ଖ୍ରୀଷ୍ଟ୍ଚର୍ଚ : ନ୍ୟୁଜିଲାଣ୍ଡ-ଏ ବିପକ୍ଷ ପ୍ରଥମ ଟେଷ୍ଟ୍ର ତୃତୀୟ ଦିବସ ଶେଷ ସୁଦ୍ଧା ଭାରତର ସ୍ଥିତି ସଂକଟଜନକ ଥିଲା। ହାତରେ ୮ ୱିକେଟ୍ ଥାଇ ଅତିଥି ଦଳ ପାଳି ପରାଜୟ ଏଡାଇବାକୁ ୨୧୯ ରନ୍ ଦରକାର କରୁଥିଲା। ପ୍ରଥମ ପାଳିରେ ମାତ୍ର ୨୧୬ ରନ୍ କରିଥିବାରୁ ଦ୍ବିତୀୟ ପାଳିରେ ନ୍ୟୁଜିଲାଣ୍ଡ୍ ବୋଲରମାନେ ଭାରତକୁ ନୟାନ୍ତ କରିବା ଲକ୍ଷ୍ୟରେ ଥିଲେ। ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୫୬୨/୭ (ଘୋଷିତ) କରିଥିବାରୁ ୩୪୬ ରନ୍ର ଅଗ୍ରଣୀ ପାଇଯାଇଥିଲା। ହେଲେ ଶୁବମନ୍ ଗିଲ୍ (୨୦୪*, ୨୭୯ ବଲ୍, ୨୨ ଚୌକା, ୪ ଛକା)ଙ୍କ ଅପରାଜିତ ଦ୍ବିଶତକ ସାଙ୍ଗକୁ ଅଧିନାୟକ ହନୁମା ବିହାରୀ (୧୦୦*, ୧୧୩ ବଲ୍, ୧୧ ଚୌକା, ୩ ଛକା) ଓ ପ୍ରିୟଙ୍କ ପାଞ୍ଚଲ (୧୧୫, ୧୬୪ ବଲ୍, ୭ ଚୌକା, ୬ ଛକା)ଙ୍କ ଶତକ ବଳରେ ଭାରତ ଦ୍ବିତୀୟ ପାଳିରେ ଜବରଦସ୍ତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଦେଇଥିଲା। ତୃତୀୟ ଦିବସ ଅସମାପ୍ତ ସ୍କୋର୍ ୧୨୭/୨ରୁ ରବିବାର ଖେଳିଥିବା ଭାରତ କେବଳ ପାଞ୍ଚଲଙ୍କ ୱିକେଟ୍ ହରାଇ ୩୨୧ ରନ୍ ଯୋଡ଼ିବାରୁ ମ୍ୟାଚ୍ ଅମିମାଂସିତ ଭାବେ ଶେଷ ହୋଇଥିଲା। ପାଞ୍ଚଲ ଓ ଗିଲ୍ ତୃତୀୟ ୱିକେଟ୍ରେ ୧୬୭ ଏବଂ ଗିଲ୍ ଓ ବିହାରୀ ଅସମାପ୍ତ ଚତୁର୍ଥ ୱିକେଟ୍ରେ ୨୨୨ ରନ୍ ଯୋଡ଼ି ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ। ବିଦେଶ ଗସ୍ତରେ ଗିଲ୍ଙ୍କର ଏହା ଦ୍ବିତୀୟ ଦ୍ବିଶତକ। ଏହା ପୂର୍ବରୁ ଗତବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେ ପ୍ରଥମ ଦ୍ବିଶତକ ହାସଲ କରିଥିଲେ।
ଭାରତ-ନ୍ୟୁଜିଲାଣ୍ଡ୍ ‘ଏ’ ଟେଷ୍ଟ୍ ଅମୀମାଂସିତ
ଗିଲ୍ଙ୍କ ଦ୍ୱିଶତକ
/sambad/media/post_attachments/wp-content/uploads/2020/02/shubamn-gill.jpg)