ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ୨୦୨୩-୨୪ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ପଏଣ୍ଟ୍‌ ଖାତା ଖୋଲିଛି। ଶୁକ୍ରବାର କଳିଙ୍ଗ ହକି କମ୍ପ୍ଲେକ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ବିଶ୍ବର ୯ ନମ୍ବର ଭାରତ ୨-୦ ଗୋଲ୍‌ରେ ୧୨ ନମ୍ବର ଆମେରିକାକୁ ପରାସ୍ତ କରିଛି। ଏହି ପ୍ରଥମ ବିଜୟ ସହ ଭାରତ ଅଲିମ୍ପିକ୍‌ସ କ୍ବାଲିଫାୟାର ପରାଜୟର ମଧୁର ପ୍ରତିଶୋଧ ନେଇଛି। ଭୁବନେଶ୍ବର ଚରଣର ପ୍ରଥମ ୩ ମ୍ୟାଚ୍‌ ଯଥାକ୍ରମେ ଚୀନ୍‌, ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆଠୁ ହାରିଥିଲା ଘରୋଇ ଦଳ। ଶୁକ୍ରବାର ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଭାରତ ଏବଂ ତୃତୀୟ ମିନିଟ୍‌ରେ ଆମେରିକା ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣର ପାଇଥିଲେ। ହେଲେ ଉଭୟ ଦଳ ଏହାକୁ ‌ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲେ। ନବମ ମିନିଟ୍‌ରେ ବନ୍ଦନା କଟାରିୟା ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ସଲିମା ଟେଟେଙ୍କୁ ପାସ୍‌କୁ ଦୀପିକା (୨୬ ମିନିଟ୍‌) ଗୋଲ୍‌ରେ ପରିଣତ କରି ଭାରତକୁ ପ୍ରଥମ କ୍ବାର୍ଟରରେ ୨-୦ରେ ଆଗୁଆ ରଖିଥିଲେ। ତୃତୀୟ କ୍ବାର୍ଟରରେ ଆମେରିକାର କାର୍ଲସ ସାନେ (୪୨ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ସ୍ଥିତି ୧-୨ କରିଥିଲେ। ଶେଷ କ୍ବାର୍ଟରରେ ଦୀପିକାଙ୍କ ପାସ୍‌କୁ ସଲିମା ଗୋଲ୍‌ ଦେଇ ଭାରତକୁ ୩-୧ରେ ବିଜୟ ଭେଟି ଦେଇଥିଲେ।

Advertisment

ନେଦରଲାଣ୍ଡ୍‌ସ ଅପରାଜେୟ
ନେଦରଲାଣ୍ଡ୍‌ସର ଅପରାଜେୟ ଧାରା ଜାରି ରହିଛି। ଶନିବାର ମ୍ୟାଚ୍‌ରେ ବିଶ୍ବର ଏହି ଏକ ନମ୍ବର ଦଳ ୬-୨ ଗୋଲ୍‌‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଭୁବନେଶ୍ବର ଚରଣ ଶେଷ କରିଛି ନେଦରଲାଣ୍ଡ୍‌ସ। ସଂପ୍ରତି ନେଦରଲାଣ୍ଡ୍‌ସ ୮ ମ୍ୟାଚ୍‌ ଖେଳି ୮ ବିଜୟ ସହ ଟେବୁଲର ଶୀର୍ଷ ସ୍ଥାନକୁ ଆହୁରି ମଜବୁତ କରିଛି। ନେଦରଲାଣ୍ଡ୍‌ସର ଭିନ୍‌ ମାରିନ୍‌ (୭, ୪୮, ୪୯ ମିନଟ୍‌) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ‌ବେଳେ ‌ୟାନସେନ ୟିବି (୨୦, ୩୯ ମିନିଟ୍‌) ଦୁଇଟି ଓ ମାତିଆ ଫେଡେରିକ୍‌ (୯ ମିିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିୱାର୍ଟ ତାତୁମ (୨୮ ମିନିଟ୍‌) ଓ ଷ୍ଟିୱାର୍ଟ ଗ୍ରେସ (୫୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଶୁଝି ଥିଲେ।