥିଲେ। ହିଂମାଶୁ ଜାଙ୍ଗରା (୭୧ ମିନିଟ୍‌), ଓଡ଼ିଆ ପୁଅ ଟଙ୍କଧର ବାଗ (୭୮ ମିନିଟ୍‌), ଗୁରକିରଟ ସିଂହ (୯୦ ମିନିଟ୍‌) ଓ ଶୁଭୋ ପଲ (୯୦+୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତର ବଡ଼ ବିଜୟରେ ନିଜର ଅବଦାନ ରଖିଥିଲେ। ମଙ୍ଗଳବାର ଭାରତ ଶେଷ ଲିଗ୍‌ ମ୍ୟାଚ୍‌ରେ ମାଳଦୀପକୁ ଭେଟିବ। ଏହ ପୂର୍ବରୁ ଖେଳାଯାଇଥିବା ମାଳଦୀପ ଓ ଶ୍ରୀଲଙ୍କା ମ୍ୟଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର