ମେଲ୍ବର୍ନ: ବିଦାୟୀ ୨୦୧୮ ମସିହାରେ ଭାରତ ଏସିହା ମହାଦେଶ ବାହାରେ ବିଜୟର ସଂଖ୍ୟାକୁ ୪ରେ ପହଞ୍ଚାଇ ବର୍ଷ ଶେଷ କରିଛି। ଦଳ ଗୋଟିଏ ବର୍ଷରେ ଏତେ ସଫଳତା ପୂର୍ବରୁ କେବେ ହାସଲ କରିନଥିଲା। ମନସୁର ଅଲୀ ଖାନ୍ ପଟୌଦୀ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୩ ଲେଖାଏଁ ଜିତିଥିଲେ। କୋହଲିଙ୍କ ଦଳକୁ ଏବେ ‘ସେନା’ ବିଜୟର ଆଖ୍ୟା ଦିଆଯାଇଛି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍ ଏବଂ ଅଷ୍ଟ୍ରେଲିଆରେ ଏହି ୪ ବିଜୟ ମିଳିଥିବାରୁ ପ୍ରତି ଦେଶର ପ୍ରଥମ ଇଂରାଜୀ ଅକ୍ଷରକୁ ନେଇ ‘ସେନା’ କୁହାଯାଇଛି।
ଅଷ୍ଟ୍ରେଲିଆ ମାଟିରେ ବି ଦ୍ବିତୀୟ ଥର ପାଇଁ ଭାରତ ଏକାଧିକ ଟେଷ୍ଟ୍ ଜିତିଲା। ଶେଷ ଥର ପାଇଁ ୧୯୭୭-୭୮ ଋତୁରେ ବିଶେନ ସିଂ ବେଦୀଙ୍କ ନେତୃତ୍ବରେ ଭାରତ ୨ ଟେଷ୍ଟ୍ ଜିତିଥିଲେ ମଧ୍ୟ ୨-୩ରେ ଶୃଙ୍ଖଳା ହାରିଥିଲା। ସେନା ଦେଶ ବିପକ୍ଷରେ ଭାରତ ୧୯୮୬ ମସିହା ପରେ ପ୍ରଥମ ଥର ଏକାଧିକ ଟେଷ୍ଟ୍ ଜିତିଛି।
ମେଲ୍ବର୍ନ ସହିତ ଭାରତ ଅଷ୍ଟ୍ରେଲିଆରେ ୭ ବିଜୟ ପାଇଛି। ଏମସିଜି ମଧ୍ୟ ଭାରତର ସବୁଠୁ ସଫଳତମ ପଡ଼ିଆ ହୋଇଛି। ଏଠାରେ ଭାରତ ସର୍ବାଧିକ ୩ ଜିତିଛି।
ଯଶ୍ପ୍ରୀତ୍ ବୁମରା (୯/୮୬) ଅଷ୍ଟ୍ରେଲିଆରେ ଭାରତୀୟ ପେସ୍ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଛନ୍ତି। ପୂର୍ବରୁ କପିଳ ଦେବ ଆଡିଲେଡ୍ରେ ୧୯୮୫-୮୬ରେ ପାଇଥିବା ବୋଲିଂ ଚିତ୍ର ୮/୧୦୯ ଶ୍ରେଷ୍ଠ ଥିଲା। ଅଜିତ ଅଗରକର ମଧ୍ୟ ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ଯିଏ ଅଷ୍ଟ୍ରେଲିଆରେ ୮ ୱିକେଟ୍ ସଫଳତା ପାଇଥିଲେ। ପଦାର୍ପଣ ବର୍ଷରେ ୯ ଟେଷ୍ଟ୍ରୁ ୪୮ ୱିକେଟ୍ ନେଇ ବୁମ୍ରା ମଧ୍ୟ ଏ ତାଲିକାରେ ତୃତୀୟରେ ରହିଛନ୍ତି। ଟେରି ଆଲଡରମ୍ୟାନ୍ (୫୪, ୧୦ ଟେଷ୍ଟ୍, ୧୯୮୧) ଏବଂ କର୍ଟଲି ଆମ୍ବ୍ରୋସ (୪୯, ୧୧ ଟେଷ୍ଟ୍, ୧୯୮୮) ଆଗରେ ରହିଛନ୍ତି। ନିଜର ପ୍ରଥମ ୯ ଟେଷ୍ଟ୍ ପର୍ଯ୍ୟନ୍ତ ମଧ୍ୟ ବୁମ୍ରାଙ୍କ ୪୮ ୱିକେଟ୍ ଏକ ଭାରତୀୟ କୀର୍ତିମାନ। ପୂର୍ବରୁ ଭେଙ୍କଟେଶ ପ୍ରସାଦ ଏବଂ ଜଭାଗଲ ଶ୍ରୀନାଥ ସମାନ ୪୦ ଲେଖାଏଁ ୱିକେଟ୍ ନେଇ ମିଳିତ ଶୀର୍ଷରେ ଥିଲେ।
ୱିକେଟ ପଛପଟେ ମୋଟ ୪୨ ଆଉଟ୍ କରି ଋଷବ ପନ୍ତ୍ ପଦାର୍ପଣ ବର୍ଷରେ ସର୍ବାଧିକ ସଫଳତା ହାସଲରେ ଅଷ୍ଟ୍ରେଲିଆର ବ୍ରାଡ୍ ହାଡିନ୍ (୨୦୦୮)ଙ୍କ ସମକକ୍ଷ ହୋଇଛନ୍ତି। ଚଳିତ ଶୃଙ୍ଖଳାରେ ପନ୍ତ୍ ୨୦ ଆଉଟ୍ କରି ମଧ୍ୟ ଭାରତୀୟ କୀର୍ତିମାନ କରିଛନ୍ତି। ପୂର୍ବରୁ ୧୯୫୪-୫୫ରେ ନରିନ୍ ତମାନେ ଏବଂ ୧୯୭୯-୮୦ରେ ସୟଦ କିର୍ମାନି ୧୯ ଲେଖାଏଁ ଆଉଟ୍ କରିଥିଲେ। ସମସ୍ତ ୨୦ ଆଉଟ୍ କ୍ୟାଚ୍ରୁ ଆସିବା ମଧ୍ୟ ଆଉ ଏକ ଭାରତୀୟ କୀର୍ତିମାନ।
ବିଶେନ ସିଂହ ବେଦୀ (୨୬୬ ୱିକେଟ୍)ଙ୍କୁ ପଛରେ ପକାଇ ଈଶାନ୍ତ ଶର୍ମା (୨୬୭) ଏବେ ଭାରତୀୟ ଟେଷ୍ଟ୍ ବୋଲରଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଉଠିଛନ୍ତି।
ଚଳିତ ଗସ୍ତରେ ଭାରତୀୟ ଦ୍ରୁତ ବୋଲରମାନେ ମିଳିତ ଭାବେ ୪୭ ୱିକେଟ୍ ନେଇ ଅଷ୍ଟ୍ରେଲିଆରେ ଦ୍ବିତୀୟ ସର୍ବାଧିକ ସଫଳତା ପାଇଛନ୍ତି। ୧୯୯୧-୯୨ ଋତୁରେ ଭାରତୀୟ ଦ୍ରୁତ ବୋଲରମାନେ ୫ ମ୍ୟାଚ୍ ଶୃଙ୍ଖଳାରେ ୫୭ ୱିକେଟ୍ ନେଇଥିଲେ। ଯାହାକି ଚଳିତ ୪ ମ୍ୟାଚ୍ ଶୃଙ୍ଖଳାରେ ପଛରେ ପଡ଼ିଯିବା ସମ୍ଭାବନା ରହିଛି।
ଭାରତୀୟ ଦ୍ରୁତ ବୋଲର ମିଳିତ ଭାବେ ୨୦୧୮ ମସିହାରେ ୨୩.୭୦ ହାରରେ ୧୭୯ ୱିକେଟ୍ ନେଇଛନ୍ତି। ଦ୍ରୁତ ବୋଲରମାନେ ମିଳିତ ଭାବେ ୮ ଥର ୫ ୱିକେଟ୍ ସଫଳତା ପାଇବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ସହିତ ସମକକ୍ଷ। ଭାରତ ପାଇଁ କିନ୍ତୁ କୌଣସି ବର୍ଷରେ ଏହା ସର୍ବାଧିକ।
୨୦୧୮ ମସିହାରେ ଅଷ୍ଟ୍ରେଲିଆ ୧୦ ଟେଷ୍ଟ୍ ଖେଳି ମାତ୍ର ୪ ଶତକ ପାଇଛି, ଯାହାକି ଏହି ଦେଶ ପାଇଁ ସର୍ବନିମ୍ନ। ୧୯୯୬ ମସିହାରେ ଦେଶ ମାତ୍ର ୫ ଟେଷ୍ଟ୍ ଖେଳି ୨ ଶତକ ହାସଲ କରିଥିଲା। ବିଦାୟୀ ବର୍ଷର ୪ଟିରୁ ୩ ଶତକ ସେମାନେ ଇଂଲଣ୍ଡ ବିପକ୍ଷରେ ସିଡନିରେ ହାସଲ କରିଥିଲେ ଏବଂ ବିଜୟୀ ହୋଇଥିଲେ।
ଭାରତର ‘ସେନା’ ଦଖଲ
/sambad/media/post_attachments/wp-content/uploads/2018/12/Untitled-11-27.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)