ପ୍ରଥମ ବଲ୍‌ରେ ରିଭ୍ୟୁ ହରାଇଲା ଭାରତ

ନିଜର ଏକମାତ୍ର ରିଭ୍ୟୁ ଭାରତ ପ୍ରଥମ ବଲ୍‌ରେ ହରାଇଥିଲା। ମଙ୍ଗଳବାର ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାଞ୍ଚେଷ୍ଟରର ମେଘାଚ୍ଛନ୍ନ ଆକାଶ ଓ କୋହଲା ପାଗର ପୂରା ଫାଇଦା ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଉଠାଇଥିଲେ। ପ୍ରଥମ ବଲ୍‌ରେ ହିଁ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲଙ୍କୁ ସେ ଘାଇଲା କରି‌ ଦେଇଥିଲେ। ଅଫ୍ ଏବଂ ମିଡିଲ ଷ୍ଟମ୍ପରେ ପିଚ୍ ହୋଇ ଭିତରକୁ ପଶୁଥିବା ବଲ୍‌କୁ ଗପ୍ଟିଲ ଆଦୌ ବୁଝି ପାରି ନଥିଲେ। ଫଳରେ ରକ୍ଷଣାତ୍ମକ ଢଙ୍ଗରେ ଖେଳି ଅଡ଼ୁଆରେ ପଡ଼ିଥିଲେ। ବଲ୍ ତାଙ୍କ ବ୍ୟାଟ୍‌କୁ ଚକ୍‌ମା ଦେଇ ସିଧାଯାଇ ପ୍ୟାଡରେ ବାଜିଥିଲା। ସର୍କଲରେ କ୍ଷେତ୍ରରକ୍ଷଣ କରୁଥିବା ଭାରତୀୟ ଖେଳାଳିଙ୍କ ସହ ପୂରା ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍ ଭାରତୀୟ ପ୍ରଶଂସକଙ୍କ ରଡ଼ିରେ କମ୍ପି ଉଠିଥିଲା। ତତକ୍ଷଣାତ୍ ଉତ୍ସାହିତ ଭାରତୀୟ ଖେଳାଳି ମିଳିତ ଭାବେ ୱିକେଟ୍ ଆବେଦନ କରିଥିଲେ। ଅମ୍ପାୟାର ରିଚାର୍ଡ କେଟେଲବର୍ଗ କିନ୍ତୁ ଏହାକୁ ମୁଣ୍ଡ ହଲାଇ ଖାରଜ କରି ଦେଇଥିଲେ। ଧୋନି ଏବଂ ଭୁବିଙ୍କ ସହ ବିଚାର ବିମର୍ଶ ପରେ ଅଧିନାୟକ କୋହଲି ରିଭ୍ୟୁ ନେଇଥିଲେ। ହେଲେ ବଲ୍ ଲାଇନରେ ପିଚ୍ ହୋଇଥିଲେ ମଧ୍ୟ ଷ୍ଟମ୍ପରେ ବାଜିବା ପରିବର୍ତେ ଲେଗ୍ ଷ୍ଟିକ୍ ବାହରକୁ ଯାଉଥିବା ରିପ୍ଲେରୁ ଜଣାପଡ଼ିଥିଲା। ବଲ୍ ଲେଗ୍ ଷ୍ଟିକ୍ ମିସ୍ କରୁଥିବା ହକ୍ ଆଇରୁ ସ୍ପଷ୍ଟ ହୋଇଥିଲା। ଫଳରେ ଭାରତ ନିରାଶ ହୋଇଥିଲା। ଅମ୍ପାୟାର ନଟଆଉଟ୍ ଦେଇଥିବାରୁ ଭାରତ ରିଭ୍ୟୁ ହରାଇଥିଲା।

ସମ୍ବନ୍ଧିତ ଖବର