ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ ଅାରମ୍ଭ ହେବ

ଭୁବନେଶ୍ୱର ହକି ବିଶ୍ୱକପ୍‌ ଲାଗି ସୂଚୀ ଘୋଷିତ

ଭୁବନେଶ୍ୱର: ଭାରତର କ୍ରୀଡ଼ା କ୍ୟାପିଟାଲ ମାନ୍ୟତା ଲାଭ କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ଭୁବନେଶ୍ୱରରେ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଆଉ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ। ଏସୀୟ ଦୌଡ଼କୁଦ ଏବଂ ହକି ବିଶ୍ୱ ଲିଗ୍‌ର ସଫଳ ଓ ସୁନିୟୋଜିତ ଆୟୋଜନ ପରେ ମନ୍ଦିର ମାଳିନୀ ଭୁବନେଶ୍ୱରରେ ବର୍ଷ ଶେଷ ଆଡ଼କୁ ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏହି ୧୬ ଦଳୀୟ ପ୍ରତିଯୋଗିତାର ଆୟୋଜନ ଅଧିକାର ବହୁ ପୂର୍ବରୁ ଭୁବନେଶ୍ୱରକୁ ମିଳିସାରିଛି। ବୁଧବାର କେବଳ ଯାହା ଏହାର ସୂଚୀ ଘୋଷିତ ହୋଇଛି। ଅନ୍ତର୍ଜାତୀୟ ହକି ମହାସଂଘ ବା ଏଫ୍‌ଆଇଏଚ୍‌ ଆଜି ଘୋଷଣା କରିଥିବା ସୂଚୀ ଅନୁସାରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଥିବା ୧୬ ଦଳକୁ ଚାରିଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ପୁଲ୍‌ରେ ଚାରିଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ଆୟୋଜକ ଭାରତ, ବେଲଜିୟମ, କାନାଡା ଓ ଦକ୍ଷିଣ ଆଫ୍ରିକା ସହ ପୁଲ୍‌ ସିରେ ସ୍ଥାନ ପାଇଛି। ଅନ୍ୟ ତିନିଟି ପୁଲ୍‌ ଅପେକ୍ଷା ଏହି ପୁଲ୍‌ ସହଜ ଥିବା କୁହା ଯାଉଛି। ପୁଲ-ଏରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ୍‌ ଓ ଫ୍ରାନ୍ସ ସ୍ଥାନ ପାଇଛନ୍ତି। ସେହିଭଳି ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ ଓ ଚୀନ ପୁଲ୍‌-ବି ଏବଂ ତିନି ଥର ବିଶ୍ୱ ବିଜେତା ନେଦରଲାଣ୍ଡ, ଜର୍ମାନି, ମାଲେସିଆ ଓ ପାକିସ୍ତାନ ପୁଲ୍‌ ଡି’ରେ ସ୍ଥାନ ପାଇଛନ୍ତି।

କଳିଙ୍ଗରେ ପୁଣି ଖେଳିବ ପାକିସ୍ତାନ
ଆୟୋଜକ ଭାରତ ସହ ବିଶ୍ୱର ବଛା ବଛା ୧୫ ଦଳ କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କ ଶ୍ରେଷ୍ଠତ୍ୱ ଜାହିର କରିବାକୁ ଚେଷ୍ଟା କରିବେ। ତେବେ ସବୁ ନଜର ପାକିସ୍ତାନ ହକି ଦଳ ଉପରେ ରହିବ। ୨୦୧୪ ଚାମ୍ପିଅନ୍ସ ଟ୍ରଫି ବେଳେ ପାକିସ୍ତାନ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମରେ ଯେଭଳି ଭାବେ ଆଶୋଭନୀୟ ଆଚରଣ ଦେଖାଇଥିଲେ, ତାହା ଆଜି ପର୍ଯ୍ୟନ୍ତ ଭୁବନେଶ୍ୱର ହକି ପ୍ରେମୀଙ୍କ ମନରେ କଳା ସ୍ମୃତି ହୋଇ ରହିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଭାରତକୁ ୪-୩ ଗୋଲ୍‌ରେ ହରାଇବା ପରେ ପାକିସ୍ତାନ ଖେଳାଳିମାନେ ଦର୍ଶକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଆଡ଼କୁ ଆଶ୍ଳିଳ ଇଙ୍ଗିତ କରିଥିଲେ। ଯାହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ହକି ଇଣ୍ଡିଆର ତୀବ୍ର ବିରୋଧ ପରେ ପାକିସ୍ତାନର ଦୁଇ ଜଣ ଖେଳାଳି ବାସନ୍ଦ ହୋଇଥିଲେ। ପାକିସ୍ତାନ ହକି ସଂଘ କ୍ଷମା ନମାଗିବା ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଭାରତ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବ ନାହିଁ ବୋଲି ହକି ଇଣ୍ଡିଆ ଘୋଷଣା କରିଥିଲା। ସେବେଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳା ମଧ୍ୟ ଖେଳା ଯାଇନାର୍ହି। ପାକିସ୍ତାନ ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଥିବାରୁ ଏବେଠାରୁ ଦର୍ଶକଙ୍କ ମନରେ ଆଶା ଓ ଆଶଙ୍କା ସୃଷ୍ଟି ହେଲାଣି।

ନଭେମ୍ବର ୨୮ରୁ ଆରମ୍ଭ, ୩୬ ମ୍ୟାଚ୍‌
ଭୁବନେଶ୍ୱରରେ ହକି ବିଶ୍ୱକପ୍‌ର ଚର୍ତୁଦଶ ସଂସ୍କରଣ ଆୟୋଜିତ ହେବ। ଏହି ବହୁ ରାଷ୍ଟ୍ରୀୟ ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ଚଳିତ ବର୍ଷ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖରେ ଶେଷ ହେବ। ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ଅଧିକାଂଶ ପ୍ରଥମ ମ୍ୟାଚ୍‌ ସଂଧ୍ୟା ୫ ଏବଂ ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟାରୁ ଆରମ୍ଭ ହେବ। ବେଲଜିୟମ-କାନାଡା ମ୍ୟାଚ୍‌ରୁ ପ୍ରତିଯୋଗିତାର ଶୁଭାରମ୍ଭ ହେବ। ସେହିଦିନର ଦ୍ୱିତୀୟ ମୁକାବିଲାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁ ମୁହିଁ ହେବେ। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ଚାଲିବ। ଚାରିଟି ପୁଲ୍‌ର ପ୍ରଥମ ସ୍ଥାନରେ ରହିଥିବା ୪ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ। ପ୍ରତ୍ୟେକ ପୁଲର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଦଳ ଅଦଳବଦଳ ବା କ୍ରସ୍‌ ଓଭର ମ୍ୟାଚ୍‌ରେ ଡିସେମ୍ବର ୧୦ ଓ ୧୧ ତାରିଖରେ ଭେଟାଭେଟି ହେବ। ସେହି ମ୍ୟାଚ୍‌ରୁ କ୍ୱାର୍ଟର ଫାଇନାଲର ବଳକା ୪ ଦଳ ବଛାହେବେ। କ୍ୱାର୍ଟର ଫାଇନାଲ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଖେଳାଯିବ। ଡିସେମ୍ବର ୧୪ ତାରିଖ ବିଶ୍ରାମ ଦିବସ ହେବ। ସେହିଭଳି ସେମିଫାଇନାଲ ଡିସେମ୍ବର ୧୫ରେ ଖେଳାଯିବା ସହ ପରଦିନ ଅର୍ଥାତ୍‌ ୧୬ ତାରିଖରେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ମ୍ୟାଚ୍‌ ସହ ମେଗା ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର