ନେହେରାଙ୍କୁ ବିଦାୟୀ ଉପହାର ଦେବାକୁ ବିରାଟଙ୍କ ବଢ଼ିଲା ଚିନ୍ତା

କିଛି ସମୟ ପରେ ଫିରୋଜ ଶାହା କୋଟଲାରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ 

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଆଉ କିଛି ସମୟ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବ। ନୂଆଦିଲ୍ଲୀସ୍ଥିତ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ୩ଟି ମ୍ୟାଚ ବିଶିଷ୍ଟ ଚଳିତ ଶୃଙ୍ଖଳାର ବୁଧବାର ଭାରତ ପାଇଁ ପ୍ରଥମ ମ୍ୟାଚ ହେବାକୁ ଥିବା ବେଳେ ଆଶିଷ ନେହେରାଙ୍କ ପାଇଁ ହେବ ଶେଷ ଅନୁଭୂତି। କାରଣ ଏହି ମ୍ୟାଚ ପରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ନେହେରା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ। ଏଥି ପାଇଁ ସେ ପୂର୍ବରୁ ଘୋଷଣା କରି ସାରିଛନ୍ତି।

ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ମ୍ୟାଚ ଜିଣି ନେହେରାଙ୍କୁ ଉପହାର ଦେବାକୁ ଉଦ୍ୟମ କରିବେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ୨-୧ରେ ବିଜୟୀ ହୋଇଥିବା ଭାରତର ଆତ୍ମବିଶ୍ୱାସ ଫେରିଛି। କିନ୍ତୁ ଟି-୨୦ ମୁକାବିଲାରେ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ଶକ୍ତିଶାଳୀ ବୋଲି ପୂର୍ବରୁ ପ୍ରମାଣିତ ହୋଇ ସାରିଛି। ଏପର୍ଯ୍ୟନ୍ତ ହୋଇଥିବା ୬ଟି ମୁକାବିଲାରେ ନ୍ୟୁଜିଲାଣ୍ଡ ୫ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ କରାଯାଇଥିଲା।

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ମିକାବିଲା ୨୦୦୭ ବିଶ୍ୱକପରେ ହୋଇଥିଲା। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ୧୦ ରନ୍‌ରେ ବିଜୟୀ ହୋଇଥିଲା। ଉଭୟ ଦେଶ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ୨୦୧୬ ବିଶ୍ୱକପ ଟି-୨୦ରେ ନାଗପୁରରେ ଖେଳାଯାଇଥିଲା। ଏହି ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡ ୪୭ ରନ୍‌ରେ ଭାରତକୁ ପରାସ୍ତ କରିଥିଲା। ଭାରତୀୟ ପଡ଼ିଆରେ ଟି-୨୦ ଶୃଙ୍ଖଳାର ୨ଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ସେଥିରୁ ପ୍ରଥମ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ କରାଯାଇଥିବା ବେଳେ ଅନ୍ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା।

 

ସମ୍ବନ୍ଧିତ ଖବର