କୁଇନ୍ସଟାଉନ୍: ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଏକମାତ୍ର ମହିଳା ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ। ଆସନ୍ତା ମାସରେ ଦିନିକିଆ ବିଶ୍ବକପ୍ ଥିବାରୁ ଭାରତୀୟ ଦଳ ଏହି ମ୍ୟାଚ୍ ପରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳି ନିଜକୁ ପ୍ରସ୍ତୁତ କରିବ। ଖ୍ରୀଷ୍ଟଚର୍ଚରେ ୧୦ ଦିନ ସଙ୍ଗରୋଧ ବିତାଇବା ପରେ ଭାରତୀୟ ଖେଳାଳିମାନେ ପ୍ରାକୃତିକ ଶୋଭାରାଜିରେ ଭରା କୁଇନ୍ସଟାଉନ୍ରେ ପହଞ୍ଚିଛନ୍ତି। ବିଶ୍ବକପ୍ ପୂର୍ବରୁ ପିଚ୍ ଓ ପାଗ ସହ ନିଜକୁ ଖାପ ଖୁଆଇବା ଲାଗି ଏହି ୬ ସୀମିତ ଓଭର ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କହିଛନ୍ତି ଦିନିକିଆ ଦଳ ଅଧିନାୟକ ମିତାଲି ରାଜ। ଟ୍ବେଣ୍ଟି-୨୦ ଅଧିନାୟିକା ହର୍ମନପ୍ରୀତ୍ କୌର୍ ସମ୍ପ୍ରତି ମହିଳା ବିଗ୍ବାସ୍ ଲିଗ୍ରେ ସଫଳତା ପାଇ ଫେରିଥିବାରୁ ବୁଧବାର ମ୍ୟାଚ୍କୁ ନେଇ ଆଶାବାଦୀ ରହିଛନ୍ତି। ଏହି ମ୍ୟାଚ୍ କିନ୍ତୁ ମିତାଲି ଖେଳିବେ ନାହିଁ। ଭାରତ ଏକ ‘ଶୁପ୍ତ ଶକ୍ତିଶାଳୀ’ ଦଳ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ୍ ଅଧିନାୟିକା ସୋଫି ଡିଭାଇନ୍। ଏହି ଦଳ ବିପକ୍ଷରେ ଖେଳି ବିଶ୍ବକପ୍ ପ୍ରସ୍ତୁତି କରିବା ଭଲ କଥା ବୋଲି ସୋଫି ସ୍ବୀକାର କରିଛନ୍ତି।
ଭାରତୀୟ ଦଳ: ହର୍ମନପ୍ରୀତ୍ କୌର୍, ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ, ସ୍ନେହ ରାଣା, ପୂଜା ବସ୍ତ୍ରାକାର, ମେଘନା ସିଂହ, ରେଣୁକା ସିଂହ, ତାନିଆ ଭାଟିଆ, ରାଜେଶ୍ବରୀ ଗାଏକ୍ବାଡ, ପୂନମ ଯାଦବ, ଏକତା ବିସ୍ତ, ସିମ୍ରନ ବାହାଦୂର, ଶଭିନେନି ମେଘନା।