ନୂଆଦିଲ୍ଲୀ,: ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟରେ ଭାରତର ୮ ଏକକ ଏବଂ ୧୦ ଯୁଗଳ ଯୋଡ଼ି ସ୍ଥାନ ପକ୍କା କରିଛନ୍ତି। ୧୬ ପୁରୁଷ ଏକକ ଯୋଗ୍ୟତା ମ୍ୟାଚ୍ରେ ଭାରତରୁ ୧୩ ଜଣ ଭାଗନେଇଥିଲେ। ଏହା ମଧ୍ୟରୁ ରାହୁଲ ଯାଦବ ଚିତ୍ତାବୋଇନା, ସିଦ୍ଧାର୍ଥ ଠାକୁର, କାର୍ତିକ ଜିନ୍ଦଲ ଏବଂ କାର୍ତିକେ ଗୁଲସନ୍ କୁମାର ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଥିଲେ। ୨୫୭ ମାନ୍ୟତା କାର୍ତିକ ପ୍ରଥମ ପର୍ଯ୍ୟାୟରେ ୩୬୫ ମାନ୍ୟତା ପଭିଲ ମୋତ୍ସାରେଙ୍କୋଙ୍କୁ ହରାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସେ ୨୧-୧୨, ୨୩-୨୧,୨୧-୧୯ରେ ସରତ ଦୁନାଙ୍କୁ ମାତ୍ ଦେଇ ଏହି ସ୍ଥାନ ପକ୍କା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁନା ୨୧-୯, ୧୭-୨୧, ୨୧-୧୬ରେ ୟେହିଜକିଲ୍ ଫ୍ରିଜ୍ ମେନାକେଙ୍କୁ ହରାଇ ବିଦା କରିଥିଲେ। ମୁଖ୍ୟ ପର୍ଯ୍ୟାୟରେ କାର୍ତିକଙ୍କ ଭେଟ ଖୋସିତ ଫେଟ୍ପ୍ରାଦାବଙ୍କ ସହ ହେବ। ଅନ୍ୟଏକ ମ୍ୟାଚ୍ରେ ରାହୁଲ ୨୧-୧୪, ୨୧-୧୫ରେ ଅନନ୍ତ ଶିବମ୍ ଜିନ୍ଦଲଙ୍କୁ ଏବଂ ୨୧-୨୧-୧୩ରେ ଗୁରପ୍ରତାପ ସିଂହ ଧଲିୱାଲଙ୍କୁ ହରାଇ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ଏକକରେ ୮ ଭାରତୀୟଙ୍କ ମଧ୍ୟରୁ ଋତିକା ଠକ୍କର, ପ୍ରାସୀ ଜୋଷୀ, ରିୟା ମୂକର୍ଜୀ ଓ ବୈଦେହୀ ଚୌଧୁରୀ ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚିଥିଲେ। ଋତିକା ଅଷ୍ଟମ ମାନ୍ୟତା ମିଆ ବ୍ଲିଚ୍ଫେଲ୍ଡଙ୍କୁ, ପ୍ରାସୀ ତୃତୀୟ ମାନ୍ୟତା ବିଙ୍ଗଜିଆଓଙ୍କୁ ଏବଂ ବୈଦେହୀ ସପ୍ତମ ମାନ୍ୟତା ହାଁ ୟୁଏଙ୍କୁ ଭେଟିବେ। ପ୍ରଣବ ଜେରି ଚୋପ୍ରା ମିଶ୍ରିତ ଯୁଗଳରେ ଏନ୍ ସିକ୍କି ରେଡ୍ଡୀଙ୍କୁ ଏବଂ ପୁରୁଷ ଯୁଗଳରେ ଶିବମ ଶର୍ମାଙ୍କୁ ସାଥୀ କରି ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ପ୍ରଣବ ଓ ଶିବମ ଯୋଡ଼ି ୨୧-୧୦, ୨୧-୫ରେ ବିକାଶ ଚୌହାନ ଓ ସନ୍ଦୀପ ଚୌଧୁରୀଙ୍କୁ ହରାଇଥିଲେ। ମହିଳା ଯୁଗଳରେ ମେଘା ମୋର୍ଚନା ବୋରା ଓ ମାନାଲି ସିହ୍ନା ୨୪-୨୨, ୨୧-୧୩ରେ ଅନାମିକା କାଶ୍ୟପ ଓ ସଂଘମିତ୍ରା ସାଇକିଆଙ୍କୁ ହରାଇଥିଲେ।