ଦୁବାଇ: ଚଳିତ ବିଶ୍ବକପ୍‌ର ତିନିଟି ସହ ଗତ ୮ ମ୍ୟାଚ୍‌ରୁ ୫ଟିରେ ଖାତା ଖୋଲି ନଥିବା ଭାରତୀୟ ଓପନର୍‌ ଅଭିଷେକ ଶର୍ମା ବୁଧବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଗତ ୭ ମ୍ୟାଚ୍‌ରେ ୪ ଥର ଡକ୍‌ରେ ଆଉଟ୍‌‌ ହୋଇଥିଲେ ମଧ୍ୟ ତାଙ୍କ ମାନ୍ୟତାରେ କୌଣସି ଅବନତି ହୋଇନି। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏହି ବାମହାତୀ ବ୍ୟାଟର୍‌ ନେଦରଲାଣ୍ଡ୍‌ସ ମ୍ୟାଚ୍‌ ସହ ମୋଟ ୩ ମ୍ୟାଚ୍‌ ଖେଳି ୩ ଥର ଯାକ ରନ୍‌ କରିବା ପୂର୍ବରୁ ଆଉଟ୍‌ ହୋଇ ହ୍ୟାଟ୍ରିକ୍‌ ଡକ୍‌ ପାଇଛନ୍ତି। 

Advertisment

ଏହି ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ୱିକେଟ୍‌କିପର ବ୍ୟାଟର୍‌ ଈଶାନ କିଶନ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଥିବା ଈଶାନ ୧୭ଟି ସ୍ଥାନ ଲମ୍ଫ ଦେଇ ଅଷ୍ଟମରେ ପହଞ୍ଚିଛନ୍ତି। ତିଳକ ବର୍ମା ଗୋଟିଏ ସ୍ଥାନ ଉଠି ଚତୁର୍ଥ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଷଷ୍ଠରେ ସ୍ଥିର ଅଛନ୍ତି। କାଣ୍ଡିରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ପାଳି ଖେଳିଥିବା ଶ୍ରୀଲଙ୍କାର ପଥୁମ ନିଶଙ୍କ ୩ଟି ସ୍ଥାନ ଉଠି ତୃତୀୟରେ ଅଛନ୍ତି। ବୋଲିଂରେ ମଧ୍ୟ ପୂର୍ବ ପରି ବରୁଣ ଚକ୍ରବର୍ତ୍ତୀ ଶୀର୍ଷରେ ଥିଲା ବେଳେ ଅନ୍ୟ କୌଣସି ଭାରତୀୟ ବୋଲର ଶୀର୍ଷ ୧୦ରେ ନାହାନ୍ତି। ତେବେ ଅକ୍ଷର ପଟେଲ (୧୪) ଓ ଯଶ୍‌ପ୍ରୀତ ବୁମ୍‌ରା (୧୫) ଯଥାକ୍ରମେ ୪ ଓ ୬ ସ୍ଥାନ ଉପରକୁ ଉଠିଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ ପାକିସ୍ତାନର ସୈମ ଆୟୁବ ଶୀର୍ଷରେ ଥିଲା ବେଳେ ଜିମ୍ବାୱେର ସିକନ୍ଦର ରାଜା ଦ୍ବିତୀୟରେ ଅଛନ୍ତି। ଭାରତର ହାର୍ଦିକ ପାଣ୍ଡ୍ୟା (ତୃତୀୟ) ଓ ଶିବମ ଦୁବେ (ନବମ) କେବଳ ଶୀର୍ଷ ୧୦ରେ ଅଛନ୍ତି।