କୁଆଲାଲୁମ୍ପୁର: ଚଳିତ ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍ର ସେମିଫାଇନାଲ୍ରେ ଭାରତ ପ୍ରବେଶ କରିଛି। ମଙ୍ଗଳବାର କ୍ବାର୍ଟରଫାଇନାଲ୍ରେ ଭାରତ ୪-୩ ଗୋଲ୍ରେ ନେଦରଲାଣ୍ଡ୍ସକୁ ମାତ୍ ଦେଇଛି। ପ୍ରଥମାର୍ଦ୍ଧରେ ୦-୨ରେ ଏବଂ ତୃତୀୟ କ୍ବାର୍ଟରରେ ୨-୩ରେ ପଛୁଆ ଥିବା ଭାରତ ଶେଷ କ୍ବାର୍ଟରରେ ପ୍ରତ୍ୟାବର୍ତ୍ତନ କରି ଏହି ବିଜୟ ପାଇଛି। ମ୍ୟାଚ୍ର ପଞ୍ଚମ ମିନିଟ୍ରେ ଟିମୋ ବୋଏଙ୍କ ଗୋଲ୍ରେ ନେଦରଲାଣ୍ଡ୍ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟରରେ ପେପିଜିନ ଭାନ ଡର ହେଇଜଦେନ (୧୬ ମିନିଟ୍) ଗୋଲ୍ରେ ନେଦରଲାଣ୍ଡ୍ସ ପ୍ରଥମାର୍ଧକୁ ନିଜ ପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟରରେ ଅରାଇଜୀତ ସିଂହ ହୁଣ୍ଡାଲଙ୍କ ସହଯୋଗରେ ଆଦିତ୍ୟ ଲାଲାଗେ (୩୪ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଦେଇଥିଲେ।
ଏହାର ଗୋଟିଏ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି ସଟ୍କୁ ଅରାଇଜୀତ (୩୫ ମିନିଟ୍) ଗୋଲ୍ରେ ପରିଣତ କରି ସ୍ଥିତି ସମାନ କରିଦେଇଥିଲେ। ତେବେ ଓଲିଭିଅର ହୋର୍ତେନସିଉସ (୪୪ ମିନିଟ୍)ଙ୍କ ଗୋଲ୍ରେ ନେଦରଲାଣ୍ଡ୍ସ ପୁଣି ଆଗୁଆ ହୋଇଯାଇଥିଲା। ଶେଷ ୮ ମିନିଟ୍ରେ ଭାରତ ୨ଟି ଗୋଲ୍ ଲଦି ନେଦରଲାଣ୍ଡ୍ସ ହାତରୁ ବିଜୟ ଛଡ଼ାଇ ନେଇଛି। ସୌରଭ ଆନନ୍ଦ କୁସୱାହା (୫୨ ମିନିଟ୍) ଫିଲ୍ଡ ଗୋଲ୍ ଦେଇଥିଲା ବେଳେ ୫୭ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ଉତ୍ତମ ସିଂହ ଗୋଲ୍ରେ ପରିଣତ କରି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି। ଭାରତ ଗୁରୁବାର ସେମିଫାଇନାଲ୍ରେ ଜର୍ମାନିକୁ ଭେଟିବ। କ୍ବାର୍ଟରଫାଇନାଲ୍ରେ ଜର୍ମାନି ୨-୧ ଗୋଲ୍ରେ ଆର୍ଜେଣ୍ଟିନାକୁ ହରାଇଛି।