ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ, ସଂକେତ ଜିତିଲେ ରୌପ୍ୟ

ବର୍ମିହାମ : ଇଂଲଣ୍ଡର ବର୍ମିହାମରେ ଚାଲିଥିବା ରୌଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ଜିତିଛି ଭାରତ । ୫୫ କିଲୋଗ୍ରାମ ଭାରୋତ୍ତଳନରେ ସଂକେତ ସାରଗର ରୌପ୍ୟ ପଦକ ଜିତିଛନ୍ତି । ଏହି ବର୍ଗରେ ମାଲେସିଆର ଅନିକ ମହମ୍ମଦ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ନିଜର ୨ୟ ପ୍ରୟାସରେ ସଂକେତ ୧୩୯ କିଲୋଗ୍ରାମ ଉଠାଉଥିବାବେଳେ କହୁଣୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ନିଜର ଶେଷ ଉଦ୍ୟମରେ ସେ ୧୩୯ କିଲୋଗ୍ରାମ ଉଠାଇପାରିନଥିଲେ । ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସେ ମୋଟ ୨୪୮ କିଲୋଗ୍ରାମ ଉଠାଇଥିଲେ, ତା ମଧ୍ୟରୁ ୧୧୩ କିଲୋଗ୍ରାମ ସ୍ନାଚ୍ ଓ ୧୩୫ କିଲୋଗ୍ରାମ କ୍ଲିନ ଏଣ୍ଡ ଜାର୍କ ଅନ୍ତର୍ଭୁକ୍ତ । ଏହା ସତ୍ତ୍ବେ ତାଙ୍କର କହୁଣୀ ସମସ୍ୟାକୁ ନେଇ ଭାରତୀୟ ଦଳ ଚିନ୍ତିତ ହୋଇପଡ଼ିଛି ।

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଓ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଚାମ୍ପିଅନ ହୋଇଥିବା ୨୧-ବର୍ଷୀୟ ସଂକେତ ଭାରୋତ୍ତଳନରେ ପଦକ ଜିତିବେ ବୋଲି ପୂର୍ବରୁ ଆଶା କରାଯାଉଥିଲା । ଏହି ଆଶାକୁ ସେ ସାକାର କରିଛନ୍ତି ।

ମହାରାଷ୍ଟ୍ରର ଜଣେ କୃଷକଙ୍କ ପୁତ୍ର ସଂକେତ ପିଲାବେଳୁ ହିଁ ଭାରୋତ୍ତଳ ପ୍ରତି ଆକୃଷ୍ଟ ହୋଇଥିଲେ । ସେ ୨୦୧୩ରୁ ଭାରୋତ୍ତଳନ କରିବା ଆରମ୍ଭ କରିଥିଲେ । ତାଙ୍କ ଭଉଣୀ ମଧ୍ୟ ଜଣେ ଭାରୋତ୍ତଳନକାରୀ । ଏହି ରୌପ୍ୟ ପରେ ଅଲିମ୍ପିକ୍ସରେ ବି ପଦକ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର