ନୂଆଦିଲ୍ଲୀ: ମାଲେସିଆର ଆଲୋର୍ ସେତାରରେ ଚାଲିଥିବା ଏସିଆ ଦଳଗତ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ କ୍ୱାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି। ପୁରୁଷ ଦଳ ପ୍ରଥମ ମ୍ୟାଚ୍ରେ ଫିଲିପାଇନ୍ସକୁ ଏବଂ ଦ୍ୱିତୀୟ ମ୍ୟାଚ୍ରେ ମାଳଦୀପକୁ ସମାନ ୫-୦ ଲେଖାଏଁ ବ୍ୟବଧାନରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିନେଇଛି। ତେବେ କ୍ୱାର୍ଟର ଫାଇନାଲ୍ ପୂର୍ବରୁ ପୁରୁଷ ଦଳ ତୃତୀୟ ତଥା ଶେଷ ଗ୍ରୁପ୍ ମ୍ୟାଚ୍ରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ଭେଟିବ।
ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ରେ ହଂକଂକୁ ୩-୨ରେ ପରାସ୍ତ କରିଥିବା ମହିଳା ଦଳ ଦ୍ୱିତୀୟ ମ୍ୟାଚ୍ କିନ୍ତୁ ହାରିଯାଇଛି। ତାରକା ଖେଳାଳି ପିଭି ସିନ୍ଧୁଙ୍କ ବିଜୟ ସତ୍ତ୍ୱେ ଭାରତ ୧-୪ରେ ଜାପାନ ନିକଟରୁ ପରାସ୍ତ ହୋଇଛି। ତଥାପି ଜାପାନଠୁ ହାରିବା ସତ୍ତ୍ୱେ ଭାରତ ମହିଳା ଦଳ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଯାଇଛି। ବିଶେଷକରି ଜାପାନ ତା’ର ପ୍ରଥମ ମ୍ୟାଚ୍ରେ ହଂକଂକୁ ୫-୦ରେ ପରାସ୍ତ କରିଥିବାରୁ ଭାରତକୁ ଫାଇଦା ମିଳିଥିଲା। ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଭାରତ ଗ୍ରୁପ୍ରେ ଦ୍ୱିତୀୟ ସ୍ଥାନ ପାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛି। ଜାପାନ ବିପକ୍ଷରେ ସିନ୍ଧୁ ୨୧-୧୯ ଓ ୨୧-୧୫ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ଅକାନେ ୟାମାଗୁଚିଙ୍କୁ ପରାସ୍ତ କରିଥିଲା ବେଳେ ଶ୍ରୀକୃଷ୍ଣପ୍ରିୟା କୁଦାରଭଲ୍ଲୀ ୧୨-୨୧, ୧୦-୨୧ରେ ସାୟାକା ସାଟୋଙ୍କଠାରୁ ହାରି ଯାଇଥିଲେ। ଏହାପରେ ଯୁଗଳ ବିଶେଷଜ୍ଞ ଅଶ୍ୱିନୀ ପୋନାପ୍ପା ୧୪-୨୧, ୧୨-୨୧ରେ ଆୟା ଓହରିଙ୍କ ନିକଟରୁ, ସାନ୍ୟୋଗୀତା ଘୋରପୋଡେ ଓ ପ୍ରଜକ୍ତା ସାଓ୍ଵନ୍ତ ୧୭-୨୧, ୧୭-୨୧ରେ ସିହୋ ଟନକା-କୋହାରୁ ୟୋନେମୋଟୋଙ୍କଠୁ ଏବଂ ଶେଷରେ ଅଶ୍ୱିନୀ-ଏନ୍ ସିକ୍କି ରେଡ୍ଡୀ ଯୋଡ଼ି ୧୮-୨୧, ୧୮-୨୧ରେ ମିସାକି ମାସୁଟୋମୋ-ଆୟାକା ଟାକାହାସିଙ୍କଠାରୁ ହାରିଯାଇଥିଲେ।