ଅଭ୍ୟାସର ଅଭାବ ପାଇଁ ଭାରତ ଅଡ଼ୁଆରେ ପଡ଼ିପାରେ: ଭେଙ୍ଗସରକାର

ମୁମ୍ବାଇ: ଯେ କୌଣସି ବଡ଼ ମ୍ୟାଚ୍ ବା ଶୃଙ୍ଖଳା ପୂର୍ବରୁ ଅଭ୍ୟାସ ଏକାନ୍ତ ଅପରିହାର୍ଯ୍ୟ ହୋଇଥାଏ। ଅଭ୍ୟାସର ଅଭାବ ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଏବଂ ଇଂଲଣ୍ଡ ଶୃଙ୍ଖଳାରେ ଭାରତକୁ ଅଡ଼ୁଆରେ ପକାଇପାରେ। ଏପରିକି ବିରାଟ କୋହଲିଙ୍କ ଭଳି ବିଶ୍ବସ୍ତରୀୟ ଖେଳାଳି ମଧ୍ୟ ବିନା ଅଭ୍ୟାସରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସଂଘର୍ଷ କରିପାରନ୍ତି। ଭାରତୀୟ କ୍ରିକେଟ୍ ଦଳ କୌଣସି ପ୍ରାକ୍ ପ୍ରସ୍ତୁତି ଓ ଅଭ୍ୟାସ ବିନା ଇଂଲଣ୍ଡ ଗସ୍ତ କରିବା ପରିପ୍ରେକ୍ଷୀରେ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ଏଭଳି ମନ୍ତବ୍ୟ ଦେଇଛନ୍ତି। ଭାରତ ପକ୍ଷରୁ ୧୧୬ ଟେଷ୍ଟ୍ ଖେଳିବାର ଅଭିଜ୍ଞତା ରଖିଥିବା ଭେଙ୍ଗସରକାର ଅଧିନାୟକ କୋହଲି ଓ ହିଟ୍ ମ୍ୟାନ୍ ରୋହିତ ଶର୍ମା ଚମତ୍କାର ଫର୍ମରେ ଥିବା କହିଛନ୍ତି। ତେବେ ଯଥେଷ୍ଟ ଅଭ୍ୟାସ କରିନଥିବାରୁ ଉଭୟ ଇଂଲଣ୍ଡରେ ସଂଘର୍ଷ କରିପାରନ୍ତି ବୋଲି ଆଶଙ୍କା ଜାହିର କରିଛନ୍ତି।

ଏକ ସାକ୍ଷାତକାର ଅବସରରେ ସେ ଆହୁରି କହିଛନ୍ତି ଯେ କୋହଲି ଓ ରୋହିତ ବିଶ୍ବସ୍ତରୀୟ ଖେଳାଳି। ସେମାନଙ୍କୁ ନେଇ ଆମେ ସମସ୍ତେ ଗର୍ବିତ। ତଥାପି ମୁଁ କହିବି ଯେ ପର୍ଯ୍ୟାପ୍ତ ଅଭ୍ୟାସ କରିନଥିବାରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଭାରତ ଅଡ଼ୁଆରେ ପଡ଼ିପାରେ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ର ଦୁଇ ଦଳ ମଧ୍ୟରେ ତୁଳନା କଲେ ନ୍ୟୁଜିଲାଣ୍ଡଠାରୁ ଭାରତ ଭଲ ଦଳ। ନ୍ୟୁଜିଲାଣ୍ଡ ପାଇଁ ଭଲ କଥା ‌ହେଲା ସେମାନେ ଏତେ ଚର୍ଚ୍ଚାରେ ରହନ୍ତିନି। ତା’ ସହ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ପୂର୍ବରୁ ସେମାନେ ଇଂଲଣ୍ଡ ପରିବେଶରେ ଦୁଇଟି ଟେଷ୍ଟ୍ ଖେଳି ସାରିଥିବେ। ଯାହାର ଫାଇଦା ସେମାନଙ୍କୁ ନିଶ୍ଚିତ ଭାବେ ମିଳିବ। ଆମ ବୋଲରମାନଙ୍କୁ ମଧ୍ୟ କିଛିଟା ଅଭ୍ୟାସ ମିଳିଥିଲେ ଭଲ ହୋଇଥା’ନ୍ତା। ମ୍ୟାଚ୍ ଖେଳିବା ଏବଂ କ୍ରିଜ୍‌ରେ ସମୟ କଟାଇବା ସବୁବେଳେ କାମରେ ଆସିଥାଏ। ନେଟ୍ ଅଭ୍ୟାସ ଯେତେ‌ କଲେ ମଧ୍ୟ ମ୍ୟାଚ୍ ଅଭ୍ୟାସ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମୁଁ ଭାବୁଛି।

ସମ୍ବନ୍ଧିତ ଖବର