ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଶୁକ୍ରବାରଠାରୁ ଦ୍ବିତୀୟ ତଥା ଶେଷ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ ବର୍ଷା ଏବଂ ଦଳୀୟ ସମନ୍ବୟକୁ ନେଇ ବିରାଟ କୋହଲି ଚିନ୍ତାରେ ହୋଇପଡ଼ିଛନ୍ତି। ପ୍ରଥମ ଦିନ ଖେଳ ବର୍ଷା ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ବର୍ଷା ପାଇଁ ମଧ୍ୟ ଦୁଇ ଦଳ ଭଲରେ ଅଭ୍ୟାସ କରିପାରିନାହାନ୍ତି। କାନପୁର ଟେଷ୍ଟ୍‌ ଅମୀମାଂସିତ ରହିଥିବାରୁ ଉଭୟ ଦଳ ୱାଙ୍ଖ୍‌ଡେ ଟେଷ୍ଟ୍ ଜିତି ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛନ୍ତି। ଜୁନ୍‌ ମାସରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ୍‌ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ବିଜେତା ହୋଇଥିଲା। ଭାରତ ଏହାର ପ୍ରତିଶୋଧ ନେବାକୁ କାନପୁର ଟେଷ୍ଟ୍‌ରେ ସୁଯୋଗ ପାଇଥିଲେ ମଧ୍ୟ ‌ଗୋଟିଏ ୱିକେଟ୍‌ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା। ଏବେ କୋହଲିଙ୍କ ଆଗମନ ପରେ ଦଳ ପ୍ରତିଶୋଧ ସହିତ ଶୃଙ୍ଖଳା ବିଜୟର ସ‌ୁଯୋଗ ରଖିଛି।

Advertisment

ଭାରତ ପାଇଁ ମଧ୍ୟକ୍ରମ ବ୍ୟାଟିଂ ଚିନ୍ତାର କାରଣ ହୋଇଛି। କୋହଲିଙ୍କ ଅନୁପସ୍ଥିିତିରେ ସୁଯୋଗ ପାଇଥିବା ଶ୍ରେୟସ ଆୟର କାନପୁରରେ ଉଭୟ ପାଳିରେ ଶତକ-ଅର୍ଦ୍ଧଶତକ ମାରି କୀର୍ତ୍ତିମାନ ପ୍ରତିଷ୍ଠା କରିଥିବାରୁ ତାଙ୍କୁ ୱାଙ୍ଖ୍‌ଡେ ଟେଷ୍ଟ୍‌ରେ ବାହାରେ ବସାଇବା ସମ୍ଭବ ନୁହେଁ। ସେପଟେ ଦୁଇ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ବର ପୂଜାରା ଲମ୍ବା ସମୟ ହେବ ଫର୍ମକୁ ନେଇ ସଂଘର୍ଷ କରୁଥିବାରୁ ଏମାନଙ୍କ ମଧ୍ୟରୁ ଜଣଙ୍କୁ ବସାଇବା ଯୋଜନାରେ ରହିଛି ଦଳ। ରାହାଣେ ଗତ ମ୍ୟାଚ୍‌ରେ ଦଳର ନେତୃତ୍ବ ନେବା ଏବଂ ପର ମ୍ୟାଚ୍‌ରେ ବାହାରେ ବସିବା ଠିକଣା ନିଷ୍ପତ୍ତି ହୋଇନପାରେ।

ଏହା ଛଡ଼ା ସେ ଘରୋଇ ୱାଙ୍ଖ୍‌ଡେ ପଡିଆରେ ପ୍ରଥମ ଟେଷ୍ଟ୍‌ ଖେଳିବା ସୁଯୋଗ ମଧ୍ୟ ପାଇଥିବାରୁ ଦଳୀୟ ପରିଚାଳକ ଏଥିରୁ ତାଙ୍କୁ ବଞ୍ଚିତ ରଖିନପାରନ୍ତି। ପୂଜାରା ବାହାରେ ବସିବା ସମୟ ଆସିଯାଇଛି ବୋଲି ବିବେଚନା କରାଯାଉଛି। ଅନ୍ୟ ଦୁଇଟି ସମ୍ଭାବ୍ୟ ପରିବର୍ତନ ହେଉଛି ଅନଫିଟ୍‌ ଋଦ୍ଧିମାନ ସାହା ଏବଂ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ବଦଳରେ ଯୁବ ୱିକେଟରକ୍ଷକ କେଏସ୍ ଭରତ ଓ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିପାରେ। ଏହା ହେଲେ ଭରତଙ୍କୁ ଟେଷ୍ଟ୍ ପଦାର୍ପଣ ସୁଯୋଗ ମିଳିଯିବ। ଋଷଭ ପନ୍ତ୍‌ ବିଶ୍ରାମ ନେଉଥିବାରୁ ଭରତଙ୍କୁ ଦଳରେ ସାମିଲ କରାଯାଇଥିଲା। କାନପୁରରେ ଋଦ୍ଧିମାନ ସାହାଙ୍କ ବେକ ସମସ୍ୟା ଦେଖାଦେବାରୁ ଭରତ ଉଭୟ ପାଳିରେ ଅଧିକାଂଶ ସମୟ ୱିକେଟରକ୍ଷଣ କରି ପ୍ରଶଂସିତ ହୋଇଥିଲେ।

ଏପରିକି ମୟଙ୍କ ଅଗ୍ରୱାଲଙ୍କୁ ବସାଇ କୋହଲିଙ୍କୁ ସିଧାସଳଖ ସାମିଲ କରାଯିବା କଥା ମଧ୍ୟ ବିଚାର କରାଯାଉଛି। ଏଭଳି ‌କ୍ଷେତ୍ରରେ ଗିଲଙ୍କ ସହ ପୂଜାରା କିମ୍ବା ଭରତ ପାଳି ଆରମ୍ଭ କରିପାରନ୍ତି। ପାଗ ଦୃଷ୍ଟିକୋଣରୁ ଅତିରିକ୍ତ ଜଣେ ପେସ୍‌ ବୋଲର୍‌ ଖେଳାଇବା କଥା ଦଳ ବିଚାର କରୁଛି ବୋଲି କୋହଲି ସୂଚନା ଦେଇଛନ୍ତି। ଋଦ୍ଧିମାନ ସାହା ଫିଟ୍‌ ଥିବା କଥା କହିଛନ୍ତି।

ରାହାଣେ ଓ ପୂଜାରାଙ୍କ ଭଳି ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ମଧ୍ୟ ଦୁଇ ବର୍ଷ ହେବ ଶତକ ମିଳିନାହିଁ। ‌ଅନ୍ୟପକ୍ଷରେ ୱାଙ୍ଖ୍‌ଡେରେ ଶେଷ ଥର ପାଇଁ କୋହଲି ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ୨୩୫ ରନ୍‌ ପାଳି ଖେଳିଥିବାରୁ ସେଭଳି ଏକ ପାଳିର ଅପେକ୍ଷାରେ ରହିଛନ୍ତି। ନ୍ୟୁଜିଲାଣ୍ଡ୍‌ କିନ୍ତୁ ଭାରତ ମାଟିରେ ‌ଶେଷ ଥର ପାଇଁ ୧୯୮୮ ମସିହାରେ ଏକ ଟେଷ୍ଟ୍ ଜିତିଥିଲା, ଯାହାକି ଦଳକୁ ୱାଙ୍ଖ୍‌‌ଡେରେ ମିଳିଥିବାରୁ ସେହି ପଡ଼ିଆ ଭ୍ରମଣକାରୀ ଦଳକୁ ଆତ୍ମବିଶ୍ବାସ ଦେବ। ମୁମ୍ବାଇରେ ଏବେ ବର୍ଷା ଚାଲିଥିଲେ ମଧ୍ୟ ପିଚ୍ ସ୍ପିନରଙ୍କୁ ସୁହାଇବ ଏବଂ ଫଳାଫଳ ମିଳିବା ସମ୍ଭାବନା ରହିବ।

ସମ୍ଭାବ୍ୟ ଭାରତ ଏକାଦଶ: ଶୁଭମନ ଗିଲ୍‌, ମୟଙ୍କ ଅଗ୍ରୱାଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାଣେ, କେଏସ୍ ଭରତ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ବିନ୍‌, ମହମ୍ମଦ ସିରାଜ ଓ ଉମେଶ ଯାଦବ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍‌ ଏକାଦଶ: ଟମ୍ ଲଥାମ, ୱିଲ୍ ୟଙ୍ଗ୍‌, କେନ୍‌ ୱିଲିୟମସନ୍‌, ରସ୍ ଟେଲର୍‌, ହେନରି ନିକଲ୍ସ, ଟମ୍ ବ୍ଲଣ୍ଡେଲ୍‌, ରାଚିନ୍ ରବୀନ୍ଦ୍ର, କାଇଲ୍ ଜାମିସନ୍‌, ଟିମ୍ ସାଉଦି, ଏଜାଜ ପଟେଲ୍‌, ୱିଲ୍‌ ସୋମରଭିଲ୍‌।