ହୁଲୁନବୁଇର: ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ଆଧିପତ୍ୟଭରା ଅଭିଯାନ ଜାରି ରହିଛି। ଶନିବାର ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ହକି ଦଳ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ରୋମାଞ୍ଚକର ଭାବେ ୨-୧ ଗୋଲ୍‌ରେ ହରାଇ ଲଗାତାର ପଞ୍ଚମ ବିଜୟ ହାସଲ କରିଛି। ତା’ ସହିତ ଏହି ୬ ଦଳିଆ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଏହି ବିଜୟ ସହ ୨୦୧୬ ମସିହା ପରେ ମଧ୍ୟ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଭାରତ ନିଜ ଅପରାଜେୟ ରହିବାର ଧାରାକୁ ଆହୁରି ଲମ୍ବିତ କରିଛି। ଗତବର୍ଷର ଏସୀୟ କ୍ରୀଡ଼ାରେ ପାକିସ୍ତାନକୁ ୧୦-୨ ଗୋଲ୍‌ରେ ପରାସ୍ତ କରିଥିଲା। ତା’ ପୂର୍ବରୁ ଚେନ୍ନାଇରେ ଖେଳାଯାଇଥିବା‌ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ୪-୦ରେ ବିଜୟୀ ହୋଇଥିଲା। ୨୦୨୨ ଏସିଆ କପ୍‌ ମୁକାବିଲାକୁ ୧-୧ରେ ଅମୀମାଂସିତ ରଖିବା ସହ ୨୦୨୧ ଢାକା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ୪-୩ରେ ପରାସ୍ତ କରିଥିଲା ଭାରତୀୟ ଦଳ। ସେହିଭଳି ୨୦୧୬ରେ ମଧ୍ୟ ପାକିସ୍ତାନକୁ ଧୂଳି ଚଟାଇଥିଲା।

Advertisment

ଆଜିର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ପ୍ରଥମ ଗୋଲ୍ ଦେଇଥିଲା। ଅଷ୍ଟମ ମିନିଟ୍‌ରେ ଅହମଦ ନଦୀମ ନିଜ ଦଳକୁ ଆଗୁଆ କରି ଦେଇଥିଲେ। ତେବେ ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ ୬ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଅବଶିଷ୍ଟ ୪୧ ମିନିଟ୍‌ରେ ଉଭୟ ଦଳ ବହୁ ଚେଷ୍ଟା କରିଥିଲେ ମଧ୍ୟ ଗୋଲ୍ ଦେବାକୁ ସକ୍ଷମ‌ ହୋଇ ନଥିଲେ। ଫଳରେ ଭାରତ ଗୋଟିଏ ଗୋଲ୍ ବ୍ୟବଧାନରେ ବିଜୟୀ ‌ହୋଇଥିଲା। ପରାଜିତ ହେବା ସତ୍ତ୍ବେ କିନ୍ତୁ ପାକିସ୍ତାନ ଦୁଇଟି ବିଜୟ, ଦୁଇଟି ଡ୍ର’ ଏବଂ ଗୋଟିଏ ପରାଜୟ ସହ ଭାରତ ପଛକୁ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଶନିବାରର ଅନ୍ୟ ଏକ ମ୍ୟାଚ୍‌ରେ କୋରିଆ ୩-୩ ଗୋଲ୍‌ରେ ମାଲେସିଆ ବିପକ୍ଷ ମ୍ୟାଚ୍‌କୁ ଅମୀମାଂସିତ ରଖିଥିଲା। ସୋମବାର ଖେଳାଯିବାକୁ ଥିବା ସେମିଫାଇନାଲ୍‌ରେ ଆୟୋଜକ ଚୀନକୁ ପାକିସ୍ତାନ ଏବଂ ଦକ୍ଷିଣ କୋରିଆକୁ ଭାରତ ଭେଟିବ। ମେଗାଫାଇନାଲ୍ ସହ ତୃତୀୟ ଓ ଚତୁର୍ଥ ସ୍ଥାନ ମ୍ୟାଚ୍ ମଙ୍ଗଳବାର ଖେଳାଯିବ।