ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍ରେ ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଦୁଇ ସନ୍ତୁଳିତ ଓ ଦୃଢ଼ ମାନସିକ ଦକ୍ଷତାଧାରୀ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ। ଏହି ପ୍ରତୀକ୍ଷିତ ଫାଇନାଲ୍ ଫାଇଟ୍ ପାଇଁ ଉଭୟ ଦଳ ସବୁପ୍ରକାର ପ୍ରସ୍ତୁତି କରିସାରିଛନ୍ତି। ଦୋଷ ଦୁର୍ବଳତାକୁ ଦୂର କରିବା ଲାଗି ଜୋରଦାର୍ ଅଭ୍ୟାସ କରିବା ସହ ଦୁବାଇ ପରିବେଶକୁ ଖାପଖୁଆଇଲା ଭଳି ରଣନୀତି ପ୍ରସ୍ତୁତ କରି ନେଇଛନ୍ତି। ଅପରାହ୍ଣ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହାଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି। ଭାରତ ସହ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନରେ ଏହି ମ୍ୟାଚ୍କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଭାରତ ଫାଇନାଲ୍ ଯିବା ପରେ ପୂର୍ବନିଷ୍ପତ୍ତି ଅନୁସାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦୁବାଇ ଖେଳାଯାଉଛି। ଏଭଳି ସ୍ଥିତିରେ ପାକ୍ ପ୍ରଶଂସକ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେବେ ଏକମାତ୍ର ଦଳ ଭାବେ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ସୁପର୍ସଣ୍ଡେରେ ସୁପର୍ ବିଜୟ ହାସଲ କରି ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ୨୫ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ
ଭେଟେଭେଟି ହେବା ରବିବାରର ମୁକାବିଲାକୁ ଆହୁରି ସ୍ବତନ୍ତ୍ର ତଥା ରୋଚକ କରିଛି।
ବୋଲିଂ, ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ; ସବୁ ଦୃଷ୍ଟିରୁ ଦୁଇଟି ଯାକ ଦଳ କେହି କାହାଠୁ କମ୍ ନଥିବାରୁ ରବିବାର ଏକ ଜବରଦସ୍ତ ଟକ୍କର ହେବାକୁ ଯାଉଛି। ଭାରତ ପଞ୍ଚମ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଖେଳି ଯଥାକ୍ରମେ ତୃତୀୟ ଓ ଦ୍ବିତୀୟ ଥର ଲାଗି ବିଜେତା ହେବାକୁ ଚେଷ୍ଟା କରିବେ। ତେବେ ଭାରତ ଗତ ୧୪ ଆଇସିସି ଇଭେଣ୍ଟରୁ ୧୨ଥର ନକ୍ଆଉଟ୍ ପର୍ଯ୍ୟାୟକୁ ଯାଇ ୩ଥର ଜିତିଛି। ନ୍ୟୁଜିଲାଣ୍ଡ ଗତ ୧୪ ଆଇସିସି ଇଭେଣ୍ଟ୍ରୁ ୮ଟିରେ ନକ୍ଆଉଟ୍ ପର୍ଯ୍ୟାୟକୁ ଯାଇ ମାତ୍ର ଗୋଟିକରେ ବିଜୟୀ ହୋଇଛି। ଆଇସିସିର ସବୁପ୍ରକାର ପ୍ରତିଯୋଗିତାରେ ଭାରତ ତାର ପ୍ରତିପକ୍ଷ ନ୍ୟୁଜିଲାଣ୍ଡଠାରୁ ଢେର୍ ଆଗରେ ରହି ଆସିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଜୟ-ପରାଜୟ ରେକର୍ଡ ୧୦-୬ ରହିଛି।
ଆଇସିସି ସୀମିତ ଓଭର ଇଭେଣ୍ଟ୍ରେ କିନ୍ତୁ ଭାରତ-ନ୍ୟୁଜିଲାଣ୍ଡ ୧୨ ମ୍ୟାଚ୍ରେ ଖେଳି ୬ଟି ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ରହିଛନ୍ତି। ଚଳିତ ଚାମ୍ପିଅନ୍ସ ଟ୍ରଫିର ଲିଗ୍ ପର୍ଯ୍ୟାୟରେ ବି ରୋହିତ ବାହିନୀ ନ୍ୟୁଜିଲାଣ୍ଡକୁ ହରାଇ ସାରିଛି। ଯାହା ଟିମ୍ ଇଣ୍ଡିଆ ସପକ୍ଷରେ ଯାଉଛି। ହେଲେ ଆଇସିସି ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଭାରତ ବିପକ୍ଷରେ ଭଲ ରହିଛି। ଏହି କ୍ଷେତ୍ରରେ ଭାରତ ବିପକ୍ଷରେ କିୱି ଦଳ ସପକ୍ଷରେ ରେକର୍ଡ ୩-୧ ରହିଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି।
ଦୁଇ ଥର ବିଜେତା ଭାରତ ଓ କଳା ଘୋଡ଼ା ନ୍ୟୁଜିଲାଣ୍ଡ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ରେ ପ୍ରଥମ ଓ ଶେଷ ଥର ପାଇଁ ଲଢ଼ିଥିଲେ। ସେହି ମ୍ୟାଚ୍ରେ ଭାରତକୁ ନ୍ୟୁଜିଲାଣ୍ଡ ୪ ୱିକେଟ୍ରେ ହରାଇ ପ୍ରଥମ ଥର ପାଇଁ କୌଣସି ଆଇସିସି ସୀମିତ ଓଭର ପ୍ରତିଯୋଗିତାର ବିଜେତା ହୋଇଥିଲା। ଏହା ପରଠାରୁ ଭାରତ ଆଉ ତିନି ଥର ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ରେ ପ୍ରବେଶ କରିଛି। ସେହିଭଳି ନ୍ୟୁଜିଲାଣ୍ଡ ମଧ୍ୟ ୨୦୦୯ରେ ଶେଷ ଥର ପାଇଁ ଫାଇନାଲ୍ ଖେଳି ଉପବିଜେତାରେ ସନ୍ତୁଷ୍ଟ ହୋଇଛି। ହେଲେ ଉଭୟ ଦଳ କେବେ ବି ଆଉ ଫାଇନାଲ୍ରେ ସାମ୍ନାସାମ୍ନି ହୋଇନାହାନ୍ତି। ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ତା’ର ଅନ୍ତିମ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏଣୁ ଭାରତୀୟ କ୍ରିକେଟ୍ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣିବା ପୂର୍ବରୁ ଆଉ ଏକ ଆଇସିସି ଟ୍ରଫି ନିଜ ନାଁରେ କରିନେବା ଲକ୍ଷ୍ୟରେ ରହିବେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଅଢ଼େଇ ଦଶନ୍ଧି ତଳେ ଷ୍ଟିଫେନ୍ ଫ୍ଲେମିଂଙ୍କ ନେତୃତ୍ବରେ ଯେଉଁ ଐତିହାସିକ ସଫଳତା ରଚିଥିଲା, ତାକୁ ପୁନର୍ବାର ଦୋହରାଇବା ଆଶାରେ ମିଚେଲ ସାଣ୍ଟନର୍ଙ୍କ ଦଳ ପଡ଼ିଆକୁ ଓହ୍ଲାଇବ।