ଭାରତ ଓ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା: ବିରଳ ‘୫-୦’ ଲକ୍ଷ୍ୟରେ ବିରାଟ ବାହିନୀ

ତୌରଙ୍ଗା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା‌ ଶେଷ ମ୍ୟାଚ୍ ରବିବାର ମାଉଣ୍ଟମଙ୍ଗନୁଇରେ ଖେଳାଯିବ। ପ୍ରଥମ ଚାରିଟି ମ୍ୟାଚ୍ ଜିତି ୪-୦ରେ ଆଗୁଆ ଥିବା ଭାରତ ପାଇଁ ଏଥିରେ ନ୍ୟୁଜିଲାଣ୍ଡ ମାଟିରେ ବିରଳ ‘୫-୦’ ମୂଳପୋଛ ହାସଲ କରିବାର ସୁଯୋଗ ରହିବ। ଅର୍ଥାତ୍ ରବିବାର ଭାରତ ଜିତିଲେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡରେ କୌଣସି ଟ୍ବେଣ୍ଟି-୨୦ ଶୃଙ୍ଖଳାର ସବୁ ମ୍ୟାଚ୍ ଜିତିବ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନିଟି ମ୍ୟାଚ୍‌ରେ କ୍ରମାଗତ ବିଜୟ ହାସଲ କରିଥିବା କୋହଲି ବାହିନୀ ଚତୁର୍ଥ ମ୍ୟାଚ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇଥିଲା। ତଥାପି ଏହି ରୋମାଞ୍ଚକର ଲଢ଼େଇକୁ ସୁପର ଓଭରରେ ଜିତି ନେଇଥିଲା। ଶୃଙ୍ଖଳାରେ ମଧ୍ୟ ଏହା ଦଳର ଲାଗାତର ଦ୍ବିତୀୟ ସୁପର ଓଭର ବିଜୟ ଥିଲା। ଭାରତର ଉଭୟ ସୁପର ଓଭର ବିଜୟରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ପରାଜିତ ହୋଇଥିଲା। ସେଥିପାଇଁ ଆସନ୍ତାକାଲିର ମ୍ୟାଚ୍‌ରେ କିୱି ଦଳ ସାନ୍ତ୍ବନାମୂଳକ ବିଜୟରେ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। ତେବେ ଘରୋଇ ଦଳ ନିଶ୍ଚିତ ଭାବେ ନିଜ ଅଧିନାୟକ କେନ୍ ୱିଲିୟମସନଙ୍କ ଅନୁପସ୍ଥିତି ଅନୁଭବ କରିବ। ଆହତ ହେବା ପରେ ୱିଲିୟମସନ୍ ଶୃଙ୍ଖଳାର ‌ଶେଷ ଦୁଇ ମୁକାବିଲାରୁ ବାଦ୍ ପଡ଼ିଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନ୍ରୋ ଫର୍ମକୁ ଫେରିବା ନ୍ୟୁଜିଲାଣ୍ଡ ପାଇଁ ଅବଶ୍ୟ ଆଶ୍ବସ୍ତିକର ଖବର ହୋଇଛି। ମାଉଣ୍ଟମଙ୍ଗନୁଇରେ ମଧ୍ୟ ପୂର୍ବରୁ ସେ ୬୧.୪୦ ହାରରେ ରନ୍ ସଂଗ୍ରହ କରିଛନ୍ତି। ରବିବାର ତାଙ୍କ ପ୍ରଦର୍ଶନ ନ୍ୟୁଜିଲାଣ୍ଡ ପାଇଁ ଢେର ମହତ୍ବପୂର୍ଣ୍ଣ ରହିବ। ସେପଟେ ଭାରତ ପ୍ରମୁଖ ବୋଲରଙ୍କୁ ହରାଇବା ପରେ ଯୁବ ବୋଲରଙ୍କୁ ନେଇ ଚମତ୍କାର ପ୍ରଦର୍ଶନ କରିଆସୁଛି। ଇତିହାସ ସୁଯୋଗ ଥିଲେ ମଧ୍ୟ ଚତୁର୍ଥ ଭଳି ପଞ୍ଚମ ମୁକାବିଲାରେ ଭାରତ ଚୂଡ଼ାନ୍ତ ଦଳରେ ପରୀକ୍ଷାନିରୀକ୍ଷା କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଜାରି ରହିପାରେ ପରୀକ୍ଷାନିରୀକ୍ଷା
ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ପରୀକ୍ଷାନିରୀକ୍ଷା ଜାରି ରଖିପାରେ। ଶୁକ୍ରବାର ଦଳ ଅଭ୍ୟାସ କରିଥିବା ବେଳେ ସାମ୍ବାଦିକ ସମ୍ମିଳନୀରୁ ମଧ୍ୟ ଦୂରେଇ ରହିଛି। ସେଥିପାଇଁ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭାରତ ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ସୁଯୋଗ ଦେଲେ କେଏଲ୍ ରାହୁଲଙ୍କୁ ବିଶ୍ରାମ ଦେଇପାରେ। ଅଧିନାୟକ କୋହଲି ନିଜେ ବିଶ୍ରାମ ନେବାର ନିଷ୍ପତ୍ତି ନେଲେ ରୋହିତ ଶର୍ମା ଫେରି ଦଳର ନେତୃତ୍ବ ନେବେ। କୁଲଦୀପ ଯାଦବଙ୍କୁ ବାଛିଲେ, ସେ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନ ନେବେ। ମାଉଣ୍ଟମଙ୍ଗନୁଇରେ ଖେଳାଯାଇଥିବା ଗତ ପାଞ୍ଚଟି ମ୍ୟାଚ୍‌ର ହାରାହାରି ପ୍ରଥମ ପାଳି ରନ୍ ‌ହେଉଛି ୧୯୯। ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ଏଠାରେ ଗତ ପାଞ୍ଚଟି ଯାକ ମ୍ୟାଚ୍ ଜିତିଛି। ଏଠାକାର ପିଚ୍ ପୁଣି ଥରେ ବ୍ୟାଟରଙ୍କୁ ସୁହାଇବ ବୋଲି ପୂର୍ବାନୁମାନ ରହିଛି।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ସଞ୍ଜୁ ସାମସନ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ଶିଭମ ଦୁବେ, ୱାସିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ନଭଦୀପ ସୈନି, ଯଶପ୍ରୀତ ବୁମରା।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, କଲିନ ମୁନ୍ରୋ, ଟିମ୍ ସେଫର୍ଟ, ରସ୍ ଟେଲର, ଟମ୍ ବ୍ରୁସ୍, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଈଶ୍ ସୋଢ଼ି, ଟିମ୍ ସାଉଦି, ହାମିସ ବେନେଟ, ସ୍କଟ୍‌ କୁଗେଲିନ।

ସାମି-ଶାର୍ଦୁଲ ବଖାଣିଲେ ଶେଷ ଓଭର ସଫଳତା ରହସ୍ୟ
ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଉତ୍କଣ୍ଠାପୂର୍ଣ୍ଣ ତୃତୀୟ ଓ ଚତୁର୍ଥ ମୁକାବିଲାକୁ ଭାରତ ସୁପର ଓଭରରେ ଜିତିଛି। ସୁପର ଓଭର ପୂର୍ବରୁ ଶେଷ ଓଭର ବୋଲିଂ କରି ମ୍ୟାଚ୍‌କୁ ଟାଇ ରଖିଥିବା ଦୁଇ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଶାର୍ଦୁଲ ଠାକୁର ନିଜ ନିଜ ସଫଳତାର ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ତୃତୀୟ ମ୍ୟାଚ୍‌ର ଶେଷ ଓଭର ବୋଲିଂ କରିଥିବା ସାମି କହିଛନ୍ତି ଯେ ମୁଁ ପ୍ରଥମ ବଲ୍‌କୁ ୟର୍କର ପକାଇବା ଯୋଜନାରେ ଥିଲି। ହେଲେ ବଲ୍ ମୋ ହାତରୁ ଖସି ଯିବା ପରେ ଏହା ଛକାରେ ପରିଣତ ହୋଇଥିଲା। ଆମ ପରାଜୟକୁ ଆଉ କେହି ରୋକିପାରିବେ ନାହିଁ ବୋଲି ମୋ ମନରେ ଭାବନା ଆସିଥିଲା। ଏଣୁ ବାଉଁସର ପକାଇଥିଲି। ୱିଲିୟମସନ୍ ଆଉଟ୍ ହେବା ପରେ ସର୍ଟବଲ୍ ପକାଇଥିଲି। ସ୍କୋର ସମାନ ହେବା ପରେ ପୁଣି ୟର୍କର ପକାଇ ସଫଳ ହୋଇଥିଲି। ଚତୁର୍ଥ ମ୍ୟାଚ୍‌ର ଶେଷ ଓଭର ବୋଲିଂ କରିଥିବା ଶାର୍ଦୁଲ କହିଛନ୍ତି ଯେ ମୁଁ ବହୁତ ଚାପରେ ଥିଲି। ପ୍ରଥମ ବଲ୍‌ରେ ୱିକେଟ୍ ନେବା ଲକ୍ଷ୍ୟରେ ଥିଲି। ସେଥିପାଇଁ ଧିମା ବଲ୍ ପକାଇଥିଲି ଏବଂ ଏହି ଯୋଜନା କାମ କରି ଯାଇଥିଲା। ଦ୍ବିତୀୟ ବଲ୍‌ରେ ଚୌକା ଖାଇବା ପରେ ଚାପ ବଢ଼ି ଯାଇଥିଲା। ଏହା ପରେ ସାମି ଭାଇଙ୍କ ପଥ ଅନୁସରଣ କରି ମ୍ୟାଚ୍ ଟାଇ କରି ଦେଇଥିଲି।

ସମ୍ବନ୍ଧିତ ଖବର