ଭାରତ-ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ଦିନିକିଆ ଆଜି

ହାମିଲଟନ୍‌: ପ୍ରଥମ ଦିନିକିଆରେ ଶୋଚନୀୟ ପରାଜୟ ବରଣ କରିବା ପରେ ରବିବାର ନ୍ୟୁଜିଲାଣ୍ଡ୍‌ ସହ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଭାରତ। ୩ ମ୍ୟାଚ୍‌ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଭାରତକୁ ହାମିଲଟନ୍‌ରେ ଜିତିବା ଜରୁରୀ। ଶିଖର ଧାୱନଙ୍କ ଦଳ ସପକ୍ଷରେ କିନ୍ତୁ କିଛି ନାହିଁ। ବିଗତ ୧୩ ଘରୋଇ ଦିନିକିଆରେ ବିଶ୍ବକପ୍‌ ଉପବିଜେତା ନ୍ୟୁଜିଲାଣ୍ଡ୍ ବିଜୟୀ ‌ହୋଇଥିବା ବେଳେ ଭାରତକୁ ମଧ୍ୟ ଶେଷ ୫ ଘରୋଇ ମ୍ୟାଚ୍‌ରେ ହରାଇଛି।‌ ମୋଟ ଉପରେ ଦୁଇ ଦେଶ ପରସ୍ପର ସହ ୧୧୧ ଦିନିକିଆ ଖେଳିଥିବା ବେଳେ ଭାରତ ୫୫, ନ୍ୟୁଜିଲାଣ୍ଡ ୫୦ ଜିତିଛି। ଗୋଟିଏ ଟାଇ ଏବଂ ୫ଟି ନିଷ୍ଫଳ ରହିଛି। ନ୍ୟୁଜିଲାଣ୍ଡ୍‌ରେ ଦୁଇ ଦେଶ ୪୨ ମ୍ୟାଚ୍‌ ‌ଖେଳିଥିବା ବେଳେ ଘରୋଇ ଦଳ ୨୫-୧୪ରେ ଆଗୁଆ ରହିଛି।

ଚଳିତ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଭାରତର ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନ ଓ ଶୁବମନ ଗିଲଙ୍କୁ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବାକୁ ପଡ଼ିବ। ବିଶେଷ କରି ପାୱାର ପ୍ଲେରୁ ସର୍ବାଧିକ ଫାଇଦା ଉଠାଇବାର ଅଛି। ଉଭୟ ଶୁକ୍ରବାର ଇଡେନ୍ ପାର୍କରେ ପ୍ରଥମ ୱିକେଟ୍ ପାଇଁ ୧୨୩ ରନ୍‌ ଉଠାଇଥିଲେ ମଧ୍ୟ ଷ୍ଟ୍ରାଇକ୍ ରେଟ୍‌ ଚିନ୍ତାଜନକ ଥିଲା। ଧାୱନ ୭୭ ବଲ୍‌ରୁ ୭୨ ଏବଂ ଗିଲ୍‌ ୬୫ ବଲ୍‌ରୁ ୫୦ ରନ୍‌ କରିଥିଲେ। ଅନ୍ତିମ ଭାଗରେ ୱାସିଂଟନ୍ ସୁନ୍ଦର ୧୬ ବଲ୍‌ରୁ ୩୭* ରନ୍‌ କରିନଥିଲେ ଭାରତ ୩୦୬ ରନ୍‌ରେ ପହଞ୍ଚିପାରିନଥା’ନ୍ତା। ତଥାପି ଏହା ଇଡେନ୍ ପାର୍କର ପାର୍‌ ସ୍କୋର୍‌ଠାରୁ ୪୦ ରନ୍ କମ୍‌ ଥିଲା। ଯାହ‌ାକୁ ଘରୋଇ ଦଳ ୪୭ ଓଭରରେ ଜିତିଯାଇଥିଲା। ଆସନ୍ତା ମାସର ବାଂଲାଦେଶ ସିରିଜ୍ ବେଳକୁ ରୋହିତ ଶର୍ମା ଫେରୁଥିବା ବେଳେ ଗିଲଙ୍କ ଖେଳିବା ନେଇ ସଂଶୟ ରହିବ। ସେହିଭଳି ସୂର୍ଯ୍ୟଙ୍କୁ ବିଶ୍ରାମ ଦିଆଯାଉଥିବାରୁ ରାହୁଲଙ୍କ ପ୍ରତ୍ୟାବର୍ତନ ମଧ୍ୟ ତାଙ୍କ ପାଇଁ ସୁଯୋଗ ରଖିବ। ଆସନ୍ତାବର୍ଷର ଦିନିକିଆ ବିଶ୍ବକପ୍‌ ଦୃଷ୍ଟିରୁ ଭାରତୀୟ ମ୍ୟାନେଜମେଣ୍ଟ ମଧ୍ୟ ସବୁ ଦିଗକୁ ‌ଦେଖି ଖେଳାଳି ଚୟନ କରୁଛି। ଉପ ଅଧିନାୟକ ଭୂମିକାରେ ଥିବା ଋଷଭ ପନ୍ତଙ୍କଠାରୁ ସ୍ଥିର ପ୍ରଦର୍ଶନ ମଧ୍ୟ ଦଳ ଆଶା କରୁଛି। ହାମିଲଟନ୍‌ ବଡ଼ ପଡ଼ିଆ ହୋଇଥିବାରୁ ୟୁଝବେନ୍ଦ୍ର ଚହଲଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଖେଳାଇବା ଯୋଜନା କରୁଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଉମ୍ରାନ ମଲ୍ଲିକଙ୍କ ବିନା ଅନ୍ୟ ଦୁଇ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ଶାର୍ଦୁଳ ଠାକୁର ଭଲ ବୋଲିଂ କରିନଥିଲେ। ତେବେ ଷଷ୍ଠ ବୋଲର ବିକଳ୍ପ ରଖିନଥିବାରୁ ଭାରତ ଏହାର ଫଳ ଭୋଗିଥିଲା। ରବୀନ୍ଦ୍ର ଜାଦେଜା, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍ ନଥିବାରୁ ଏହି ସମସ୍ୟା ହୋଇଛି। ଦୀପକ ହୁଡ଼ା ଦଳରେ ଥିଲେ ମଧ୍ୟ କାହାକୁ ବାହାରେ ବସାଇ ତାଙ୍କୁ ‌ଖେଳାଯିବ ଚୂଡାନ୍ତ ନିଷ୍ପତ୍ତି ହୋଇପାରିନାହିଁ।

ପିଚ୍‌ ରିପୋର୍ଟ: ହାମିଲଟନ୍‌ର ଇଡେନ୍ ପାର୍କରେ ୨୦୨୦ ପରଠୁ ମାତ୍ର ୩ ଦିନିକିଆ ଅନ୍ତର୍ଜାତୀୟ ଖେଳାଯାଇଛି। ଏଥିରୁ ଦୁଇ ଥର ପ୍ରଥମ ପାଳିରେ ୩୩୦ରୁ ଊର୍ଧ୍ବ ସ୍କୋର୍‌ ହୋଇଛି। ଭାରତ ମଧ୍ୟ ଥରେ ୩୪୭ ରନ୍ କରିଛି। ରସ୍ ଟେଲରଙ୍କ ଶତକ ପାଇଁ କିନ୍ତୁ ଭାରତ ହାରିଯାଇଥିଲା। ରବିବାର ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ହେବ ବୋଲି ଆଶା କରାଯାଉଛି। ବର୍ଷା ମଧ୍ୟ ଏହି ମ୍ୟାଚ୍‌କୁ ଧମକାଇଛି। ଅପରାହ‌୍‌ଣ ଓ ସଂଧ୍ୟାରେ ବର୍ଷା ହେବ ବୋଲି ପୂର୍ବାନୁମାନ ରହିଛି।

ଭାରତ ସମ୍ଭାବ୍ୟ ୧୧: ଶିଖର ଧାୱନ (ଅଧିନାୟକ), ଶୁବମନ ଗିଲ୍‌, ଶ୍ରେୟସ ଆୟର, ଋଷଭ ପନ୍ତ୍ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ/ଦୀପକ ହୁଡ଼ା, ସଂଜୁ ସାମସନ୍, ୱାସିଂଟନ୍‌ ସୁନ୍ଦର, ଶାର୍ଦୁଳ ଠାକୁର/ଦୀପକ ଚହର, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ, ୟୁଝ‌ବେନ୍ଦ୍ର ଚହଲ/କୁଲଦୀପ ଯାଦବ।
ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ୧୧: ଫିନ୍ ଆଲେନ, ଡେଭନ୍ କନୱେ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଟମ୍ ଲଥାମ (ୱିକେଟରକ୍ଷକ), ଡାରିଲ୍ ମିଚେଲ୍‌, ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିସାମ, ମ‌ିଚେଲ ସାଣ୍ଟନର୍‌, ଟିମ୍ ସାଉଦି, ମ୍ୟାଟ ହେନରି, ଲୋକି ଫର୍ଗୁସନ୍‌।

ସମ୍ବନ୍ଧିତ ଖବର