ଆଜିଠୁ ଡବ୍ଲୁଟିସି ଫାଇନାଲ୍, କୋହଲି ବାହିନୀ ସମ୍ମୁଖରେ କିୱି ସେନା

ସାଉଥମ୍ପଟନ୍: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ମହାମୁକାବିଲା। ଦୁଇବର୍ଷର ଲମ୍ବା ଲଢ଼େଇ ପରେ ହେବ ଫାଇନାଲ୍ ଟକ୍କର। ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ (ଡବ୍ଲ୍ୟୁଟିସି)ର ମେଗା ଫାଇନାଲ୍ ବିଶ୍ବର ଦୁଇ ଶ୍ରେଷ୍ଠ ଟେଷ୍ଟ୍ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବ। ଯିଏ ଜିତିବ ସିଏ ଇତିହାସ ରଚିବ। ଟେଷ୍ଟ୍ କ୍ରିକେଟ୍‌ର ମହାରାଜା ଭାବେ ଉଭା ହେବ। ଏହି ସମ୍ମାନଜନକ ୬ ଦଳୀୟ ମାରାଥନ ଟେଷ୍ଟ୍ ମୁକାବିଲାର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିବ। ଭାରତୀୟ କ୍ରିକେଟ୍ ଦଳ ତା’ର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ପ୍ରଥମ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଆଇସିସି ପ୍ରତିଯୋଗିତାର ‘ଫାଇନାଲ୍’ ଦୁର୍ଭାଗ୍ୟକୁ ଦୂର କରିବା ଆଶାରେ ଓହ୍ଲାଇବ। ଏକଦିବସୀୟ ବିଶ୍ବକପ୍ ଫାଇନାଲ୍‌ରେ ଝୁଣ୍ଟିବାର ଦୁଃଖକୁ ଏହି ବହୁ ପ୍ରତୀକ୍ଷିତ ଟ୍ରଫି ଲଢ଼େଇରେ ଦୂର କରିବାକୁ ଚେଷ୍ଟା କରିବ।

ବିରାଟ କୋହଲିଙ୍କ ଭାରତୀୟ ଦଳ ୬ ଶୃଙ୍ଖଳାରୁ ୧୨ ବିଜୟ ସହ ୫୨୦ ପଏଣ୍ଟ ପାଇଁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପଏଣ୍ଟ୍‌ ଟେବୁଲର ଶୀର୍ଷ ସ୍ଥାନରେ ରହି ଫାଇନାଲ୍‌ ଖେଳିବାକୁ ଆସିଥିଲା ବେଳେ ଏହାର ପ୍ରତିଦ୍ବନ୍ଦ୍ବୀ କେନ୍‌ ୱିଲିୟମ୍‌ସନ୍‌ଙ୍କ ନ୍ୟୁଜିଲାଣ୍ଡ ଦଳ ୫ ଶୃଙ୍ଖଳାରୁ ୭ ବିଜୟ ସହ ୪୨୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ଡବ୍ଲୁଟି ଫାଇନାଲ୍‌ ମ୍ୟାଚ୍ ସହ ଭାରତୀୟ କ୍ରିକେଟ୍‌ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ବି ଯୋଡ଼ିହେବ। ୮୯ ବର୍ଷର ଟେଷ୍ଟ୍ ଇତିହାସ ଭିତରେ ଭାରତୀୟ କ୍ରିକେଟ୍ ଦଳ ନିରପେକ୍ଷ ସ୍ଥାନରେ ପ୍ରଥମ ଥର ଲାଗି ଟେଷ୍ଟ୍‌ ମ୍ୟାଚ୍ ଖେଳିବ। ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟା ୩୦ରେ ଇଂଲଣ୍ଡର ସାଉଥମ୍ପଟନସ୍ଥିତ ଏଜିସ ବାୱେଲ ଷ୍ଟାଡିୟମରେ ଖେଳାଯିବ। ଯାହାକୁ ନେଇ ସମଗ୍ର କ୍ରିକେଟ୍ ଦୁନିଆ ଚଳଚଞ୍ଚଳ। ମାର୍ଚ ମାସ ପରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ କ୍ରିକେଟ୍ ପ୍ରଶଂସକ ଏହାକୁ ନେଇ ବେଶ୍ ଉତ୍ସାହିତ ଓ ଉଲ୍ଲସିତ।

ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଜୀବନ ପର୍ଯ୍ୟନ୍ତ ସବୁଠି ଏହି ଟ୍ରଫି ଟକ୍କରକୁ ନେଇ ଚର୍ଚ୍ଚା। କୋହଲି ବାହିନୀ ଅଥବା କିୱି ସେନା? କିଏ ଟେଷ୍ଟ୍ ଚାମ୍ପିଅନସିପ୍ ଗଦା ସହ ପାଖାପାଖି ୧୨ କୋଟି ଟଙ୍କାର ପୁରସ୍କାର ରାଶି ଜିତିବ, ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା ଓ ଅଙ୍କକଷା। ଡ୍ୟୁକ୍ ବଲ୍‌ରେ ଖେଳାଯିବାକୁ ଥିବା ଏହି ପାଞ୍ଚ ଦିନିଆ ମ୍ୟାଚ୍‌ରେ ସଂରକ୍ଷିତ ଦିବସ (ଜୁନ୍ ୨୩) ଭଳି ନୂଆକଥା ବି ଦେଖିବାକୁ ମିଳିବ। ୫ ଦିନ ଭିତରେ ଫଳାଫଳ ନମିଳିଲେ ଖେଳ ଷଷ୍ଠ ଦିବସକୁ ଯିବ। ସେଠାରେ ବି ଫଳାଫଳ ନ ବାହାରିଲେ ଉଭୟ ଦଳକୁ ଯୁଗ୍ମବିଜେତା ଘୋଷଣା କରାଯିବ। ପ୍ରସ୍ତୁତିକୁ ଦେଖିଲେ ନ୍ୟୁଜିଲାଣ୍ଡ ଭାରତଠାରୁ ଟିକିଏ ଆଗରେ ରହିଛି। ଇଂଲଣ୍ଡ ବିପକ୍ଷ ୨ଟିକିଆ ଶୃଙ୍ଖଳା ଜିତି କିୱି ଦଳ ଏହି ମ୍ୟାଚ୍‌ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଭାରତ ବିନା ଅଭ୍ୟାସ ମ୍ୟାଚ୍‌ରେ ଏହି ମୁକାବିଲାରେ ଅବତୀର୍ଣ୍ଣ ହେବ।

ଭାରତ ଗୁରୁବାର ତା’ର ଚୂଡାନ୍ତ ଏକାଦଶ ଘୋଷଣା କରିଥିବ‌ାରୁ ଶୁକ୍ରବାର ୩ ଦ୍ରୁତ ବୋଲର, ୨ ସ୍ପିନର ଏବଂ ୬ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଜଣେ ସ୍ପିନର, ୪ ଦ୍ରୁତ ବୋଲର ଏବଂ ୬ ବ୍ୟାଟର୍‌ଙ୍କୁ ଖେଳାଇପାରେ। ପିଚ୍‌ରେ ଗତି ଓ ବାଉନ୍ସ ରହିବ ବୋଲି ପୂର୍ବରୁ କ୍ୟୁରେଟର କହି ସାରିଛନ୍ତି। ପରବର୍ତ୍ତୀ ସମୟରେ ଏହା ସ୍ପିନରଙ୍କୁ ବି ସୁହାଇବ। ପାଗ ଚିରାଚରିତ ଭାବେ କୋହଲା ରହିବ। ଯାହା ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାଇଁ ଶୁଭସଙ୍କେତ। ବର୍ଷା ହେବାର ସମ୍ଭାବନା କମ୍ ଥିଲେ ମଧ୍ୟ ସୂର୍ଯ୍ୟଙ୍କ ଯିବା ଆସିବା ଲାଗି ରହିବ ବୋଲି ପୂର୍ବାନୁମାନ ରହିଛି।

ସମ୍ବନ୍ଧିତ ଖବର