ଏକ ଦଶନ୍ଧିର ଅପେକ୍ଷା: ଆଜିଠୁ ଭାରତର ନ୍ୟୁଜିଲାଣ୍ଡ୍‌ ଅଭିଯାନ

ନାପିଏର: ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଅଭିଯାନରେ ବାହାରିଛି। ଏହି କଷ୍ଟକର ଗସ୍ତର ପ୍ରଥମ ଲଢ଼େଇ ବୁଧବାର ସକାଳେ ନାପିଏରଠାରେ ଖେଳାଯିବ। ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଜିତି ଆତ୍ମବିଶ୍ବାସର ସହ ନୂଆ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ କୋହଲି ବାହିନୀ ରହିବ। ଭିନ୍ନ ଜଳବାୟୁ, କଷ୍ଟକର ଖେଳ ପରିବେଶ ଓ ଅତୀତର ଦୁର୍ବଳ ପ୍ରଦର୍ଶନକୁ ପ୍ରତିହତ କରି ଭାରତୀୟ ଦଳ ଏଥର ନ୍ୟୁଜିଲାଣ୍ଡରେ ଦୀର୍ଘ ଏକ ଦଶନ୍ଧିର ଅପେକ୍ଷାରେ ପୂର୍ଣ୍ଣଛେଦ ଟାଣିବାକୁ ‌ଚେଷ୍ଟା କରିବ। କାରଣ ଗତ ୧୦ ବର୍ଷ ହେବ ଭାରତ ନ୍ୟୁଜିଲାଣ୍ଡରେ ଦିନିକିଆ ଶୃଙ୍ଖଳା ବିଜୟର ସ୍ବାଦ ଚାଖିନାହିଁ। ୨୦୧୪ରେ କରିଥିବା ଶେଷ ଗସ୍ତରେ ଭାରତ ଲଜ୍ଜା‌ଜନକ ପ୍ରଦର୍ଶନ କରି ୦-୪ରେ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ସମ୍ମୁଖରେ ସେଥର ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିବା ଭାରତୀୟ ଦଳରେ ଏବେକାର ଚାରି ତାରକା ରୋହିତ ଶର୍ମା, ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନି ଓ ଅମ୍ବାତି ରାୟୁଡୁ ମଧ୍ୟ ସଦସ୍ୟ ଥିଲେ। ଧୋନି ୨୦୧୪ରେ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆରେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ କିନ୍ତୁ ନ୍ୟୁଜିଲାଣ୍ଡରେ ମଧ୍ୟ ସେହି ସଫଳତା ଦୋହରାଇବା ଆଶା ଦଳ ତାଙ୍କ ଉପରେ ରଖିବ। ଶୃଙ୍ଖଳାରେ ଦିନିକିଆ ମାନ୍ୟତାର ଦ୍ବିତୀୟ ସ୍ଥାନ ମଧ୍ୟ ବାଜିରେ ରହିବ। ସଂପ୍ରତି ଇଂଲଣ୍ଡ (୧୨୬) ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛି। ଭାରତ (୧୨୧) ଦ୍ବିତୀୟ ଏବଂ ନ୍ୟୁଜିଲାଣ୍ଡ (୧୧୩) ତୃତୀୟ ସ୍ଥାନ ଅଧିକାର କରିଛି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୮ ପଏଣ୍ଟ୍‌ର ବ୍ୟବଧାନ ରହିଛି। ଶୃଙ୍ଖଳା ମୂଳପୋଛ କରି ଏହି ବ୍ୟବଧାନକୁ ଦୂର କରିନେବାର ସୁଯୋଗ ନ୍ୟୁଜିଲାଣ୍ଡ ପାଖରେ ଅଛି। ନ୍ୟୁଜିଲାଣ୍ଡ ଅନ୍ୟତମ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କାକୁ ମୂଳପୋଛ କରି ଏହି ଶୃଙ୍ଖଳାକୁ ଆସିଛି। ସେପଟେ ଭାରତ ମଧ୍ୟ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ତା’ ମାଟିରେ ଧୂଳି ଚଟାଇଛି। ‌ସେଥିପାଇଁ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

ପିଚ୍ ଓ ପରିବେଶ: ଜଳ ନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ପାକିସ୍ତାନ ବିପକ୍ଷ ଦୁଇଟି ଦିନିକିଆ ବାତିଲ ହେବା ପରେ ନାପିଏରର ମ୍ୟାକଲିନ୍ ପାର୍କକୁ ନବୀକରଣ କରାଯାଇଛି। ଶେଷ ଥର ପାଇଁ ଏହି ପଡ଼ିଆ ୨୦୧୫ ବିଶ୍ବକପ୍‌ରେ ଏକ ସଂପୂର୍ଣ୍ଣ ମ୍ୟାଚ୍ ଆୟୋଜନ କରିଥିଲା। ଏହି ପଡ଼ିଆର ସ୍କୋୟାର ସୀମାରେଖା ଅପେକ୍ଷାକୃତ ଛୋଟ। ଏଠାରେ ପାରମ୍ପରିକ ଭାବେ ବଡ଼ ସ୍କୋର ଦେଖିବାକୁ ମିଳିଥାଏ। ବ୍ୟାଟ୍ସମ୍ୟାନଙ୍କୁ ଏହି ପିଚ୍ ନ୍ୟୁଜିଲାଣ୍ଡର ଅନ୍ୟ ପିଚ୍ ତୁଳନାରେ ଅଧିକ ସୁହାଇଥାଏ। ବିରାଟ ‌କୋହଲିଙ୍କ ଶତକ ସତ୍ତ୍ବେ ଭାରତ ୨୦୧୪ ଗସ୍ତରେ ଏଠାରେ ଖେଳିଥିବା ଶେଷ ଦିନିକିଆକୁ ୨୪ ରନ୍‌ରେ ହାରି ଯାଇଥିଲା।

ଦଳ: ମେଲ୍‌ବର୍ନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଅଷ୍ଟ୍ରେଲିଆରେ ଶୃଙ୍ଖଳା ବିଜୟର ବିରଳ ସଫଳତା ଲାଭ କରିଥିବା ଅପରିବର୍ତିତ ଭାରତୀୟ ଦଳ ନାପିଏରରେ ପଡ଼ିଆକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତଥାପି ଦ୍ବିତୀୟ ସ୍ପିନର ସ୍ଥାନ ପାଇଁ ରବୀନ୍ଦ୍ର ଜାଦେଜା/କୁଲଦୀପ ଯାଦବ ଏବଂ ତୃତୀୟ ଦ୍ରୁତ ବୋଲର ପାଇଁ ମହମ୍ମଦ ସିରାଜ/ଖଲିଲ ଅହମ୍ମଦଙ୍କ ମଧ୍ୟରେ ମୁକାବିଲା ହୋଇପାରେ। ଅନ୍ୟପଟେ ଶ୍ରୀଲଙ୍କା ଶୃଙ୍ଖଳାକୁ ମୂଳପୋଛ କରିଥିବା ଦଳରେ ନ୍ୟୁଜିଲାଣ୍ଡ କେତେକ ପରିବର୍ତନ କରିପାରେ। ଟିମ୍ ସେଇଫର୍ଟଙ୍କ ସ୍ଥାନରେ ଟମ୍ ଲାଥମ ୱିକେଟ୍ ରକ୍ଷକ ଦାୟିତ୍ବକୁ ଫେରିବେ। ଆହତ ଜେମ୍ସ ନିସାମଙ୍କ ସ୍ଥାନରେ ମିଚେଲ ସାଣ୍ଟର ସୁଯୋଗ ପାଇପାରନ୍ତି। ସେହିଭଳି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ପାଇଁ ମ୍ୟାଟ୍ ହେନରି ବାଟ ଛାଡ଼ିପାରନ୍ତି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀନେଶ କାର୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା/କୁଲଦୀପ ଯାଦବ/ଖଲିଲ ଅହମ୍ମଦ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗପ୍ଟିଲ, କଲିନ୍ ମୁନ୍‌ରୋ, ରସ୍ ଟେଲର, ଟମ୍ ଲାଥମ, ହେନରି ନିକୋଲାସ, କଲିନ୍ ଡି’ ଗ୍ରା‌ଣ୍ଢୋମେ/ ମିଚେଲ ସାଣ୍ଟନର, ଟିମ୍ ସାଉଦି, ଲୋକି ଫର୍ଗୁସନ୍/ ଡଗ୍ ବ୍ରାସୱେଲ୍, ଟ୍ରେଣ୍ଟ ବୋଲ୍ଟ, ଈଶ୍ ସୋଢୀ।

ସମ୍ବନ୍ଧିତ ଖବର