ବାହରିନ୍‌ଠୁ ହାରି ଭାରତ ବିଦା

ସାର୍‌ଜା: ଚଳିତ ଏଏଫ୍‌ସି ଏସୀୟ କପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟ ଯୋଗ୍ୟତା ହାସଲ କରିବାରେ ଭାରତ ବିଫଳ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡ୍‌କୁ ୪-୧ ଗୋଲ୍‌ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ଦ୍ବିତୀୟରେ ଆୟୋଜକ ୟୁଏଇ ନିକଟରୁ ୦-୨ ଏବଂ ସୋମବାର ବାହରିନ୍‌ଠୁ ୦-୧ରେ ହାରି ଗ୍ରୁପ୍‌-ଏର ଶେଷ ସ୍ଥାନରେ ରହି ବିଦାୟ ନେଇଛି। ଫଳରେ ଭାରତର ୫୩ ବର୍ଷ ପରେ ପ୍ରଥମ ଥର ଲାଗି ନକ୍‌ଆଉଟ୍‌ (୧୬ ଦଳୀୟ) ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିବା ଅଶା ମଉଳି ଯାଇଛି।
ସୋମବାର ସାରଜା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଧ ମଧ୍ୟ ‌ଗୋଲ୍‌ ବିନା ଗୋଲ୍‌ରେ ସରିବାକୁ ଯାଉଥିଲା ବେଳେ ଶେଷ ମିନିଟ୍‌ରେ ବହାରିନ୍‌କୁ ଏକ ପେନାଲ୍‌ଟି ମିଳିଥିଲା। ଏହାକୁ ଜମାଲ ରସିଦ୍‌ ଗୋଲ୍‌ରେ ପରିଣିତ କରି ନିଜ ଦଳକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ବାହରିନ୍‌ ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତ ସହ ୪ ପଏଣ୍ଟ୍‌ ପାଇ ତୃତୀୟରେ ରହି ନକ୍‌ ଅଉଟ୍‌ରେ ପ୍ରବେଶ କରିଥିଲା। ଏହି ଗ୍ରୁପ୍‌ର ୟୁଏଇ-ଥାଇଲାଣ୍ଡ୍‌ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହେବାରୁ ଭାରତ ନକ୍‌ଆଉଟ୍‌ରୁ ବାଦ୍‌ ପଡ଼ିଥିଲା। ୟୁଏଇ ୨ ବିଜୟ ଓ ୧ ଅମୀମାଂସିତ ସହ ୫ ପଏଣ୍ଟ୍‌ ପାଇ ଗ୍ରୁପ୍‌ ଶୀର୍ଷ ଏବଂ ଥାଇଲାଣ୍ଡ୍‌ ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତ ସହ ୪ ପଏଣ୍ଟ୍‌ ପାଇ ଦ୍ବିତୀୟରେ ରହି ନକ୍‌ଆଉଟ୍‌ ଯୋଗ୍ୟତା ଅର୍ଜନ କରିଥି‌ଲା। ସୂଚନାଯୋଗ୍ୟ ଯେ ଏସୀୟ କପ୍‌ର ୧୯୬୪ ସଂସ୍କରଣରେ ଉପବିଜେତା ହେବା ଭାରତର ସର୍ବଶ୍ରେଷ୍ଠ ସଫଳତା ରହିଆସିଛି। ଏହାପରେ ୧୯୮୪ ଓ ୨୦୧୧ରେ ଦୁଇଥର ଭାରତ ନକ୍‌ଆଉଟ୍‌ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର