ଭାରତ-ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ଟ୍ବେଣ୍ଟି-୨୦ ଆଜି: ପୁଣି ବର୍ଷା ଆଶଙ୍କା, ଭୁବିଙ୍କୁ ନେଇ ଦ୍ବନ୍ଦ୍ବ

ମାଉଣ୍ଟ୍‌ ମୌଙ୍ଗନୁଇ: ୱେଲିଂଟନ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଟ୍ବେଣ୍ଟି-୨୦ ବର୍ଷା ଧୋଇନେଇଥିଲା। ରବିବାର କିନ୍ତୁ ଭାରତ ଓ ନ୍ୟୁଜିଲାଣ୍ଡ୍‌ ଏହି ୩ ମ୍ୟାଚ୍‌ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ପରସ୍ପରକୁ ଭେଟିବାକୁ ପ୍ରସ୍ତୁତ ହେଉଛନ୍ତି। ଏଠାରେ ମଧ୍ୟ ବର୍ଷାର ଧମକ ରହିଛି। ପ୍ରକୃତି କୋଳରେ ଥିବା ‌ମାଉଣ୍ଟ୍ ମୌଙ୍ଗନୁଇ ‘ବେ ଅଫ୍‌ ପ୍ଲେଣ୍ଟି’ ଭାବେ ପରିଚିତ। ରବିବାର କିନ୍ତୁ କିଛି କ୍ରିକେଟ୍ ଆକ୍ସନ ଦେଖିବାକୁ ମିଳିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ବେ ଓଭାଲର ବଡ଼ ପଡ଼ିଆରେ ଭାରତୀୟ ଖେଳାଳି ଅଭ୍ୟସ୍ତ ହୋଇଯିବେ ବୋଲି ବିଶ୍ବାସ କରାଯାଉଛି। ବିଶ୍ବକପ୍‌ ବିଫଳତା ପରେ ଭାରତୀୟ ଦଳର ଖେଳ ମନୋଭାବ ମୁଖ୍ୟ ପ୍ରସଙ୍ଗ ହୋଇ ରହିବ। ଅକ୍ରମଣାତ୍ମକ ଅଭିମୁଖ୍ୟ ଜାରି ରହିବ ବୋଲି କାମଚଳା ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ କହି ସାରିଛନ୍ତି। ୩୩ ବର୍ଷୀୟ ଭୁବନେଶ୍ବର କୁମାରଙ୍କୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ପଡ଼ିଛି।

ଭୁବିଙ୍କ ଗତିରେ ଅବନତି ଘଟିଥିବାରୁ ୨୦୨୪ ବିଶ୍ବକପ୍‌ ବେଳକୁ ସେ ଯୋଜନା ଭିତରେ ରହିପାରିବେ କି ନା ଦଳୀୟ ମ୍ୟାନେଜମେଣ୍ଟ୍‌ ନିଶ୍ଚିତ ହୋଇପାରିନାହାନ୍ତି। ଚଳିତ ବର୍ଷ କିନ୍ତୁ ସେ ଅଗ୍ରଣୀ ବୋଲର ଥିବାରୁ ତାଙ୍କୁ ବାହାରେ ବସାଇପାରିବାର ସାହାସ ଜୁଟାଇ ପାରିନି ଦଳ। ଅନ୍ୟପକ୍ଷରେ ଏକମାତ୍ର ଅଭିଜ୍ଞ ବୋଲର ଭାବେ ଦଳରେ ସେ ରହିଛନ୍ତି। ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ହର୍ଷଲ ପଟେଲ୍‌ ପ୍ରମୁଖଙ୍କ ମଧ୍ୟରୁ କାହାକୁ ତାଙ୍କ ସହ ଫିଟ୍‌ କରାଯିବ ଲକ୍ଷ୍ମଣ ଓ ପାଣ୍ଡ୍ୟା ବିଚାର କରୁଛନ୍ତି। ଅର୍ଶଦୀପ ସିଂହ କିନ୍ତୁ ନିଶ୍ଚିତ ଚୂଡ଼ାନ୍ତ ଏକାଦଶରେ ରହିବେ। ଓପନିଂରେ ମଧ୍ୟ ଭାରତ ଈଶାନ କିଶାନ-ଶୁବମନ ଗିଲ୍‌ଙ୍କ ବଦଳରେ ଗିଲ୍‌-ପନ୍ତ୍‌ଙ୍କ ବାମ-ଡାହାଣ‌ ଯୋଡ଼ିକୁ ଖେଳାଇବାକୁ ବିଚାର କରୁଛି। କିନ୍ତୁ ଦୀପକ ହୁଡ଼ା ଓ ଶ୍ରେୟସ ଆୟରଙ୍କୁ ଖେଳାଇବା ଯୋଜନା ହେଲେ ଈଶାନ କିଶନଙ୍କୁ ବାହାରେ ବସିବାକୁ ପଡ଼ିପାରେ। ମାଉଣ୍ଟ ମୌଙ୍ଗନୁଇରେ ସମ୍ପୂର୍ଣ୍ଣ ‌‌ହୋଇଥିବା ଶେଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଗ୍ଲେନ୍ ଫିଲିପ୍ସ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫୧ ବଲ୍‌ରୁ ୧୦୮ ରନ୍‌ ସଂଗ୍ରହ କରିଥିଲେ। ୟୁଝବେନ୍ଦ୍ର ଚହଲଙ୍କ ସହ ତାଙ୍କ ବ୍ୟକ୍ତିଗତ ମୁକାବିଲା ହେବ ବୋଲି ବିଶ୍ବାସ କରାଯାଉଛି।

ମୁହାଁମୁହିଁ: ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ମୋଟ ୨୦ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳାଯାଇଛି। ଭାରତ ୧୧-୯ରେ ଆଗୁଆ ରହିଛି। ୨୦୨୦ ଗସ୍ତରେ ଭାରତ ଶେଷ ଦୁଇ ମ୍ୟାଚ୍‌କୁ ସୁପର୍‌ ଓଭରରେ ଜିତିଥିଲା। ହାମିଲଟନ୍‌ର ସେଡନ୍‌ ପାର୍କ ଏବଂ ୱେଲିଂଟନ୍‌ର ସ୍କାଏ ଷ୍ଟାଡିୟମ୍‌ରେ ଏହି ଦୁଇ ମ୍ୟାଚ୍‌ ଖେଳାଯାଇଥିଲା। ସବୁଠାରୁ ମଜା କଥା ହେଲା ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତ ନିଜର ପ୍ରଥମ ୫ ଟ୍ବେଣ୍ଟି-୨୦ ମ୍ୟାଚ୍‌ (୨୦୦୭-୨୦୧୬) ହାରିଥିଲା। ବିଶ୍ବକପ୍‌ରେ ଭାରତ ନିଜର ସମସ୍ତ ୩ ମ୍ୟାଚ୍‌ ହାରିଛି ଏହି ଦଳଠାରୁ। ୨୦୦୭ରେ ଜୋହାନ୍ସବର୍ଗରେ ୧୦ ରନ୍‌ରେ, ୨୦୧୬ରେ ନାଗପୁରରେ ୪୭ ରନ୍‌ରେ, ୨୦୨୧ରେ ଦୁବାଇରେ ୮ ୱିକେଟ୍‌ରେ ହାରିଥିଲା।

ପିଚ୍‌: ବେ’ ଓଭାଲ୍ ପିଚ୍‌ରେ ଟ୍ବେଣ୍ଟି-୨୦ର ପ୍ରଥମ ପାଳି ହାରାହାରି ରନ୍‌ ହେଉଛି ୧୯୯ ରନ୍‌। ଇକୋନୋମି ଦୃଷ୍ଟିରୁ ସ୍ପିନରମାନେ ଏଠାରେ ଭଲ କରନ୍ତି। ଦ୍ରୁତ‌ ‌େବାଲରଙ୍କ ଓଭର ପିଛା ୯.୬୫ ତୁଳନାରେ ସ୍ପିନର୍‌ମାନେ ୮.୦୫ ହାରରେ ରନ୍ ଦିଅନ୍ତି। ଦୁଇ ଦର୍ଷ ତଳେ ଏଠାରେ ଖେଳାଯାଇଥିବା ଶେଷ ଟ୍ବେଣ୍ଟି-୨୦ ବର୍ଷାରେ ଧୋଇଯାଇଥିଲା। ଏଥର ମଧ୍ୟ ସମାନ ଆଶଙ୍କା ରହିଛି।

ନଜରରେ ତଥ୍ୟ: ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ସୂର୍ଯ୍ୟକୁମାର ଯାଦବ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୬୦ ଛକା ମାରି ସାରିଛନ୍ତି। ଯାହାକି ସର୍ବାଧିକ। ୟୁଏଇର ମହମ୍ମଦ ୱାସିମ୍ (୪୩) ଦ୍ବିତୀୟ ସ୍ଥାନରେ ରହିଛି। ‌ସେହିଭଳି ଋଷଭ ପନ୍ତ୍‌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ ରନ୍‌ ପୂର୍ଣ୍ଣ କରିବାଠାରୁ ୩୦ ରନ୍‌ ଦୂରରେ ଅଛନ୍ତି। ସେ ଏକାଦଶ ଭାରତୀୟ ଭାବେ ଏହି କ୍ଲବ୍‌ରେ ସାମିଲ ହୋଇପାରିବେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ବେ’ ଓଭାଲରେ ଗ୍ଲେନ୍ ଫିଲିପ୍ସ ୫ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପାଳିରେ ୧୮୩.୧୭ ଷ୍ଟ୍ରାଇକ୍ ରେଟ୍‌ରେ ୧୯୬ ରନ୍ ସଂଗ୍ରହ କରିଛନ୍ତି।

ଭାରତ ସମ୍ଭାବ୍ୟ ୧୧: ଈଶାନ କିଶାନ, ଶୁବମନ ଗିଲ୍‌, ‌ଶ୍ରେୟସ ଆୟର/ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାସିଂଟନ୍ ସୁନ୍ଦର, ହର୍ଷଲ ପଟେଲ୍‌, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ୧୧: ଫିନ୍ ଆଲେନ୍‌, ଡେଭନ୍ କନୱେ (ୱିକେଟରକ୍ଷକ), କେନ୍‌ ୱିଲିୟମସନ୍‌ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍‌,‌ ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍‌, ଟିମ୍ ସାଉଦି, ଈଶ ସୋଢ଼ୀ, ଆଦାମ ମିଲନେ, ଲୋକି ଫର୍ଗୁସନ୍‌।

ସମ୍ବନ୍ଧିତ ଖବର