ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ୍‌ ଦିନିକିଆ ଶୃଙ୍ଖଳା: ନଜରରେ ୨୦୨୩ ବିଶ୍ବକପ୍‌

ଅକ୍‌ଲାଣ୍ଡ୍‌: ଟ୍ବେଣ୍ଟି-୨୦ ପରେ ଶୁକ୍ରବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ଏକ ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଉଛନ୍ତି। ୨୦୨୩ ଦିନିକିଆ ବିଶ୍ବକପ୍‌ ୧୧ ମାସରୁ କମ୍ ସମୟ ଥିବାରୁ ଏବେଠାରୁ ଦୁଇ ଦଳ ନିଜ ପ୍ରସ୍ତୁତି ଯୋଜନା କରିଛନ୍ତି। ୨୦୨୩ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଭାରତର ବିଭିନ୍ନ ଷ୍ଟାଡିୟମ୍‌ରେ‌‌ ଖେଳାଯିବ। ଆର୍ଥାତ୍ ଭାରତ ଓ ନ୍ୟୁଜିଲାଣ୍ଡର ଖେଳାଳିମାନେ ଦିନିକିଆ ଫର୍ମାଟରେ ତେକେ ପାରଙ୍ଗମ ଏବଂ କେତେ ପ୍ରସ୍ତୁତ ଏହି ଶୃଙ୍ଖଳାରୁ ନିଶ୍ଚିତ ଆଭାସ ମିଳିବ। ୨୦୧୯ ଦିନିକିଆ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଭାରତକୁ ନ୍ୟୁଜିଲାଣ୍ଡ୍‌ ପରାସ୍ତ କରିଥିଲା। ଉଭୟ ଦଳ ପ୍ରମୁଖ ଖେଳାଳିଙ୍କ ବିନା ଏହି ଶୃଙ୍ଖଳା ଖେଳୁଥିବାରୁ ଯୁବ ପ୍ରତିଭାମାନଙ୍କ ପାଇଁ ବଡ଼ ସୁଯୋଗ ରହିବ। ଶିଖର ଧାୱନଙ୍କ ଦଳରେ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଦେଜା, ଆର୍ ଅଶ୍ବିନ, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ଭୁବନେଶ୍ବର କୁମାର, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ନାହାନ୍ତି। ଅନ୍ୟପକ୍ଷରେ କେନ୍‌ ୱିଲିୟମସନ୍‌ଙ୍କ ଦଳ ମଧ୍ୟ ମାର୍ଟିନ ଗପ୍ଟିଲ୍‌, ଟ୍ରେଣ୍ଟ ବୋଲ୍ଟ, ଈଶ ସୋଢ଼ିଙ୍କ ବିନା ଏହି ୩ ମ୍ୟାଚ୍‌ ଶୃଙ୍ଖଳା ଖେଳିବ। ଭାରତ ଆଇସିସି ଦିନିକିଆ ସୁପର୍‌ ଲିଗ୍‌ ଟପ୍ପର ମଧ୍ୟ ହୋଇଛି। ନ୍ୟୁଜିଲାଣ୍ଡ୍‌ ପାଇଁ କିନ୍ତୁ ଏହି ଶୃଙ୍ଖଳା ଅଧିକ ଗୁରୁତ୍ବ ରଖିଛି। ଏହି ବିଶ୍ବକପ୍‌ ଉପବିଜେତା ଦଳ ଏବେ ଆଇସିସି ମାନ୍ୟତାର ଶୀର୍ଷରେ ଥିବାରୁ ସିଧାସଳଖ ଯୋଗ୍ୟତା ପାଇବାରେ ବିଶେଷ ଅସୁବିଧା ହେବ ନାହିଁ। ସୁପର୍‌ ଲିଗ୍‌ରେ ଏହି ଦେଶ ୧୫ରୁ ୧୧ ଜିତିଛି।

ଦିନିକିଆ ଶୃଙ୍ଖଳା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା‌ ଟ୍ବେଣ୍ଟି-୨୦ରେ ଭାରତ ୧-୦ରେ ଜିତିଥିଲେ ମଧ୍ୟ ମାତ୍ର ଜଣେ ଖେଳାଳି ସୂର୍ଯ୍ୟକୁମାର ଯାଦବ ଫରକ ପକାଇଥିଲେ। ଦିନିକିଆ ଫର୍ମାଟରେ କିନ୍ତୁ ଜଣେ ଖେଳାଳି ପ୍ରଭାବ ଛାଡ଼ିବା ନିଶ୍ଚିତ କଷ୍ଟକର ବ୍ୟାପାର। କିଛି ପ୍ରମୁଖ ଖେଳାଳି ନଥିଲେ ମଧ୍ୟ ଭାରତୀୟ ଦଳ ଉଚ୍ଚମାନର ଖେଳାଳିଙ୍କୁ ରଖିଛି। ଧାୱନଙ୍କ ସହିତ ଶୁବମନ ଗିଲ୍‌ ମିଳିତ ଭାବେ ୮ ଦିନିକିଆରୁ ୩ଟି ଶତକୀୟ ଭାଗୀଦାରି କରିଛନ୍ତି। ଏମାନେ ପୁଣି ପାଳି ଆରମ୍ଭ କରିବା ନିଶ୍ଚିତ। ଗିଲ୍‌ ମଧ୍ୟ ଚଳିତ ବର୍ଷ ଚମତ୍କାର ଫର୍ମରେ ଥାଇ ୭୫.୭୧ ହାରାହାରିରେ ୫୩୦ ରନ୍‌ ସଂଗ୍ରହ କରିଛନ୍ତି। ରୋହିତ ଶର୍ମା ପ୍ରତ୍ୟାବର୍ତନ କଲେ ଗିଲ୍‌ ଆସନ୍ତା ବର୍ଷର ବିଶ୍ବକପ୍‌ ପାଇଁ ନିଶ୍ଚିତ ସଂରକ୍ଷିତ ଓପନର୍ ସ୍ଥାନ ନେବା ନିଶ୍ଚିତ। ଷଷ୍ଠ ବୋଲର୍ ବିକଳ୍ପ ଭାବେ ଦୀପକ ହୁଡ଼ାଙ୍କୁ ଖେଳାଇ ଭାରତ ନିଜର ବ୍ୟାଟିଂକୁ ଲମ୍ବା ରଖିବାକୁ ଯୋଜନା କରିଛି। ୱାସିଂଟନ୍ ସୁନ୍ଦର, ଦୀପକ ଚହର, ଶାର୍ଦୁଳ ଠାକୁର ମଧ୍ୟ ଭାରତର ବ୍ୟାଟିଂ ଗଭୀରତା ବଢ଼ାଇ ପାରିବେ। ଅନ୍ୟପକ୍ଷରେ ୨୦୧୯ ବିଶ୍ବକପ୍‌ ଫାଇନାଲ୍ ପରଠାରୁ ୱିଲିୟମସନ୍ ମାତ୍ର ୬ଟି ଦିନିକିଆ ଖେଳିଥିବାରୁ ଅଧିକ ମ୍ୟାଚ୍‌ ଅଭ୍ୟାସ ଆଶାରେ ରହିଛନ୍ତି।
ପିଚ୍‌: ଅକଲାଣ୍ଡ୍‌ର ଇଡେନ୍ ପାର୍କରେ ଛୋଟ ବାଉଣ୍ଡରି ଥିବାରୁ ବୋଲରମାନେ ଭିନ୍ନ ଯୋଜନାରେ ରହିବେ। ସୂର୍ଯ୍ୟକୁମାର ଯାଦବଙ୍କ ୩୬୦ ଡିଗ୍ରି ବ୍ୟାଟିଂ ଏଠାରେ ଦେଖିବା ଭଳି ହେବ ବୋଲି ବିଶ୍ବାସ କରାଯାଉଛି। ପାଗ ମେଘୁଆ ରହିଥିଲେ ମଧ୍ୟ ବର୍ଷାର କୌଣସି ପୂର୍ବାନୁମାନ କରାଯାଇନାହିଁ। ଇଡେନ୍ ପାର୍କ ପିଚ୍‌ରେ କିନ୍ତୁ ପେସ୍‌ ବୋଲର (୫.୦୩)ଙ୍କ ତୁଳନାରେ ସ୍ପିନର୍‌ (୪.୭୯) ସାମାନ୍ୟ ଉନ୍ନତ ଇକୋନୋମି ରେଟ୍‌ ରଖିଛନ୍ତି।

ତଥ୍ୟ: ଆଉ ମାତ୍ର ଗୋଟିଏ ୱିକେଟ୍‌ ଦଖଲ କଲେ ପଞ୍ଚମ ନ୍ୟୁଜିଲାଣ୍ଡ୍‌ ବୋଲର ଭାବେ ଟିମ୍ ସାଉଦି ୨୦୦ ଦିନିକିଆ ୱିକେଟ୍ କ୍ଲବ୍‌ରେ ସାମିଲ ହେବେ। ୫ ୱିକେଟ୍‌ ସଫଳତା ପାଇଲେ କ୍ରିସ୍ କେର୍ଣ୍ଣସ (୨୦୧) ଏବଂ କ୍ରିସ୍ ହାରିସ୍ (୨୦୩)ଙ୍କୁ ବି ଟପିପାରିବେ। ଭାରତ ପକ୍ଷରୁ ଚଳିତ ବର୍ଷ ୟୁଝବେନ୍ଦ୍ର ଚହଲ୍‌ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ଭାବେ ୧୧ ମ୍ୟାଚ୍‌ରୁ ୨୧ ୱିକେଟ୍ ନେଇଛନ୍ତି ୫.୩୫ ଇକୋନୋମିରେ।

ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ୧୧: ଫିନ୍ ଆଲେନ, ଡେଭନ୍ କନୱେ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଟମ୍ ଲଥାମ (ୱିକେଟରକ୍ଷକ), ଡାରିଲ୍ ମିଚେଲ୍‌, ଗ୍ଲେନ୍ ଫିଲିପ୍ସ, ମାଇକେଲ୍‌ ବ୍ରେସୱେଲ୍‌, ମ‌ିଚେଲ ସାଣ୍ଟନର୍‌, ଆଦାମ ମିଲନେ, ଟିମ୍ ସାଉଦି, ଲୋକି ଫର୍ଗୁସନ୍‌।

ଭାରତ ସମ୍ଭାବ୍ୟ ୧୧: ଶିଖର ଧାୱନ (ଅଧିନାୟକ), ଶୁବମନ ଗିଲ୍‌, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟରକ୍ଷକ), ଦୀପକ ହୁଡ଼ା, ୱାସିଂଟନ୍‌ ସୁନ୍ଦର, ଦୀପକ ଚହର, ଶାର୍ଦୁଳ ଠାକୁର, ଅର୍ଶଦୀପ ସିଂହ, ୟୁଝ‌ବେନ୍ଦ୍ର ଚହଲ/କୁଲଦୀପ ଯାଦବ।

ସମ୍ବନ୍ଧିତ ଖବର