ଭାରତ – ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ: ମୟଙ୍କଙ୍କ ଶତକ: ଭାରତ ୨୨୧/୪

ମୁମ୍ବାଇ, ୩ା୧୨: ମୟଙ୍କ ଅଗ୍ରୱାଲଙ୍କ ବହୁ ପ୍ରତୀକ୍ଷିତ ତଥା ଠିକଣା ସମୟ ଶତକ ବଳରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ପ୍ରଥମ ଦିନରେ ୪ ୱିକେଟ୍‌ ହରାଇ ୨୨୧ ରନ୍ କରିଛି। ପୂର୍ବ ଦୁଇ ଦିନର ବର୍ଷା କାରଣରୁ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ପୂର୍ବରୁ ଖେଳ ସମ୍ଭବ ହୋଇନଥିଲା। ଭାରତ କିନ୍ତୁ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳରେ ସ୍ଥାନ ବଜାୟ ରଖିବାକୁ ନେଇ ପ୍ରଶ୍ନ ଉଠିଥିଲେ ମଧ୍ୟ ମୟଙ୍କ ଅଗ୍ରୱାଲ୍‌ ଏଭଳି କଳ୍ପନା ଜଳ୍ପନାକୁ ପଛରେ ପକାଇ ଦେଇଥିଲେ। ମୟଙ୍କଙ୍କ ଆକର୍ଷଣୀୟ ୧୨୦* ରନ୍‌ ମଧ୍ୟ ଭାରତକୁ ପ୍ରଥମ ଦିନରେ ଘଟିଥିବା ଏକ ମିନି ବିପର୍ଯ୍ୟୟକୁ ଏଡ଼ାଇବାରେ ସକ୍ଷମ ହୋଇଛି।

ବିରାଟ କୋହଲି ବିଶ୍ରାମରୁ ଫେରିବା ପରେ ଶୁକ୍ରବାର ଟସ୍ ଜିତିବାରେ ବି ସଫଳ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ପ୍ରାରମ୍ଭିକ ଯୋଡ଼ି ମୟଙ୍କ ଅଗ୍ରୱାଲ୍ ଏବଂ ଶୁବମନ୍ ଗିଲ୍‌ ବଢ଼ିଆ ଆରମ୍ଭ କରିଥିଲେ। ୨୭.୩ ଓଭରରେ ୮୦ ରନ୍‌ ଯୋଡ଼ିଥିଲା ବେଳେ ଗିଲ୍‌ଙ୍କୁ ଏଜାଜ ପଟେଲ୍ ସ୍ଲିପ୍‌ରେ ରସ୍ ଟେଲରଙ୍କ ହାତରେ କ୍ୟାଚ୍‌ କରାଇ ଭ୍ରମଣକାରୀ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଲା ୮୦ ରନ୍‌ର ଦଳଗତ ସ୍କୋରରେ ଭାରତ ଆଉ ଦୁଇ ୱିକେଟ୍ ମଧ୍ୟ ହରାଇଥିଲା।

ବାମହାତୀ ସ୍ପିନର୍‌ ଏଜାଜ ପଟେଲ୍ ୨ ଓଭର ଭିତରେ ଏହି ୩ ୱିକେଟ୍‌ ନେଇ ଏକଦା ୮୦/୦ରେ ଥିବା ଭାରତକୁ ୮୦/୩ରେ ସଂଘର୍ଷ କରାଇଥିଲେ। ଗିଲ (୪୪, ୭୧ ବଲ୍‌, ୭ ଚୌକା, ୧ ଛକା)ଙ୍କ ପରେ ସେ ଚେତେଶ୍ବର ପୂଜାରା ଓ ବିରାଟ କୋହଲିଙ୍କ ଦୁଇ ବଡ଼ ୱିକେଟ୍‌ ମଧ୍ୟ ଦଖଲ କରିଥିଲେ। ପୂର୍ବ ବଲ୍‌ରେ ନ୍ୟୁଜିଲାଣ୍ଡ୍‌ ରିଭ୍ୟୁ କରି ବିଫଳ ହେବା ପରେ ପରବର୍ତୀ ବଲ୍‌କୁ ପୂଜାରା ଆଗକୁ ଆସି ଖେଳିବାକୁ ଚେଷ୍ଟା କରିଥିବା ବେଳେ ପରାସ୍ତ ହୋଇ ଷ୍ଟମ୍ପ୍ ହରାଇଥିଲେ।

କୋହଲି କିନ୍ତୁ ଅସ୍ପଷ୍ଟ ବ୍ୟାଟ୍‌-ପ୍ୟାଡ୍‌ ସ୍ପର୍ଶର ଶିକାର ହୋଇ ଲେଗ୍‌ବିଫୋର ୱିକେଟ୍‌ ଘୋଷିତ‌ ହୋଇଥିଲେ। କୋହଲିଙ୍କ ବିଦାୟ ପରେ ଶ୍ରେୟସ ଆୟରଙ୍କୁ ସାଥି କରି ମୟଙ୍କ ଅଗ୍ରୱାଲ୍‌ ଆଉ ଏକ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ଦଳକୁ ଦୃଢ଼ ସ୍ଥିତି ଆଡ଼କୁ ନେଇଥିଲେ। ଚତୁର୍ଥ ୱିକେଟ୍ ପାଇଁ ହୋଇଥିବା ୮୦ ରନ୍‌ରୁ ଆୟର କିନ୍ତୁ ମାତ୍ର ୧୮ ରନ୍‌ ଅବଦାନ ଦେଇଥିଲେ। ଚା’ପାନ ବିରତି ପରେ ଆୟରଙ୍କ ୱିକେଟ୍‌ ମଧ୍ୟ ନେଇଥିଲେ ଏଜାଜ ପଟେଲ୍‌। ମୟଙ୍କ ଏବଂ ଋଦ୍ଧିମାନ ସାହା ଅତୁଟ ପଞ୍ଚମ ୱିକେଟ୍‌ ପାଇଁ ୬୧* ରନ୍‌ ଯୋଡ଼ି ସାରିଛନ୍ତି। ଚତୁର୍ଥ ଟେଷ୍ଟ୍ ଶତକ ସହ ମୟଙ୍କ (୧୨୦*, ୨୪୬ ବଲ୍‌, ୧୪ ଚୌକା, ୪ ଛକା) ଏବେ ଭାରତର ମେରୁଦଣ୍ଡ ଭଳି ବ୍ୟାଟିଂ ଜାରି ରଖିଛନ୍ତି। ଋଦ୍ଧିମାନ ସାହା (୨୫*, ୫୩ ବଲ୍, ୩‌ ଚୌକା, ୧ ଛକା) ଆକର୍ଷଣୀୟ ବ୍ୟା‌ଟିଂ କରିଛନ୍ତି।

୪ ଆହ‌ତ: ଭାରତ ୩
ମୁମ୍ବାଇ ଟେଷ୍ଟ୍‌ ଆରମ୍ଭ ପୂର୍ବରୁ ଆହତ ସମସ୍ୟା ଉଭୟ ଦଳକୁ ଏକାଧିକ ପରିବର୍ତନ କରିବାକୁ ବାଧ୍ୟ କରିଛି। ପ୍ରଥମ ଟେଷ୍ଟ୍ ବେଳେ ଆଘାତପ୍ରାପ୍ତ ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମା ଏବଂ ରବୀନ୍ଦ୍ର ଜାଜେଦା ଏହି ଟେ‌ଷ୍ଟ୍ ପାଇଁ ଊପଲବ୍ଧ ହୋଇନାହାନ୍ତି। ଫଳରେ ବିରାଟ କୋହଲିଙ୍କ ସହିତ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ସ୍ପିନର୍‌ ଜୟନ୍ତ ଯାଦବ ସୁଯୋଗ ପାଇଛନ୍ତି। ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମସନ୍ ମଧ୍ୟ କହୁଣୀ ସମସ୍ୟାରେ ପଡ଼ିବାରୁ ଖେଳିପାରିନାହାନ୍ତି। ଟମ୍ ଲଥାମଙ୍କୁ ନେତୃତ୍ବ ଭାର ଦିଆଯାଇଛି।

କୋହଲିଙ୍କ ବିବାଦୀୟ ଆଉଟ୍‌
ବିରାଟ କୋହଲିଙ୍କ ପ୍ରତ୍ୟାବର୍ତନ ପାଳି ଶୂନରେ କଟିଛି। ନିଜ ଟେଷ୍ଟ୍ ଜୀବନର ୧୪ତମ ଶୂନ ତଥା ଅଧିନାୟକ ଭାବେ ୧୦ ଥର ‘ବତକ’ ପାଇଛନ୍ତି କୋହଲି। ଶୁକ୍ରବାର କିନ୍ତୁ କୋହଲିଙ୍କ ଆଉଟ୍ ନିଷ୍ପତ୍ତି ବିବାଦୀୟ ରହିଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକଟ କରି ପଡ଼ିଆ ଛାଡ଼ିଥିଲେ। ବାମହ‌ାତୀ ସ୍ପିନର୍‌ ଏଜାଜ ପଟେଲ୍‌ଙ୍କ ବଲ୍‌ ତାଙ୍କ ବ୍ୟାଟ୍‌-ପ୍ୟାଡ୍‌ ଛୁଇଁବା ପରେ କିୱି ଖେଳାଳିମାନେ ଆବେଦନ କରିଥିଲେ। କିଛି ସେକେଣ୍ଡ୍‌ ଚିନ୍ତା କରି ଅମ୍ପାୟାର୍‌ ଅନିଲ ଚୌଧୁରୀ ଆଙ୍ଗୁଠି ଟେକି ଦେଇଥିଲେ। କୋହଲି ତୁରନ୍ତ ଏହାକୁ ରିଭ୍ୟୁ କରିଥିଲେ।

ଇମ୍ପାକ୍ଟରୁ ଜଣାପଡ଼ିଥିଲା ଏକା ସମୟରେ ବଲ୍ ବ୍ୟାଟ୍‌ ଓ ପ୍ୟାଡ୍‌ ଛୁଇଁଛି। ବଲ୍‌ କିନ୍ତୁ ଷ୍ଟମ୍ପ୍‌ ଲାଇନ୍‌ରେ ପଡ଼ି ହିଟ୍‌ କରୁଛି। ଫିଲ୍ଡ ଅମ୍ପାୟାର୍‌ ଅନିଲ‌୍ ଚୌଧୁରୀଙ୍କ ନିଷ୍ପତ୍ତିକୁ ନ ବଦଳାଇ ଆଉଟ୍ ସପକ୍ଷରେ ରହିବାରୁ ଅନିଲ ପୁଣି ଆଉଟ୍ ସଙ୍କେତ ଦେଇଥିଲେ। ନାରାଜ କୋହଲି ଏହା ପରେ କିଛି ସମୟ ଅନ୍ୟତମ ଅମ୍ପାୟାର୍‌ ନୀତିନ ମେନନଙ୍କ ସହ ଆଲୋଚନା କରି ଫେରିଥିଲେ ଏବଂ ବାଉଣ୍ଡରି ନିକଟରେ ମଧ୍ୟ ଟିଭି ର‌ିପ୍ଲେ ଦେଖି ନିଜକୁ ବୁଝାଇ ପାରିନଥିଲେ।

ଜନ୍ମମାଟିରେ ପଟେଲ୍‌ କମାଲ୍‌
ନିଜ ଜନ୍ମଭୂମିରେ ବୋଲିଂ କମାଲ୍ କରିଛନ୍ତି ଭାରତୀୟ ବଂଶୋଦ୍ଭବ ବାମହାତୀ ସ୍ପିନର୍‌ ଏଜାଜ ପଟେଲ୍‌। ଭାରତ ପାଳିରେ ଶୁକ୍ରବାର ପତନ ଘଟିଥିବା ସମସ୍ତ ୪ ୱିକେଟ୍ ନେଇଛନ୍ତି ଏହି ମୁମ୍ବାଇ ଜନ୍ମିତ ଖେଳାଳି। ନିଜ ମୂଳ ସହରରେ ପରିବାର ସଦସ୍ୟଙ୍କ ସମ୍ମୁଖରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବା ଏବଂ ସଫଳତା ଅର୍ଜନ କରିବାର ଅନୁଭବ ପଟେଲଙ୍କୁ ମିଳିଛି। ଶୁବମନ ଗିଲ୍‌,‌ ଚେତେଶ୍ବର ପୂଜାରା, ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କ ୱିକେଟ୍‌ ସହିତ ଏଜାଜ ପଟେଲ୍‌ ୨୯-୧୦-୭୩-୪ ବୋଲିଂ ଚିତ୍ର ପାଇଛନ୍ତି। ଏହି ଟେଷ୍ଟ୍ ପୂର୍ବରୁ ସେ ୧୦ ଟେଷ୍ଟରୁ ୨୯ ୱିକେଟ୍‌ ନେଇଥିଲେ। ୨ ଥର ୫ ୱିକେଟ୍‌ ସହ ଶ୍ରେଷ୍ଠ ଚିତ୍ର ୫/୫୯ ରଖିଛନ୍ତି। ମାତ୍ର ୮ ବର୍ଷ ବୟସରେ ପରିବାର ସହ ନ୍ୟୁଜିଲାଣ୍ଡ୍ ଗସ୍ତ କରିଥିବା ଏଜାଜ୍‌ ୨୫ ବର୍ଷ ପରେ ଭାରତ ଫେରି ଭାରତ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍‌ ଖେଳିଛନ୍ତି।

ସମ୍ବନ୍ଧିତ ଖବର