ନିର୍ଣ୍ଣାୟକ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ହରାଇଲା ଭାରତ, ୨-୧ରେ ଜିତିଲା ଶୃଙ୍ଖଳା

ଥିରୁବନ୍ତପୁରମ: ବର୍ଷାବାଧିତ ମ୍ୟାଚକୁ ଭାରତ ୬ରନ୍‌ରେ ବିଜୟ ଲାଭ କରିଛି। ଏଥି ସହିତ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଥର ପାଇଁ ଶୃଙ୍ଖଳାରେ ବିଜୟୀ ହେବା ସହିତ ଇତିହାସ ରଚିଛି। ୬୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଖେଳିଥିବା ନ୍ୟୁଜିଲାଣ୍ଡ ଆଠ ଓଭରରେ ୬ଟି ଓ୍ଵିକେଟ ହରାଇ ୬୧ ରନ୍‌ ସଂଗ୍ରହ କରିଛି। ପାଳି ଆରମ୍ଭରୁ ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶପ୍ରିତ ବୁମରା ୨ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ଓପନର ମାର୍ଟିନ ଗୁପଟିଲ ୩ଟି ବଲ ଖେଲି ମାତ୍ର ଗୋଟିଏ ରନ୍‌ ସଂଗ୍ରହ କରିବା ପରେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇ ଯାଇଥିଲେ। ସେହିପରି କୋଲିନ ମନରୋ ୬ଟି ବଲ ଖେଲି ୭ରନ୍‌ କରିଥିଲେ। ସେ ଯଶପ୍ରିତ ବୁମରାଙ୍କ ବଲ ରୋହିତ ଶର୍ମାକୁ କ୍ୟାଚ ଦେଇଥିଲେ। ନ୍ୟୁଜିଲାଣ୍ଡ ୮ରନ୍‌ ସ୍କୋର କରିଥିବା ବେଳେ ୧.୨ ଓଭରରେ ପ୍ରଥମ ଓ୍ଵିକେଟ ଓ ୧.୨ ଓଭରରେ ୨ୟ ଓ୍ଵିକେଟ ହରାଇଥିଲା।

ଭାରତର ୩ୟ ଶିକାର ହୋଇଥିଲେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌(୮)। ସେ ହାର୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ୪ର୍ଥ ଓ୍ଵିକେଟରେ ଗ୍ଲେନ ଫିଲିପ୍ସ(୧୧) ଆଉଟ ହୋଇଥିବା ବେଳେ ୫ମ ଓ୍ଵିକେଟରେ ହେନରୀ ନିକୋଲ୍ସ ଓ ୬ଷ୍ଠ ଓ୍ଵିକେଟରେ ଟିମ ବ୍ରାଉସ ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ୨୮ରନରେ ୩ୟ ଓ ୪ର୍ଥ ଓ୍ଵିକେଟ, ୩୯ ରନ୍‌ରେ ୫ମ ଓ୍ଵିକେଟ, ୪୯ରନ୍‌ରେ ୬ଷ୍ଠ ଓ୍ଵିକେଟ ହରାଇଥିଲା। ଶେଷ ଓଭରରେ ବିଜୟ ପାଇଁ ୧୮ ରନ୍‌ ଥିବା ବେଳେ ଏହାକୁ ପୂରା କରିବାରେ ବିଫଳ ହୋଇଥିଲା।

ପୂର୍ବରୁ ବର୍ଷାବାଧିତ ମ୍ୟାଚରେ ଭାରତ ୫ଟି ଓ୍ଵିକେଟ ହରାଇ ୬୭ ରନ୍‌ ସଂଗ୍ରହ କରିଥିଲା। ଶୃଙ୍ଖଳାର ଶେଷ ମ୍ୟାଚ ପୂର୍ବରୁ ବର୍ଷା ଲାଗି ରହିବାରୁ ଏହାକୁ ଉଭୟ ପକ୍ଷ ପାଇଁ ୮ଓଭର ଲେଖାଏଁ କରି ଦିଆଯାଇଥିଲା। ନ୍ୟୁଜିଲାଣ୍ଡକୁ ୬୮ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

କେରଳର ଥିରୁବନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୩ୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିଥିଲା।

ରୋହିତ ଶର୍ମା(୮), ଶିଖର ଧାଓ୍ଵନ(୬), ବିରାଟ କୋହଲି(୧୩), ଶ୍ରେୟସ ଆୟର(୬), ମନୀଷ ପାଣ୍ଡେ(୧୭), ହାର୍ଦିକ ପାଣ୍ଡ୍ୟା(୧୭), ମହେନ୍ଦ୍ର ସିଂହ(୦) ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡର ସୋଧି ଓ ଟିମ୍‌ ସାଉଦି ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଡ ଗୋଟିଏ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର