ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ଆରମ୍ଭ: ପ୍ରଦର୍ଶନୀ ମ୍ୟାଚ୍ ଜିତିଲା ଇଣ୍ଡିଆ ମହାରାଜାସ୍

ଭୁବନେଶ୍ବର: ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ରାଜକୀୟ ଆରମ୍ଭ ଐତିହାସିକ ଇଡେନ୍ ଗାର୍ଡେନ୍ସ ପଡ଼ିଆରେ ହୋଇଯାଇଛି। ପ୍ରଥମ ଥର ପାଇଁ ଆୟୋଜିତ ଏହି ଲିଗ୍‌ର ପ୍ରଦର୍ଶନୀ ମ୍ୟାଚ୍‌ରେ ଇଣ୍ଡିଆ ମହାରାଜାସ୍ ୬ ୱିକେଟ୍‌ରେ ୱାର୍ଲଡ ଜାଏଣ୍ଟସ୍ ଦଳକୁ ପରାସ୍ତ କରିଥିଲା। ହରଭଜନ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ମହାରାଜାସ୍ ଦଳ ୱାର୍ଲଡ ଜାଏଣ୍ଟସ୍ ଧାର୍ଯ୍ୟ କରିଥିବା ୧୭୧ ରନ୍‌ର ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରି ନେଇଥିଲା। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆ ମହାରାଜାସ୍ ଅଧିନାୟକ ହରଭଜନ ସିଂହଙ୍କୁ ବିଜେତା ଟ୍ରଫି ପ୍ରଦାନ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ତଥା ପ୍ରତି‌ଯୋଗିତା କମିସନର ରବି ଶାସ୍ତ୍ରୀ ପୂର୍ବତନ ଭାରତୀୟ ବୋଲର ପଙ୍କଜ ସିଂହଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଟ୍ରଫି ଦେଇଥିଲେ। ଏହି ମ୍ୟାଚ୍‌ରୁ ସଂଗୃହୀତ ଅର୍ଥ କନ୍ୟା ସନ୍ତାନ ଶିକ୍ଷାକୁ ସମର୍ଥନ କରୁଥିବା କପିଳ ଦେବଙ୍କ ଦାତବ୍ୟ ସଂସ୍ଥା ଖୁସି ଫାଉଣ୍ଡେସନ୍‌କୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର