ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍‌ରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା : ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ୍‌

ମାଞ୍ଚେଷ୍ଟର୍‌: ଆଜି ଆଇସିସି ବିଶ୍ୱକପ୍‌ର ୪୬ତମ ମ୍ୟାଚ୍‌ରେ ମାଞ୍ଚେଷ୍ଟର୍‌ର ଓଲ୍‌ଡ ଟ୍ରାଫୋର୍ଡଠାରେ ହେବାକୁ ଥିବା ସେମି ଫାଇନାଲ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଭେଟୁଛି ଭାରତ। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ୍‌।  ଭାରତୀୟ ଟିମ୍‌ରେ କୂଳଦୀପଙ୍କ ସ୍ଥାନରେ ୟୁଜଭେନ୍ଦ୍ର ଚହଲ ଆଜିର ମ୍ୟାଚ୍‌ରେ ସ୍ଥାନ ପାଇଛନ୍ତି।

ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଦୁଇ ଥର ବିଜେତା ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ଲଢ଼େଇ କରିବାକୁ ଯାଉଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଥର ଲାଗି ଫାଇନାଲ୍ ଟିକେଟ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ଆଜିର ମ୍ୟାଚ୍‌ରେ ଯିଏ ବିଜୟୀ ହେବ ସେ ସିଧାସଳଖ ଫାଇନାଲ୍‌କୁ ଯିବ। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ହେଉଛି ଏଥର ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍‌ ମ୍ୟାଚ୍‌। ଏହି ମ୍ୟାଚ୍‌ ଜିଣି ଫାଇନାଲରେ ପହଞ୍ଚିବା ପାଇଁ ପୂରାପୂରି ଭାବେ ପ୍ରସ୍ତୁତ ରହିଛନ୍ତି ବିରାଟ ବାହିନୀ।ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରେ ପରସ୍ପରକୁ ୭ ଥର ଭେଟିଛନ୍ତି। ସେଥିମଧ୍ୟରୁ ଭାରତ ୩ ଏବଂ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛି। ଦିନିକିଆ ପ୍ରଦର୍ଶନକୁ ବିଚାରକୁ ନେଲେ ଉଭୟ ଦଳ ୧୦୬ ଦିନିକିଆରେ ଲଢ଼େଇ କରିଛନ୍ତି। ସେଥିମଧ୍ୟରୁ ଭାରତ ୫୫ ଏବଂ ନ୍ୟୁଜିଲାଣ୍ଡ ୪୫ଟିରେ ବିଜୟୀ ହୋଇଛି। ତେବେ ଇଂଲଣ୍ଡ ମାଟିରେ ନ୍ୟୁଜିଲାଣ୍ଡକୁ ଭାରତ କେବେ ବି ହରାଇନାହିଁ। ଏହି ଦୃଷ୍ଟିରୁ ଭାରତ ପାଖରେ ମଙ୍ଗଳବାର ନୂଆ ଇତିହାସ ରଚିବାର ସୁଯୋଗ ରହିବ।

ମାଞ୍ଚେଷ୍ଟର ଆକାଶର ପାଗ .ମେଘୁଆ ରହିଥିବା ହେତୁ ବର୍ଷା ଖେଳରେ ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ରହିଛି ଯେ ଯଦି ୧୫ ଓଭର୍‌ ଭିତରେ ଖେଳ ହୋଇଥିବ ଆଉ ବର୍ଷା ଯୋଗୁ ବନ୍ଦ ରହିବ ତେବେ ଦର୍ଶକମାନଙ୍କୁ ସଂପୂର୍ଣ୍ଣ ଟିକେଟ୍‌ ଦର ଫେରସ୍ତ କରାଯିବ। ସେହିପରି ଯଦି ୧୫.୧ରୁ ୨୯.୫ ଓଭର୍‌ ଭିତରେ ଖେଳ ହୋଇ ବନ୍ଦ ହୋଇଯାଏ ତେବେ ଅଧା ଟିକେଟ୍‌ ଦାମ ଫେରସ୍ତ ହେବ।

ସମ୍ବନ୍ଧିତ ଖବର