ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ : ନାପିୟରରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ବିରାଟ ବାହିନୀ ପ୍ରସ୍ତୁତ

ନୂଆଦିଲ୍ଲୀ: କଙ୍ଗାରୁ ପରେ ବ୍ଲାକକ୍ୟାପ୍ସ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ପାଇଁ ପ୍ରସ୍ତୁତ ରହିଛି ବିରାଟ ବାହିନୀ । ଆସନ୍ତାକାଲିଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ ଦିନିକିଆ ଶୃଙ୍ଖଳା । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ନାପିୟରରେ ଖେଳାଯିବ। ତେବେ ଏହି ଦିନିକିଆ ସିରିଜରେ ମୋଟ୍ ୫ଟି ମ୍ୟାଚ୍ ଖେଳାଯିବ। ଏହାସହ ୩ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଗୋଟିଏ ପଟେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇବା ପରେ ଏବେ ନ୍ୟୁଜିଲାଣ୍ଡରେ ପହଞ୍ଚିଥିବା ବେଳେ ଅନ୍ୟ ପଟେ ନ୍ୟୁଜିଲାଣ୍ଡ ଘରୋଇ  ପଡିଆରେ ଶ୍ରୀଲଙ୍କାକୁ ୩-୦ରେ  ପରାସ୍ତ କରିଛି। ଏବେ ଉଭୟ ଭାରତୀୟ କ୍ରିକେଟ ଦଳ ଏବଂ ନ୍ୟୁଜିଲାଣ୍ଡ ଦଳର ମନୋବଳ ଦୃଢ଼ ରହିଛି ।

ଅନ୍ୟପଟେ ଆସନ୍ତାକାଲିର ମ୍ୟାଚ୍ ପାଇଁ ଭାରତୀୟ ଦଳର ସାମ୍ଭାବ୍ୟ ତାଲିକାରେ ରହିଛନ୍ତି, ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାଇଡ଼ୁ, ଦିନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନୀ, କୁଲଦୀପ ଯାଦବ, ୟୁଜିବେନ୍ଦ୍ର ଚହଲ, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ଖଲିଲ୍ ଅହମଦ୍,ମହମ୍ମଦ ଶାମି, ବିଜୟ ଶଙ୍କର ଏବଂ ସୁଭମନ୍ ଗିଲ୍ ଭଳି ୧୫ ଜଣିଆ ସାମ୍ଭାବ୍ୟ ତାଲିକା ଘୋଷଣା ହୋଇଛି ।

ଉଭୟ ଦଳ ଏବେ ଫର୍ମରେ ଅଛନ୍ତି । ଅତୀତରେ ନାପିୟର ପଡ଼ିଆରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୬ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତୀୟ ଦଳ ଦୁଇଟିରେ ବିଜୟୀ ହୋଇଥିବା ବେଳେ ୪ଟି ମ୍ୟାଚରେ ପରାଜିତ ହୋଇଛି ।

ଅନ୍ୟ ପଟେ ନ୍ୟୁଜିଲାଣ୍ଡ ଦଳ ଏଠାରେ ମୋଟ୍ ୪୦ଟି ମ୍ୟାଚ୍ ଖେଳିଥିବା ବେଳେ ୨୪ଟିରେ ବିଜୟୀ ହୋଇଛି  ଏବଂ ୧୩ଟିରେ ପରାଜିତ ହୋଇଛି । ଦୁଇଟି ମ୍ୟାଚ୍ ଡ୍ର ରହିଛି ଏବଂ ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି।

ସମ୍ବନ୍ଧିତ ଖବର