୩ୟ ଟ୍ବେଣ୍ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେନି ପନ୍ତ

ହାଇଦ୍ରାବାଦ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ ଆଜି ହାଇଦ୍ରାବାଦ୍‌ରେ ଖେଳାଯାଉଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଅତିଥି ଟିମ୍‌ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି। ଚୂଡ଼ାନ୍ତ ଏକାଦଶରେ ଯୁବ କ୍ରିକେଟର ଋଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ।

ଟିମ୍‌ ଇଣ୍ଡିଆ: କେଏଲ୍‌ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ (ୱିକେଟକିପର), ହର୍ଷଲ ‌ପଟେଲ, ଭୁବନେଶ୍ବର କୁମାର, ଜସପ୍ରୀତ ବୁମରା ଓ ୟୁଜବେନ୍ଦ୍ର ଚହଲ

୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଏପର୍ଯ୍ୟନ୍ତ୧-୧ ବରାବର ସ୍ଥିତିରେ ରହିଛି। ଫଳରେ ହାଇଦ୍ରାବାଦ ମ୍ୟାଚ୍‌ ଉଭୟ ଦଳ ପାଇଁ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏଥିପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ବ୍ୟାଟରମାନେ ଦମ୍‌ଦାର ପ୍ରଦର୍ଶନ କରୁଥିଲେ ହେଁ ଡେଥ୍‌ ଓଭର ବେଳକୁ ବୋଲରଙ୍କ ଉପରେ ଚାପ ବଢିଯାଉଥିବା ଦେଖାଯାଉଛି। ‌ଶେଷ ଆଡ଼କୁ ବୋଲରମାନେ ମାତ୍ରାଧିକ ରନ୍‌ ବ୍ୟୟ କରୁଥିବା ଉଭୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଡେଥ୍‌ ଓଭର ବିଶେଷଜ୍ଞ ଭାବେ କାହା ଉପରେ ଦୁଇ ଅଧିନାୟକ ନିର୍ଭର କରୁଛନ୍ତି ତାହାକୁ ଅପେକ୍ଷା କରିବାକୁ ହେବ।

ନାଗପୁର ମ୍ୟାଚ୍‌ରେ ଭାରତ ଜଣେ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତ୍‌ଙ୍କୁ ଖେଳାଇଥିଲା। ହେଲେ ତାଙ୍କର ଆବଶ୍ୟକତା ପଡ଼ିନଥିଲା। ତଥାପି ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଭାରତ ୪ ଜଣ ବୋଲରଙ୍କୁ ନେଇ ଓହ୍ଲାଇଥିଲା। ଯଶ୍‌ପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଫେରିଥିଲେ ମଧ୍ୟ ଡେଥ୍‌ ଓଭର ସମସ୍ୟା ଟଳିନଥିଲା। ଘରୋଇ ଦଳ ପାଇଁ ହର୍ଷଲ ପଟେଲ ଶୃଙ୍ଖଳା ସାରା ସଂଘର୍ଷ କରୁଥିବା ଦେଖାଯାଉଛି। ଏପରିକି ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କୁ ଡେଥ୍‌ ଓଭରରେ ଏକ ସୁଯୋଗ ଦିଆଯାଇଥିଲେ ବି ତିନିଟି ଛକା ବ୍ୟୟ କରି ସେ ଅଧିନାୟକଙ୍କ ଆସ୍ଥାଭାଜନ ‌ହୋଇପାରିନାହାନ୍ତି। ଏଭଳି ଚାପ ସମୟରେ କାକର ଯୋଗୁଁ ଗତ ଦୁଇଟି ମ୍ୟାଚ୍‌ରେ ତାଙ୍କ ପ୍ରମୁଖ ଅସ୍ତ୍ର ଧୀମା ବଲ୍‌ ଓ ୟର୍କର ମଧ୍ୟ କାମ ଦେଇନଥିଲା।

ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ, କାମେରନ୍‌ ଗ୍ରିନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଙ୍ଗଲିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍ସ, ଡାନିଏଲ୍‌ ସାମ୍ସ, ଆଦାମ୍‌ ଜାମ୍ପା, ଜୋସ୍‌ ହାଜେଲଉଡ୍‌।

 

ସମ୍ବନ୍ଧିତ ଖବର