ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିବ ଭାରତ!

କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖିଲା ଆଇଓଏ, ଆଇଓଏ ସହ ଆଲୋଚନା କରିବ ସିଜିଏଫ୍‌

ନୂଆଦିଲ୍ଲୀ: ଆଗାମୀ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତର ଓହରିଯିବା ଧମକକୁ ନେଇ ଅଡୁଆ ଏବେ ଲମ୍ବିବାରେ ଲାଗିଛି। ବିର୍ମିଙ୍ଗହାମ୍‌ରେ ଆୟୋଜିତ ଏହି କ୍ରୀଡ଼ାରୁ ବନ୍ଧୁକଚାଳନାକୁ ବାଦ୍‌ ଦିଆଯାଇଥିବାରୁ ଭାରତ କୋଧାନ୍ବିତ ହୋଇଛି। ୧୯୬୬ ମସିହାରୁ ପ୍ରତି ସଂସ୍କରଣରେ ବନ୍ଧୁକଚାଳନା ଯୋଡ଼ି ହୋଇଥିଲା ବେଳେ ୨୦୨୨ ସଂସ୍କରଣରୁ ଏହାକୁ ବାଦ୍‌ ଦିଆଯାଇଥିବାରୁ ଭାରତ କ୍ଷତିଗ୍ରସ୍ତ ହେବ ବୋଲି ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଅନୁଭବ କରିସାରିଛି। ଏପରିକି ବନ୍ଧୁକଚାଳନାକୁ ବାଦ୍‌ ଦିଆଗଲେ ଭାରତର ପଦକ ସଂଖ୍ୟା ଯଥେଷ୍ଟ ହ୍ରାସ ଘଟିବ ଏବଂ ଦଳଗତ ଭା‌ବେ ଭାରତ ପଦକ ତାଲିକାର ପଞ୍ଚମରୁ ଅଷ୍ଟମ ସ୍ଥାନକୁ ଖସିଯାଇପାରେ ବୋଲି ଆଇଓଏ ସଭାପତି ନରିନ୍ଦର ଧ୍ରୁବ ବାତ୍ରା କହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ‌ଗୋଲ୍‌ଡକୋଷ୍ଟ ସଂସ୍କରଣରେ ଭାରତ ମୋଟ ୬୬ ପଦକ ସହ ତାଲିକାର ତୃତୀୟ ସ୍ଥାନ ପାଇଥିଲା। ଆଉ ଏହି ୬୬ ପଦକ ମଧ୍ୟରୁ ବନ୍ଧୁକଚାଳନାରେ ଭାରତକୁ ମିଳିଥିଲା ୧୬ ପଦକ। ଯେଉଁଥିରେ କି ୭ ସ୍ବର୍ଣ୍ଣ ମଧ୍ୟ ସାମିଲ ଥିଲା। ତେଣୁ ବନ୍ଧୁକଚାଳନା ଭାରତର ଶକ୍ତି ଥିଲା ‌ବେଳେ ୨୦୨୨ ସଂସ୍କରଣ ପାଇଁ ଷଡ଼ଯନ୍ତ୍ରର ଶିକାର କରାଯାଇଥିବା ବାତ୍ରା ଅଭିଯୋଗ ଆଣିଛନ୍ତି। ଫଳରେ ବନ୍ଧୁକଚାଳନାକୁ ବାଦ୍‌ ଦେବା ପାଇଁ ବିର୍ମିଙ୍ଗହାମ୍‌ର ଏଭଳି ନିଷ୍ପତ୍ତିର ପ୍ରତିବାଦ କରି ଭାରତ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାରୁ ଓହରିଯିବାକୁ ବାଧ୍ୟ ହେବ ବୋଲି ବାତ୍ରା ସ୍ପଷ୍ଟ କରିଛନ୍ତି। ପୁଣି ଏନେଇ ଆଇଓଏ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁମତି ଲୋଡ଼ିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରି ଆମେ ଆମର ପ୍ରତିବାଦ ଉପସ୍ଥାପିତ କରିବାକୁ ଚାହୁଁଛୁ ବୋଲି ବାତ୍ର କହିଛନ୍ତି। ଏପରିକି ରୁଆଣ୍ଡାରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍‌)ର ସାଧାରଣ ବୈଠକରୁ ମଧ୍ୟ ଆଇଓଏ ନିଜକୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଥିଲା ବେଳେ ଆଗାମୀ ସେପ୍ଟେମ୍ବର ନିର୍ବାଚନରୁ ଏହାର ଦୁଇ ପ୍ରାର୍ଥୀଙ୍କୁ ଓହରାଇ ନେଇଛି। ସେହିପରି ଆଇଓଏର ଓହରିଯିବା ଧମକକୁ ଜାତୀୟ ରାଇଲଫ୍ ସଂଘ (ଏନ୍‌ଆର୍‌ଏଆଇ) ସମର୍ଥନ କରିଛି। ଆମେ ଆଇଓଏର ପ୍ରସ୍ତାବ ସହିତ ଏକମତ ରହିଛୁ ବୋଲି ରବିବାର କହିଛନ୍ତି ଏନ୍‌ଆର୍‌ଏଆଇ ସଂପାଦକ ରାଜୀବ ଭାଟିଆ ଏବଂ ସାଧାରଣ ସଂପାଦକ ଡିଭି ସୀତରାମା ରାଓ। ଏନ୍‌ଆର୍‌ଏଆଇ ଏକ ଜାତୀୟ ସଂଘ ଏବଂ ଏହା ମଧ୍ୟ ଆଇଓଏର ଅଂଶବିଶେ‌ଷ। ଆଇଓଏ ଉପରେ ଆମର ପୂର୍ଣ୍ଣ ଆସ୍ଥା ରହିଛି ଏବଂ ଆଗକୁ ଆଇଓଏ ଯେଉଁ ନିଷ୍ପତ୍ତି ନେବ ଆମେ ତାକୁ ସମର୍ଥନ କରିବୁ ବୋଲି ଉଭୟେ କହିଛନ୍ତି। ବନ୍ଧୁକଚାଳନାରେ ଆମେ ଏବେ ବିଶ୍ବରେ ଏକ ନମ୍ବର। ଆମ ବିପକ୍ଷରେ ଯେଭଳି ଷଡ଼ଯନ୍ତ୍ର ହୋଇଛି ତା’ର ପ୍ରତିବାଦ କରିବୁ। ତଥାପି ଚୂଡାନ୍ତ ନିଷ୍ପତ୍ତି ସରକାର ନେବେ ବୋଲି ଏନ୍‌ଆଇଏଆଇ କହିଛି।

ଅନ୍ୟପକ୍ଷରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା‌ ଫେଡେରେସନ୍‌ (ସିଜିଏଫ୍‌) ରବିବାର ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଓହରିଯିବା ଧମକ ନେଇ କ୍ରୀଡ଼ା ମନ୍ତ୍ରଣାଳୟକୁ ଆଇଓଏ ଚିଠି ଲେଖିବା ପରିପ୍ରେକ୍ଷୀରେ ସିଜିଏଫ୍‌ ଚିନ୍ତିତ ରହିଛି। ଭାରତ ବିର୍ମିଙ୍ଗ୍‌ହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରୁ ବୋଲି ଆମେ ଚାହୁଁ। ଏନେଇ ଆମେ ନିକଟରେ ଆଇଓଏ ସହ ଆଲୋଚନା କରିବୁ। ଉଠୁଥିବା ପ୍ରସଙ୍ଗ ଖୁବ୍‌ ଶୀଘ୍ର ସମାଧାନ ହୋଇଯିବାର ବିଶ୍ବାସ ବି ରଖିଛୁ ବୋଲି କହିଛନ୍ତି ସିଜିଏଫ୍‌ ଗଣମାଧ୍ୟମ ଓ ସଂଯୋଜନା ପ୍ରବନ୍ଧକ ଟମ୍‌ ଡେଗୁନ୍‌।

ସମ୍ବନ୍ଧିତ ଖବର