ଆଜି ଭାରତ-ନେଦରଲାଣ୍ଡ୍ସ ମୁହାଁମୁହିଁ
ସିଡ୍ନି: ପାକିସ୍ତାନ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ଭାରତୀୟ ଦଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଗୁରୁବାର ନେଦରଲାଣ୍ଡ୍ସକୁ ଭେଟିବ। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପୂର୍ବରୁ ନେଦରଲାଣ୍ଡ୍ସ ବିପକ୍ଷରେ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି ରୋହିତ ସେନା। ଏପରିକି ଚୂଡାନ୍ତ ଦଳରେ କୌଣସି ପରିବର୍ତନ କରାଯିବାର ଆାଶଙ୍କା ନଥିବା ବୋଲିଂ ପ୍ରଶିକ୍ଷକ ପାରସ୍ ମହାମ୍ବ୍ରେ ସ୍ପଷ୍ଟ ଆଭାସ ଦେଇଛନ୍ତି। ଅନ୍ୟପକ୍ଷରେ ୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି ଅରେଞ୍ଜ ଦଳ ମୁଖ୍ୟ ରାଉଣ୍ଡରେ ଖେଳିବାକୁ ଯାଉଛି। କିନ୍ତୁ ଶକ୍ତିଶାଳୀ ଭାରତ ବିପକ୍ଷରେ ନେଦରଲାଣ୍ଡ୍ସକୁ ଦୃଢ଼ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଏହାପୂର୍ବରୁ ଭାରତ ଓ ନେଦରଲାଣ୍ସ ଦୁଇଥର (୨୦୦୩, ୨୦୧୧) ଦିନିକିଆରେ ମୁହାଁମୁହିଁ ହୋଇସାରିଥିଲା ବେଳେ ଉଭୟ ମ୍ୟାଚ୍ରେ ଅରେଞ୍ଜ ଦଳ ପରାଜିତ ହୋଇଥିଲା। ଏବେ ଟ୍ବେଣ୍ଟି-୨୦ରେ ଉଭୟ ଦଳଙ୍କ ମଧ୍ୟରେ ଏହା ପ୍ରଥମ ମୁକାବିଲା ହେବାକୁ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚ୍ ପୂର୍ବରୁ ଏବଂ ପରେ ଗୁରୁବାର ଆଉ ଦୁଇଟି ମୁକାବିଲା ହେବ। ସକାଳେ ବାଂଲାଦେଶ-ଶ୍ରୀଲଙ୍କା ଏବଂ ଅପରାହ୍ନରେ ପାକିସ୍ତାନ-ଜିମ୍ବାୱେ ମୁହାଁମୁହିଁ ହେବେ। ସିଡ୍ନିରେ ପ୍ରଥମେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ଖେଳାଯିବ ପରେ ଭାରତର ମ୍ୟାଚ୍ ଥିବାରୁ ପିଚ୍ ଧୀମା ହୋଇଯାଇଥିବା। ଫଳରେ ବଡ଼ ରନ୍ ସଂଗ୍ରହ ହେବା ସମ୍ଭାବନା କ୍ଷୀଣ ରହିବ। ତେଣୁ ଦ୍ରୁତ ବୋଲରଙ୍କ ଅପେକ୍ଷା ସ୍ପିନରମାନେ କରାମତି ଦେଖାଇପାରିବେ। ଏହି ପିଚ୍ରେ ବିବିଏଲ୍ ୨୦୧୯-୨୦ ସଂସ୍କରଣ ପରଠୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହାରାହାରି ୧୫୭ ରନ୍ ସଂଗ୍ରହ କରୁଥିବା ବେଳେ ବିଜୟ ଫଳାଫଳ ୭-୬ ରହିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ବେଳେ ସାମାନ୍ୟ ଆହତ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ଅଭ୍ୟାସ କରିଛନ୍ତି। ଅନ୍ୟମାନେ ସ୍ବଭାବିକ୍ ଭାବେ ଫିଟ୍ନେସ୍ ଅଭ୍ୟାସ କରିଥିଲେ। ଅଭ୍ୟାସ ଶେଷରେ ଦଳର ସମସ୍ତ ଖେଳାଳି ଶାରୀରିକ ଭାବେ ସୁସ୍ଥ ଥିବା ବୋଲିଂ ପ୍ରଶିକ୍ଷକ ପାରସ୍ ମହାମ୍ବ୍ରେ ସ୍ପଷ୍ଟ କରିଥିଲେ। ସେହିପରି ପାକିସ୍ତାନ ଭଳି ନେଦରଲାଣ୍ଡ୍ସ ଯଦିଓ ଭାରତକୁ ବିଶେଷ ଅସୁବିଧାରେ ପକାଇପାରିବନି, ତଥାପି ଏହି ଦଳକୁ ହାଲ୍କାରେ ଗ୍ରହଣ କରିହେବନି ବୋଲି ମହାମ୍ବ୍ରେ କହିଛନ୍ତି।
ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଥିଲେ ହେଁ ନେଦରଲାଣ୍ଡ୍ସକୁ ଅଧିକ ଚାପରେ ରହିବାକୁ ପଡ଼ିନପାରେ। କାରଣ ପୂର୍ବରୁ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍ ଓ ପାକିସ୍ତାନ ବିପକ୍ଷରେ ଦଳ ଖେଳିସାରିଛି। ବଡ଼ ଦଳମାନଙ୍କ ସହିତ ଖେଳିଥିବାରୁ ଖେଳାଳିମାନଙ୍କ ଆତ୍ମବିଶ୍ବାସରେ କୌଣସି ହ୍ରାସ ହୋଇନପାରେ। ତେବେ ଭାରତ ସହିତ ଏହି ଦଳ ନିକଟ ଅତୀତରେ ଆଦୌ ଖେଳିନାହିଁ। ଫ୍ରେଡ୍ କ୍ଲାସେଁ, ଟିମ୍ ପ୍ରିଙ୍ଗଲ୍, ସାରିଜ ଅହମ୍ମଦ ତିନିଜଣ ବାମହାତୀ ବୋଲର ହୋଇଥିବାରୁ ଭାରତୀୟ ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇପାରନ୍ତି।
ସମ୍ଭାବ୍ୟ ଭାରତ ଦଳ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ୍, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ନେଦରଲାଣ୍ଡ୍ସ ଦଳ: ବିକ୍ରମଜିତ ସିଂହ, ମାକ୍ସ ଓଦାଉଦ, ବାସ୍ ଡି ଲିଡେ, କଲିନ୍ ଆକରମାନ୍, ଟମ୍ କୁପର, ସ୍କଟ୍ ଏଡ୍ୱାର୍ଡ୍ସ, ଟିମ୍ ପ୍ରିଙ୍ଗଲ୍, ଲୋଗାନ୍ ଭାନ୍ ବିକ୍, ସାରିଜ୍ ଅହମ୍ମଦ/ରଏଲଫ୍ ଭାନ୍ ଡର୍ ମର୍ଭେ, ଫ୍ରେଡ୍ କ୍ଲାସେଁ, ପଲ୍ ଭାନ୍ ମିକିରେନ୍।