ଅଭ୍ୟାସ କରି ପାରିଲାନି ଭାରତ

ନଟିଂହାମ,: ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ବିଶ୍ବକପ୍‌ରୁ ତିନି ସପ୍ତାହ ପାଇଁ ବାଦ ପଡ଼ିବାର ଦୁଃସମ୍ବାଦ ସହ ବର୍ଷା ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ଉପରେ ଦାଉ ସାଧିଛି। ନଟିଂହାମରେ ଦିନ ତମାମ ପାଗ ଖରାପ ରହିବାରୁ ଗୁରୁବାରର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ କୋହଲି ବାହିନୀ ମଙ୍ଗଳବାର ଅଭ୍ୟାସ କରି ପାରିନାହିଁ। ରବିବାର ଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତୀୟ ଦଳ ଲଣ୍ଡନରୁ ସିଧା ନଟିଂହାମରେ ପହଞ୍ଚିଥିଲା। ତେବେ କଳା ମେଘକୁ ସାଙ୍ଗରେ ଆଣିଥିଲା। ମଙ୍ଗଳବାର ସକାଳୁ ପାଗ କୋହଲା ରହିବା ସହ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଫଳରେ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ପାରି ନଥିଲେ। ଭାରତୀୟ ଦଳ ମଙ୍ଗଳବାର ଟ୍ରେଣ୍ଟବ୍ରିଜ୍ ଷ୍ଟାଡିୟମରେ ସ୍ଥାନୀୟ ସମୟ ଅପରାହ୍ନ ୨ରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବାର ଥିଲା। ତେବେ ସକାଳ ୧୦.୫୧ରେ ଏହାକୁ ଆନୁଷ୍ଠାନିକ ଭାବେ ବାତିଲ କରି ଦିଆଯାଇଥିଲା। ଗୁରୁବାର ମଧ୍ୟ ନଟିଂହାମରେ ବର୍ଷା ‌ହେବାର ଆଶଙ୍କା ରହିଛି। ଫଳରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ଏହା ଦ୍ବାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଅଛି। ବିଶ୍ବକପ୍ ବର୍ଷା ଦ୍ବାରା ଲଗାତାର ଭାବେ ପ୍ରଭାବିତ ହୋଇ ଆସୁଛି। ବ୍ରିଷ୍ଟଲରେ ଶ୍ରୀଲଙ୍କା-ପାକିସ୍ତାନ, ସାଉଥମ୍ପଟନରେ ୱେଷ୍ଟଇଣ୍ଡିଜ୍-ଦକ୍ଷିଣ ଆଫ୍ରିକା ମୁକାବିଲା ଏବଂ ବ୍ରିଷ୍ଟଲରେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ଏଥିଲାଗି ବାତିଲ ହୋଇ ସାରିଛି। ବୁଧବାରର ଅଷ୍ଟ୍ରେଲିଆ-ପାକିସ୍ତାନ ମ୍ୟାଚ୍ ବେଳେ ବର୍ଷା ହେବାର ୯୦ ପ୍ରତିଶତ ଆଶଙ୍କା ରହିଛି। ଏହି ମ୍ୟାଚ୍ ଟଣ୍ଟନରେ ଖେଳାଯିବାର ଅଛି। ଏହା ପୂର୍ବରୁ ଗତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମଧ୍ୟ ବର୍ଷା ଯୋଗୁଁ ଭାରତୀୟ ଦଳର ଅଭ୍ୟାସ ବାତିଲ ହୋଇଯାଇଥିଲା।

ସମ୍ବନ୍ଧିତ ଖବର