ପାକିସ୍ତାନ ଗସ୍ତରୁ ଖେଳାଳି ଓହରିବ‌ା ପଛରେ ଭାରତର ହାତ ନାହିଁ: ଶ୍ରୀଲଙ୍କା

ପାକିସ୍ତାନ ଗସ୍ତ ଲାଗି ଶ୍ରୀଲଙ୍କା ଦଳ ଘୋଷିତ

ନୂଆଦିଲ୍ଲୀ : ପାକିସ୍ତାନ ଗସ୍ତରୁ ଶ୍ରୀଲଙ୍କା ଖେଳାଳି ଓହରିବା ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି ବୁଧବାର ଶ୍ରୀଲଙ୍କାର ମନ୍ତ୍ରୀ ହାରିନ ଫର୍ଣ୍ଣାଣ୍ଡୋ ସ୍ପଷ୍ଟ କରିଛନ୍ତି। ‌କିଛି ଦିନ ତଳେ ସୁରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କାର ୧୦ ବରିଷ୍ଠ କ୍ରିକେଟର୍‌ ପାକିସ୍ତାନ ଗସ୍ତ କରିବେନି ବୋଲି ସରକାରଙ୍କୁ ଜଣାଇ ଦେଇଥିଲେ। ‌ଖେଳାଳିଙ୍କ ଏଭଳି ନିଷ୍ପତ୍ତି ପରେ ପାକିସ୍ତାନର ମନ୍ତ୍ରୀ ଫୱାଦ ହୁସେନ ଭାରତକୁ ଦାୟୀ କରିଥିଲେ। ପାକିସ୍ତାନ ଗସ୍ତ କଲେ ଆଇପିଏଲ୍‌ରେ ସୁଯୋଗ ମିଳିବନି ବୋଲି ଭାରତ ଧମକ ଦେବାରୁ ‌ଶ୍ରୀଲଙ୍କା ଖେଳାଳିମାନେ ଓହରିବାକୁ ବାଧ୍ୟ ହୋଇଥିଲେ ବୋଲି ଫୱାଦ ଟ୍ବିଟ୍‌ କରିଥିଲେ। ଖେଳକୁ ନେଇ ଭାରତ ରାଜନୀତି କରୁଛି ବୋଲି ସେ କହିଥିଲେ। ଏଭଳି ଭାରତ ବିରୋଧୀ ମନ୍ତବ୍ୟ ପରେ ବୁଧବାର ଶ୍ରୀଲଙ୍କା ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ବରିଷ୍ଠ ଖେଳାଳି ଓହରିବା ପ‌ଛରେ ଭାରତର କୌଣସି ହାତ ନାହିଁ। ଖେଳାଳିମାନେ ଓହରିବାର ମୁଖ୍ୟ କାରଣ ହେଉଛି ୨୦୦୯ର ଘଟଣା ବୋଲି ଫର୍ଣ୍ଣାଣ୍ଡୋ କହିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା କ୍ରିକେଟ୍ ଦଳ ୨୦୦୯ରେ ପାକିସ୍ତାନ ଗସ୍ତରେ ଯାଇଥିଲା ବେଳେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା। ଲାହୋରର ଗଦ୍ଦାଫି ଷ୍ଟାଡିୟମ ନିକଟରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଯାଉଥିବା ବସ୍ ଉପରକୁ ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୨ ଜଣ ପାକିସ୍ତାନ ନାଗରିକଙ୍କର ମୃତ୍ୟୁ ହୋଇଥିଲା ବେଳେ ୬ ଜଣ ଶ୍ରୀଲଙ୍କା ଖେଳାଳି ଆହତ ହୋଇଥିଲେ। ସେବେଠାରୁ କୌଣସି ବଡ଼ ଦଳ ପାକିସ୍ତାନ ଗସ୍ତ କରି ନାହାନ୍ତି। ପାକିସ୍ତାନ ତା’ର ଘରୋଇ ଶୃଙ୍ଖଳା ଦୁବାଇରେ ଖେଳି ଆସୁଛି।

ପାକିସ୍ତାନ ଗସ୍ତ ଲାଗି ଶ୍ରୀଲଙ୍କା ଦଳ ଘୋଷିତ

କଲମ୍ବୋ : ସୁରକ୍ଷା ଦୃଷ୍ଟିରୁ ପ୍ରମୁଖ ‌୧୦ ଖେଳାଳି ପାକିସ୍ତାନ ଗସ୍ତରୁ ଓହରିଯିବା ପରେ ବଳକା ଖେଳାଳିଙ୍କୁ ନେଇ ବୁଧବାର ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଏହି ଗସ୍ତରେ ଶ୍ରୀଲଙ୍କା ୩ ‌ଦିନିକିଆ ଓ ‌୨ ଟ୍ବେଣ୍ଟି ଖେଳିବ। ଦିନିକିଆ ଦଳର ନେତୃତ୍ବ ଭାର ଲାହିରୁ ଥିରିମାନେଙ୍କୁ ମିଳିଥିଲା ବେଳେ ଟ୍ବେଣ୍ଟି-୨୦ରେ ଦାସୁନ ସନକା ଅଧିନାୟକ ରହିବେ। ମିନୋଦ ମନୁକାଙ୍କୁ ଦିନିକିଆ ପଦାର୍ପଣ ସୁଯୋଗ ମିଳିଛି। ବାଂଲାଦେଶ ଦିନିକିଆ ଦଳରୁ ବାଦ୍‌ ପଡ଼ିଥିବା ଦନୁଷ୍କା ଗୁଣତିଲକ ଓ ଲକ୍ଷ୍ମଣ ସନ୍ଦକନ ଉଭୟ ଶୃଙ୍ଖଳା ଲାଗି ଦଳରେ ସ୍ଥାନ ପାଇଛନ୍ତି।

ଦିନିକିଆ ଦଳ: ଲାହିରୁ ଥିରିମାନେ (ଅଧିନାୟକ), ଦନୁଷ୍କା ଗୁଣତିଲକା, ସଦୀରା ସମରାବିକ୍ରମା, ଅଭିସ୍କା ପର୍ଣ୍ଣାଣ୍ଡୋ, ଓସାଦା ଫର୍ଣ୍ଣାଣ୍ଡୋ, ଶେହାନ ଜୟସୂରିୟା, ଦାସୁନ ସନକା, ମିନୋଦ ଭନୁକା, ଆଞ୍ଜେଲୋ ପେରେରା, ୱାନିନ୍ଦୁ ହସାରଙ୍ଗା, ଲକ୍ଷ୍ମଣ ସନ୍ଦକନ, ନୂଆନ ପ୍ରଦୀପ, ଇସୁରୁ ଉଦାନା, କାସୁନ ରଜିତା, ଲାହିରୁ କୁମାରା।

ଟ୍ବେଣ୍ଟି-୨୦ ଦଳ: ଦାସୁନ ସନକା (ଅଧିନାୟକ), ଦନୁଷ୍କା ଗୁଣତିଲକା, ସଦୀରା ସମରାବିକ୍ରମା, ଅଭିଷ୍କା ପର୍ଣ୍ଣାଣ୍ଡୋ, ଓସାଦା ଫର୍ଣ୍ଣାଣ୍ଡୋ, ଶେହାନ ଜୟସୂରିୟା, ଆଞ୍ଜେଲୋ ପେରେରା, ଭାନୁକା ରାଜପକ୍ଷ, ମିନୋଦ ଭନୁକା, ଲାହିରୁ ମନୁସନକା, ୱାନିନ୍ଦୁ ହସାରଙ୍ଗା, ଲକ୍ଷ୍ମଣ ସନ୍ଦକନ, ଇସୁରୁ ଉଦାନା, ନୂଆନ ପ୍ରଦୀପ, କାସୁନ ରଜିତା, ଲାହିରୁ କୁମାରା।

ସମ୍ବନ୍ଧିତ ଖବର