ଭାରତ-ନ୍ୟୁଜିଲାଣ୍ଡ୍‌ ତୃତୀୟ ଟ୍ବେଣ୍ଟି-୨୦ ଆଜି

ନାପିଏର୍: ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ ମ୍ୟାଚ୍‌ ବର୍ଷା ଧୋଇନେଇଥିବାବେଳେ ଦ୍ବିତୀୟରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ୫୧ ବଲ୍‌ ୧୧୧* ରନ୍‌ ଭାରତକୁ ୧-୦ରେ ଆଗୁଆ ରଖିଛି। ଫଳରେ ମଙ୍ଗଳବାର ମ୍ୟାଚ୍‌ ଜିତି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ଶୃଙ୍ଖଳା ଟ୍ରଫି ହାସଲ କରିବା ଆଶାରେ ରହିଛନ୍ତି। ଅନ୍ୟପକ୍ଷରେ ଶୃଙ୍ଖଳାକୁ ସମତୁଲ ଭାବେ ଶେଷ କରିବା ଲାଗି ଘରୋଇ ନ୍ୟୁଜିଲାଣ୍ଡ୍‌ ଆଶା ରଖିଛି। ଭାରତ ଗତ ମ୍ୟାଚ୍‌ରେ ଜିତିଥିଲେ ମଧ୍ୟ ସୂର୍ଯ୍ୟକୁମାରଙ୍କ ବିନା ବ୍ୟାଟିଂରେ ଆଉ କେହି ବିଶେଷ ପ୍ରଭାବୀ ନଥିଲେ। ଈଶାନ କିଶନ ବେଳ ୩୬ ରନ୍‌ କରିପାରିଥିଲେ। ଋଷଭ ପନ୍ତ୍‌ଙ୍କୁ ପାଳି ଆରମ୍ଭ ସୁଯୋଗ ଦେବାରୁ ସୁଫଳ ମିଳିପାରିନଥିଲା। ବିଶ୍ବକପ୍‌ ‌ସେମିଫାଇନାଲ୍‌ରୁ ବିଦାୟ ନେବା ପରେ ଭବିଷ୍ୟତକୁ ନଜରରେ ରଖି ଦଳ ଗଢ଼ାଯାଉଥିବାରୁ ଭାରତ ମଙ୍ଗଳବାର କିଛି ପରିବର୍ତନ କରି ଖେଳିବ ବୋଲି ବିଶ୍ବାସ କରାଯାଉଛି। ବିଶେଷ କରି ଯୁବ ଦ୍ରୁତ‌ ବୋଲର ଉମ୍ରାନ ମଲ୍ଲିକ ଓ ୱିକେଟରକ୍ଷକ ସଂଜୁ ସାମସନଙ୍କୁ ଦଳ‌ ‌ଖେଳାଇବା ସମ୍ଭାବନା କଥା ବିଚାର କରୁଛି। ଗତମ୍ୟାଚ୍‌ ପରେ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟାରୁ ସୂଚନା ମିଳୁଛି ଭାରତ ବିଶେଷ ପରିବର୍ତନ କରିବ ନାହିଁ।

ନ୍ୟୁଜିଲାଣ୍ଡ କିନ୍ତୁ ଏହାର ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ବିନା ‌ଖେଳିବ ମଙ୍ଗଳବାର ମ୍ୟାଚ୍‌। ଡାକ୍ତରୀ ଦାୟିତ୍ବ ଥିବାରୁ ସେ ଏହି ମ୍ୟାଚ୍‌ ପାଇଁ ଉପଲବ୍‌ଧ ହେବେ ନାହିଁ। ଫଳରେ ଟିମ୍ ସାଉଦି ଦଳର ନେତୃତ୍ବ ନେବେ ଏବଂ ୱିଲିୟମସନ୍‌ଙ୍କ ବଦଳରେ ମାର୍କ ଚାପମ୍ୟାନଙ୍କୁ ଦଳରେ ସାମିଲ କରାଯାଇଛି।
ନାପିଏରରେ ଭାରତ ପ୍ରଥମ ଥର ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ପୂର୍ବରୁ ଭ୍ରମଣକାରୀ ଦଳ ଏଠାରେ କିନ୍ତୁ ୭ ଦିନିକିଆ ଓ ୨ ଟେଷ୍ଟ୍ ଖେଳିବାର ଅଭିଜ୍ଞତା ରଖିଛି। ମ୍ୟାକଲିନ୍‌ ପାର୍କରେ ଗତ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିଲା। ମଙ୍ଗଳବାର ସଂଧ୍ୟାରେ ମଧ୍ୟ ସାମାନ୍ୟ ବର୍ଷାର ଆଶଙ୍କା ରହିଛି। ଏହି ପଡ଼ିଆରେ ଶେଷ ହୋଇଥିବା ୪ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ଦଳ ଚମକିଛନ୍ତି। ଏହା ମଧ୍ୟରୁ ଇଂଲଣ୍ଡର ୨୪୧ ରନ୍‌ ୨୦୧୯ ମସିହାରୁ ସର୍ବୋଚ୍ଚ ହୋଇ ରହିଛି।
ଭାରତ ସମ୍ଭାବ୍ୟ ୧୧: ଈଶାନ କିଶାନ, ଋଷଭ ପନ୍ତ୍ (ୱିକେଟରକ୍ଷକ), ‌ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ଼ା, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାସିଂଟନ୍ ସୁନ୍ଦର, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ୧୧: ଫିନ୍ ଆଲେନ୍‌, ଡେଭନ୍ କନୱେ (ୱିକେଟରକ୍ଷକ), ମାର୍କ ଚାପମ୍ୟାନ୍‌, ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍‌,‌ ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍‌, ଟିମ୍ ସାଉଦି (ଅଧିନାୟକ), ଈଶ ସୋଢ଼ୀ, ଆଦାମ ମିଲନେ, ଲୋକି ଫର୍ଗୁସନ୍‌।

ସମ୍ବନ୍ଧିତ ଖବର