ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍ ଦକ୍ଷିଣ ଏସୀୟ ଫୁଟ୍ବଲ୍ ମହାସଂଘ (ସାଫ୍) ପ୍ରତିଯୋଗିତାର ବୁଧବାର ଖେଳାଯିବାକୁ ଥିବା ଦୁଇଟି ମ୍ୟାଚ୍ରେ ଭାରତ-ବାଂଲାଦେଶ ଏବଂ ଶ୍ରୀଲଙ୍କା-ନେପାଳ ମୁହାଁମୁହିଁ ହେବେ। ଉଦ୍ଘାଟନୀ ଦିବସରେ ବାଂଲାଦେଶ ଓ ନେପାଳ ଯଥାକ୍ରମେ ମାଲଦୀପ ଓ ଶ୍ରୀଲଙ୍କାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଆସନ୍ତାକାଲି ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳୁଥିବାରୁ ଭଲ ଆରମ୍ଭ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍ ଅପରାହ୍ଣ ୪ଟାରେ ଖେଳାଯିବ। ଶ୍ରୀଲଙ୍କା-ନେପାଳ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବ। ଭାରତୀୟ ଦଳ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ବରରେ ରହି ଅଭ୍ୟାସ କରୁଥିଲା।
ସକାରାତ୍ମକ ଢଙ୍ଗରେ ବାଂଲାଦେଶ ବିପକ୍ଷରେ ଖେଳି ଭଲ ଆରମ୍ଭ କରିବାକୁ ଭାରତୀୟ ଦଳର ପ୍ରଶିକ୍ଷକ ସାନମୁଗମ ଭେଙ୍କଟେଶ ଆଶା ରଖିଛନ୍ତି। ‘‘ସକାରାତ୍ମକ ଢଙ୍ଗରେ ମ୍ୟାଚ୍ ଆରମ୍ଭ କରିବା ହେଉଛି ଗୁରୁତ୍ବପୂର୍ଣ୍ଣ। ଏହା କେବଳ ମ୍ୟାଚ୍ ଜିତିବା ପାଇଁ ଆତ୍ମବିଶ୍ବାସ ଦେଇନଥାଏ। ବରଂ ନିଜକୁ ଦୃଢ଼ କରିବାରେ ସହଯୋଗ କରିଥାଏ। କରୋନା ଯୋଗୁଁ ଅଭ୍ୟାସରେ ବାଧା ହୋଇଥିଲା। ହେଲେ ଏବେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାର ସୁଯୋଗ ମିଳିଛି। ଅଧିକ ମ୍ୟାଚ୍ ମିଳୁଥିବାରୁ ପିଲାମାନେ ଖୁସି ଅଛନ୍ତି। ଆମ ଦଳର ଅଧିକାଂଶ ଖେଳାଳି ଇଣ୍ଡିଆନ୍ ଆରୋଜ୍ ପକ୍ଷରୁ ଖେଳି ଅଭିଜ୍ଞତା ପାଇଛନ୍ତି। ଏଥିସହ କେତେ ଜଣ ବରିଷ୍ଠସ୍ତରୀୟ ଘରୋଇ ପ୍ରତିଯୋଗିତା ଖେଳିବାର ଅଭିଜ୍ଞତା ରଖିଛନ୍ତି’’ ବୋଲି ଭେଙ୍କଟେଶ କହିଛନ୍ତି। ‘‘ଭାରତ ସବୁବେଳେ ଦକ୍ଷିଣ ଏସୀୟସ୍ତରରେ ଦୃଢ଼ ପ୍ରତିନ୍ଦ୍ବନ୍ଦ୍ବୀ ଅଟେ। ମୁଁ ଭାବୁଛି ସମସ୍ତେ ପ୍ରତିଦ୍ବନ୍ଦ୍ବିତା ମୂଳକ, ହେଲେ ଭାରତ ସବୁଠୁ ଅଧିକ। ମୁଁ ସାଫ୍ ୧୮ ବର୍ଷରୁ କମ୍ ମହିଳା ଦଳ ସହ ଏଠାକୁ ଆସିଥିଲି। ଆମେ ଭାରତଠୁ ହାରି ଅଳ୍ପକେ ବିଜେତା ହେବାରୁ ବଞ୍ଚିତ ହୋଇଥିଲୁ। ଏହା ସର୍ବଦା କଷ୍ଟକର କ୍ରୀଡ଼ା’’ ବୋଲି ବାଂଲାଦେଶର ମୁଖ୍ୟ ପ୍ରଶିକ୍ଷକ ତଥା ବୈଷୟିକ ନିର୍ଦେଶକ ପଲ ସ୍ମାଲେ କହିଛନ୍ତି।