ଭାରତକୁ ହୋଇପାରେ ଅଲିମ୍ପିକ୍‌ ବାସନ୍ଦ

ଲସାନେ : ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଅଲିମ୍ପିକ୍‌ କ୍ରୀଡ଼ା ବାସନ୍ଦର ସାମ୍ନା କରିପାରେ। ଡିସେମ୍ବର ସୁଦ୍ଧା ଯଦି ଆଇଓଏ ଏହାର ନିର୍ବାଚନ ବିବାଦର ସମାଧାନ ନ କରେ ତେବେ ବାସନ୍ଦ ହୋଇପାରେ ବୋଲି ଗୁରୁବାର ଅନ୍ତର୍ଜାତୀୟ ଅଲିମ୍ପିକ୍‌ (ଆଇଓସି) ସମିତି କହିଛି। ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ମଧ୍ୟ ମୁମ୍ବାଇରେ ମେ’ ୨୦୨୩ରେ ଆୟୋଜିତ ହେବାକୁଥିବା ଅଧିବେଶନକୁ ସେପ୍ଟେମ୍ବର/ଅକ୍ଟୋବରକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି। ଆ‌ଇଓଏ ନିର୍ବାଚନ ଗତ ଡିସେମ୍ବରରେ ହେବାର ଥିଲା। ହେଲେ ଜାତୀୟ କ୍ରୀଡ଼ା ନୀତି ଅନୁଯାୟୀ ସମ୍ବିଧାନ ବଦଳାଇବାକୁ ଚାହୁଁଥିବାରୁ କୋର୍ଟରେ ମାମଲା ହୋଇଛି। ତେଣୁ ନିର୍ବାଚନ ହୋଇପାରୁନାହିଁ।

ଅନ୍ୟପକ୍ଷରେ ଆଇଓସି କହିଛି ଯେ ଡିସେମ୍ବର ମଧ୍ୟରେ ଏହାର ସମାଧାନ ନହେଲେ ଆଇଓଏ ବାସନ୍ଦ ହେବ। ଆଇଓଏ ବାସନ୍ଦ ହେଲେ ଏହାର ଖେଳାଳିମାନେ ଅଲିମ୍ପିକ୍‌ରେ ଭାଗ ନେଇପାରିବେନି ଏବଂ ଆଇଓସିରୁ କୌଣସି ଅର୍ଥିକ ସହଯୋଗ ଆଇଓଏକୁ ମିଳିବନି। ପୂର୍ବରୁ ଆଇଓଏ ୨୦୧୨ରେ ବାସନ୍ଦ ହୋଇଥିଲା। ଦୁର୍ନୀତି ଗସ୍ତ ଅଧିକାରୀ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେବାରୁ ଏଭଳି ବାସନ୍ଦ ଲାଗିଥିଲା। ପୁଣି ଥରେ ନିର୍ବାଚନ ହେବାରୁ ଦୁଇ ବର୍ଷ ପରେ ଏହି ବାସନ୍ଦ ‌ଉଠିଥିଲା ଏବଂ ୨୦୧୪ରେ ସୋଚି ଶୀତକାଳୀନ କ୍ରୀଡ଼ାରେ ଭାଗ ନେଇଥିଲା। ସୂଚନାଯୋଗ୍ୟ ଯେ ଆଗାମୀ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ ପ୍ୟାରିସ୍‌ରେ ୨୦୨୪ରେ ହେବ। ୨୦୨୬ ଶୀତକାଳୀନ ଅଲିମ୍ପିକ୍‌ ଇଟାଲିରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର