ଭୁବନେଶ୍ବର: ଚଳିତ ଏଫଆଇଏଚ୍‌ ‌ପ୍ରୋ ଲିଗ୍‌ର ଦ୍ବିତୀୟ ଚରଣରେ ଶୁକ୍ରବାର ପୁଣି ଭାରତ ଓ ନ୍ୟୁଜିଲାଣ୍ଡ୍‌ ମୁକାବିଲା ହେବ। ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ରେ ସ୍ପେନ୍‌ ନିକଟରୁ ୩-୪ରେ ହାରିଯାଇଥିଲା। ଏବେ ରିଭର୍ସ ମୁକାବିଲାରେ ଭାରତ ମଧ୍ୟ ପ୍ରଥମ ମ୍ୟାଚ୍‌ ପ୍ରଦର୍ଶନକୁ ଦୋହରାଇବାକୁ ଆଶା ରଖିଛି। ଭାରତ ଅଦ୍ୟାବଧି ଖେଳିଥିବା ଉଭୟ ମ୍ୟାଚ୍‌ରେ ଏହାର ଦୁର୍ବଳ ରକ୍ଷଣଭାଗ ପଦାରେ ପଡ଼ିଛି। ସ୍ପେନ୍‌ ବିପକ୍ଷରେ ହର୍ମନପ୍ରୀତ୍‌ ସିଂହ ୨ ଗୋଲ୍ ଦେଇଥିଲେ ମଧ୍ୟ ପ୍ରଥମ ଗୋଲ୍ ବରଣର କାରଣ ସାଜିଥିଲେ। ଗୋଲରକ୍ଷକ ପିଆର ଶ୍ରୀଜେଶ ମଧ୍ୟ ନିଜ ଶ୍ରେଷ୍ଠ ସମୟରେ ନଥିବାର ପ୍ରତିଫଳିତ ହୋଇଛି। ଅତି ସହଜରେ ଗୋଲ୍ ବରଣ କରୁଛନ୍ତି ଏହି ଅଭିଜ୍ଞ ତଥା ସଦ୍ୟ ଏଫଆଇଏଚ୍ ପ୍ଲେୟାର୍‌ ଅଫ ଦି ଇୟର୍ ବିବେଚିତ ଗୋଲରକ୍ଷକ। ଭାରତକୁ ପ୍ରତିଟି କ୍ବାର୍ଟରରେ ଆକ୍ରମଣ କରିବାକୁ ପଡ଼ିବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌।

Advertisment

ପ୍ରଥମ ଦୁଇ ମ୍ୟାଚ୍‌ରେ ଅଧିକାଂଶ ସମୟ ଭାରତ ପଛୁଆ ରହୁଥିବାରୁ ଏଭଳି ଯୋଜନାରେ ଖେଳିବାକୁ ପଡ଼ିବ ବୋଲି ସେ କହିଛନ୍ତି। କାରଣ ପଛରେ ପଡ଼ିଗଲେ ପ୍ରତ୍ୟାବର୍ତନ କରିବା ସବୁବେଳେ ସମ୍ଭବ ହୁଏ ନାହିଁ। ନ୍ୟୁଜିଲାଣ୍ଡ୍ ପାଇଁ ଚମତ୍କାର ଖେଳୁଥିବା ସାଇମନ୍ ଚାଇଲ୍ଡଙ୍କୁ ବି ରୋକିବାକୁ ପଡ଼ିବ ହର୍ମନପ୍ରୀତ୍ ସିଂହଙ୍କ ଦଳକୁ। ‘ଗତ ମ୍ୟାଚ୍‌ରେ ଆମର ୩ଟିରୁ ଦୁଇଟି ଭୁଲ୍ ପାଇଁ ମୂଲ୍ୟ ଦେବାକୁ ପଡିଥିଲା। ଏବେ ରକ୍ଷଣାତ୍ମକ ଆଚରଣକୁ ପରିହାର କରି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନିରଂତର ଜାରି ରଖିବାକୁ ପଡ଼ିବ’ ବୋଲି ରିଡ୍ ପ୍ରକାଶ କରିଛନ୍ତି। ‘‘ଭାରତରେ ଭାରତ ସହ ଖେଳିବାକୁ କେହି ବି ମିସ୍ କରିବାକୁ ଚାହାନ୍ତି ନାହିଁ। ହକି ପାଇଁ ଏଠି ଚମତ୍କାର ପରିବେଶ ରହିଛି। ଆମେ ମଧ୍ୟ ଆକ୍ରମଣାତ୍ମକ ହକି‌ ଖେଳିବାକୁ ପସନ୍ଦ କରିଛୁ’’ ବୋଲି କହିଥିଲେ ନ୍ୟୁଜିଲାଣ୍ଡ୍ ମୁଖ୍ୟ ପ୍ରଶିକ୍ଷକ ଗ୍ରେଗ୍ ନିକୋଲ୍। ଡି ଏରିଆ ବାହାର ଆମ ମୁକାବିଲା ଦକ୍ଷତା ଭଲ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ନିକୋଲ୍‌।

ଭାରତ ଏବଂ ନ୍ୟୁଜିଲାଣ୍ଡ୍‌ ଅଦ୍ୟାବଧି ପରସ୍ପର ସହିତ ୪୩ ମ୍ୟାଚ୍‌ ଖେଳିଛନ୍ତି। ଭାରତ ୨୩ ଜିତିଥିବାବେଳେ ୧୫ ହାରିଛି। ଅବଶିଷ୍ଟ ୫ ମୁକାବିଲା ଅମୀମାଂସିତ ରହିଛି। ସେହିଭଳି ସ୍ପେନ୍‌ ସହିତ ଭାରତ ମଧ୍ୟ ୬୭ ମ୍ୟାଚ୍‌ ଖେଳି ୨୫ ଜିତି ୩୦ ହାରିଛି। ୧୩ଟି ମ୍ୟାଚ୍‌ ଅମୀମାଂସିତ ରହିଛି। ସ୍ପେନ୍‌ ସହ ଭାରତ ରବିବାର ଏହାର ପାଲଟା ମ୍ୟାଚ୍‌ ଖେଳିବ। ଏଫଆଇଏଚ୍ ମାନ୍ୟତା ଦୃଷ୍ଟିରୁ ଭାରତ ପଞ୍ଚମରେ ରହିଥିବାବେଳେ ସ୍ପେନ୍‌ ୮ ଓ ନ୍ୟୁଜିଲାଣ୍ଡ୍‌ ୯ ନମ୍ବର ଦଳ। ସେହି ଦୃଷ୍ଟିରୁ ଘରୋଇ ପରିବେଶରେ ବିଶେଷ କରି ଦର୍ଶକଭରା କଳିଙ୍ଗ ଷ୍ଟାଡିୟମ୍‌ର ଫାଇଦା ଭାରତକୁ ମିଳିବ ବୋଲି ବିଶ୍ବାସ କରାଯାଉଛି।