ହାଙ୍ଗଝୁ : ମହିଳା ଏସିଆ କପ୍ ହକିରେ ଭାରତ ଦୁଇ ପ୍ରତିଭାବାନ ତାରକା ନଭନୀତ କୌର (୧୪, ୧୮, ୨୮) ଓ ମମ୍‌ତାଜ୍ ଖାନ୍ (୨, ୩୨, ୩୮)ଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ସିଙ୍ଗାପୁରକୁ ୧୨-୦ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଅନ୍ୟମାନଙ୍କ ମଧ୍ୟରେ ନେହା (୧୧, ୩୮) ଦୁଇଟି ଏବଂ ଲାଲରେମସିଆମି (୧୩), ଶର୍ମିଳା ଦେବୀ (୪୫) ଓ ଋତୁଜା ପିସାଲ (୫୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଏହା ପୂର୍ବରୁ ବିଶ୍ବମାନ୍ୟତାର ଦଶମ ସ୍ଥାନରେ ଥିବା ଭାରତ ନିଜ ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡକୁ ୧୧-୦ରେ ପରାସ୍ତ କରିବା ପରେ ଜାପାନ ବିପକ୍ଷ ମୁକାବିଲାକୁ ୨-୨ରେ ଅମୀମାଂସିତ ରଖିଥିଲା।

Advertisment

ଦୁଇଟି ବଡ଼ ବିଜୟ ଏବଂ  ଗୋଟିଏ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଭାରତ ପୁଲ୍-‘ବି’ ଟପ୍ପର୍ ଭାବେ ସୁପର-୪କୁ ଯାଇଛି। ଜାପାନ ସମାନ ୭ ପଏଣ୍ଟ୍ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ପଛୁଆ ରହି ଉପବିଜେତା ଭାବେ ଏହି ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ପୁଲ୍‌ରୁ ଥାଇଲାଣ୍ଡ ଓ ସିଙ୍ଗାପୁର ବାଦ୍ ପଡ଼ିଛନ୍ତି। ପୁଲ୍-‘ଏ’ରୁ ଆୟୋଜକ ଚୀନ (୬ ପଏଣ୍ଟ୍‌) ଓ ଦକ୍ଷିଣ କୋରିଆ (୩ ପଏଣ୍ଟ୍) ସୁପର-୪ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।