ଜୋହାନେସବର୍ଗରେ ଜମିଲା, ସମ୍ମାନ ରହିଗଲା

ଭାରତର ଚମକପ୍ରଦ ବିଜୟ, ଦକ୍ଷିଣ ଆଫ୍ରିକା ୨-୧ରେ ଜିତିଲା ଶୃଙ୍ଖଳା

ଜୋହାନେସ୍‌ବର୍ଗ: ଓ୍ଵଣ୍ଡରର୍ସର ବିତର୍କିତ ପିଚ୍‌ ଓ ବିବାଦକୁ ପଛରେ ପକାଇ ଭାରତୀୟ ଦଳ ଐତିହାସିକ ବିଜୟ ହାସଲ କରିଛି। ଏଥି ସହ ବିରାଟ ବାହିନୀର ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ୍‍ ଇଜ୍ଜତ ରହିଯାଇଛି। ଘରୋଇ ଦକ୍ଷିଣ ଆଫ୍ରିକା ୨-୧ରେ ଶୃଙ୍ଖଳା ଜିତି ନେଇଥିଲେ ମଧ୍ୟ ଭାରତ ବିପକ୍ଷରେ ୩-୦ ବିଜୟର ଦମ୍ଭୋକ୍ତି ଫସର ଫାଟିଛି। ଜୋହାନେସ୍‌ବର୍ଗରେ ଭାରତ ମଧ୍ୟ ନିଜର ଅପରାଜେୟ କୀର୍ତିକୁ ଅତୁଟ ରଖିଲା। ପୂର୍ବରୁ ଏଠାରେ ୪ ଟେଷ୍ଟ୍‍ ଖେଳି ଭାରତ ୧ ଜିତିଥିବା ବେଳେ ୩ ଅମୀମାଂସିତ ରଖିଥିଲା। ୨୦୦୬ରେ ରାହୁଲ ଦ୍ରାବିଡ଼ଙ୍କ ଦଳକୁ ଶାନ୍ତାକୁମାର ଶ୍ରୀଶାନ୍ତଙ୍କ ୮ ଓ୍ଵିକେଟ୍‌ ବିଜୟ ଦେଇଥିଲା। ଜୋହାନେସ୍‌ବର୍ଗର ଓ୍ଵଣ୍ଡରର୍ସ ପିଚ୍‌ ପ୍ରଥମ ଦିନରୁ ଚର୍ଚାରେ ରହିଥିଲେ ମଧ୍ୟ ଶୁକ୍ରବାର ତୃତୀୟ ଦିନରେ ଏହା ବିବାଦର ମୋଡ଼ ନେଇଥିଲା। ଡିନ୍‌ ଏଲଗାରଙ୍କ ହେଲମେଟ୍‌ରେ ବଲ୍‌ ବାଜିବା ଏବଂ ଲଗାତାର ଭାବେ ବଲ୍‌ ବ୍ୟାଟସମ୍ୟାନ୍‌ଙ୍କ ଶରୀରରେ ଲାଗିବାରୁ ଅମ୍ପାୟାର୍‌ ଖେଳାଳିଙ୍କୁ ଡ୍ରେସିଂ ରୁମ୍‌ ନେଇଯାଇଥିଲେ। ପିଚ୍‌ ବିପଜ୍ଜନକନ ବୋଲିଂ ମତ ପ୍ରକାଶ ପାଉଥିଲେ ମଧ୍ୟ ଦୁଇ ଅଧିନାୟକଙ୍କ ସହିତ ଅମ୍ପାୟାର୍‌ ଆଲୋଚନା କରିଥିଲେ। ଶେଷକୁ ବର୍ଷା ତୃତୀୟ ଦିନକୁ ଆଗୁଆ ଶେଷ କରି ଦେଇଥିଲା। ସେତେବେଳେକୁ ଭାରତ ୨୪୭ ରନ୍‌ରେ ଅଲଆଉଟ୍‌ ହୋଇ ଦକ୍ଷିଣ ଆଫ୍ରିକାକୁ ୨୪୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇ ସାରିଥିଲା।

ଶନିବାର ପିଚ୍‌ ବିଦାଦ କିନ୍ତୁ ମୁଣ୍ଡ ଟେକିନଥିଲା। ବରଂ ସକାଳୁଆ ବର୍ଷା ଓ ଓଦା ପଡ଼ିଆ କାରଣରୁ ଘଣ୍ଟାଏ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ୧୭/୧ରୁ ଖେଳି ଦକ୍ଷିଣ ଆଫ୍ରିକା ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଆଉ କୌଣସି ଓ୍ଵିକେଟ୍‌ ନ ହରାଇ ୬୯ ରନ୍‌ ସଂଗ୍ରହ କରି ନେଇଥିଲା। ବିରତି ପରେ ମଧ୍ୟ ଡିନ୍‌ ଏଲଗାର ଏବଂ ହାସିମ୍‌ ଆମଲା ତାଙ୍କ ଧୈର୍ଯ୍ୟ ଓ ସଂଯମ ଚରିତ୍ରର ନିଦର୍ଶନ ଦେଖାଇଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ଉଭୟଙ୍କ ମଧ୍ୟରେ ହୋଇଥିବା ୧୧୯ ରନ୍‌ର ଭାଗୀଦାରି ଭାରତ ହାତରୁ ଏକପ୍ରକାର ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଏହି ଭାଗୀଦାରି ଅଲଗା ହେବା ମାତ୍ରେ ଭାରତ ପାଇଁ ବାଟ ଫିଟିଯାଇଥିଲା। ଈଶାନ୍ତ ଶର୍ମା ହାସିମ୍‌ ଆମଲା (୫୨, ୧୪୦ ବଲ୍‌) ଏବଂ ଫାପ୍‌ ଡୁ ପ୍ଲେସିସ୍‌ (୨)ଙ୍କୁ ଆଉଟ୍‌ କରି ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହା ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା। ଚା’ପାନ ବିରତି ପରେ ଫାପ୍‌ ଡୁ ପ୍ଲେସିସ୍‌ଙ୍କୁ ଈଶାନ୍ତ ବୋଲଡ୍‌ କରିଦେବାଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ନିଜର ଶେଷ ୭ ଓ୍ଵିକେଟ୍‌କୁ ମାତ୍ର ୩୩ ରନ୍‌ ଭିତରେ ହରାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଡିନ୍‌ ଏଲଗାର (୮୬*, ୨୪୦ ବଲ୍‌, ୯ ଚୌକା, ୧ ଛକା) ଗୋଟିଏ ପାର୍ଶ୍ୱରେ ଜମି ରହିଥିଲେ ମଧ୍ୟ ଅପରପାର୍ଶ୍ୱକୁ ଭାରତୀୟ ବୋଲର ସାମିଙ୍କ ନେତୃତ୍ୱରେ ସଫା କରି ଦେଇଥିଲେ। ଲୁଙ୍ଗି ଏନଗିଡି (୪)ଙ୍କୁ ବଦଳ ଓ୍ଵିକେଟରକ୍ଷକ ଦୀନେଶ କାର୍ତିକଙ୍କ ହାତରେ କ୍ୟାଚ୍‌ କରାଇ ମହମ୍ମଦ ସାମି ୫ ଓ୍ଵିକେଟ୍‌ ସଫଳତା ସହିତ ଭାରତକୁ ୮ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ବିଜୟ ଭେଟି ଦେଇଥିଲେ। ଭୁବନେଶ୍ୱର କୁମାର ନିଜର ଅଲରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦକ୍ଷିଣ ଆଫ୍ରିକା ବୋଲର ଭର୍ନାନ୍‌ ଫିଲାଣ୍ଡର୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇଥିଲେ। ଏହା ପରେ ଫେବ୍ରୁଆରି ପହିଲାରୁ ୬ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ।ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ଏହା ତୃତୀୟ ଟେଷ୍ଟ୍‍ ବିଜୟ। ୨୦୦୬ରେ ଜୋହାନେସ୍‌ବର୍ଗ, ୨୦୧୦ରେ ଡର୍ବାନ୍‌ରେ ଭାରତ ବିଜୟୀ ହୋଇଥିଲା। କିନ୍ତୁ ଶୃଙ୍ଖଳା ସଫଳତା ଅଧୁରା ରହିଛି। ହେଲେ ଭାରତ ମାତ୍ର ୨୪୧ ରନ୍‌ ବିଜୟ ଲକ୍ଷ୍ୟ ଦେଇ ବିଜୟୀ ହେବା ବିଶ୍ୱ କ୍ରିକେଟ୍‌ରେ ଦ୍ୱିତୀୟ ସର୍ବନିମ୍ନ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୮୭ (ବିରାଟ କୋହଲି-୫୪, ତେତେଶ୍ୱର ପୂଜାରା-୫୦, ରବାଦା-୩/୩୯)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୬୫.୫ ଓଭରରେ ୧୯୪ (ହାସିମ୍‌ ଆମଲା-୬୧, ଭର୍ନାନ୍‌ ଫିଲାଣ୍ଡର୍‌-୩୫, ରବାଦା-୩୦, ଯଶପ୍ରୀତ ବୁମରା-୫/୫୪, ଭୁବନେଶ୍ୱର କୁମାର-୩/୪୪, ଈଶାନ୍ତ ଶର୍ମା-୧/୩୩, ମହମ୍ମଦ ସାମି-୧/୪୬)। ଭାରତ ଦ୍ୱିତୀୟ ପାଳି: ୨୪୭ (ଅଜିଙ୍କ୍ୟ ରାହାଣେ-୪୮, ବିରାଟ କୋହଲି-୪୧, ଭୁବନେଶ୍ୱର କୁମାର-୩୩, ମହମ୍ମଦ ସାମି-୨୭, ମୁରଲୀ ବିଜୟ-୨୫, ମର୍ନି ମର୍କେଲ୍‌-୩/୪୭, ଭର୍ନାନ୍‌ ଫିଲାଣ୍ଡର୍‌-୩/୬୧, ଭର୍ନାନ୍‌ ଫିଲାଣ୍ଡର୍‌-୩/୬୯)। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୭୩.୩ ଓଭରରେ ୧୭୭ (ଡିନ୍‌ ଏଲଗାର-୮୬*, ହାସିମ୍‌ ଆମଲା-୫୨, ମହମ୍ମଦ ସାମି-୫/୨୮, ଈଶାନ୍ତ ଶର୍ମା-୨/୩୧, ଯଶପ୍ରୀତ ବୁମରା-୨/୫୭, ଭୁବନେଶ୍ୱର କୁମାର-୧/୩୯)।

ସମ୍ବନ୍ଧିତ ଖବର